Latest Odisha News

BREAKING NEWS

ରେକର୍ଡ କହୁଛି, ଇଂଲଣ୍ଡକୁ ସେମିରେ ହରାଇଲେ ଭାରତ ହେବ ଚାମ୍ପିୟନ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ର ସେମିଫାଇନାଲ ମ୍ୟାଚ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ । ଏ ପର୍ଯ୍ୟନ୍ତ ଆଇସିସି ଟୁର୍ଣ୍ଣାମେଂଟରେ ଉଭୟ ଟିମ ୪ଥର ସେମିଫାଇନାଲରେ ସାମ୍ନା ସାମ୍ନି ହୋଇଛନ୍ତି । ଭାରତ ୨ ଓ ଇଂଲଣ୍ଡ ୨ ଥର ବିଜୟ ହାସଲ କରିଛି । ସବୁଠାରୁ ମଜା କଥା ହେଲା ଭାରତ ସେମିଫାଇନାଲରେ ଇଂଲଣ୍ଡକୁ ହରାଇବା ପରେ ଚାମ୍ପିୟନ ହୋଇଛି । ୧୯୮୩ ଓ ୨୦୨୪ ଏହାର ଜ୍ୱଳନ୍ତ ଉଦାହରଣ । ଏଥର ଯଦି ଭାରତ ବିଜୟ ହାସଲ କରିବ ତେବେ ଇଂଲଣ୍ଡ ବିପକ୍ଷରେ ରେକର୍ଡ ଭଲ ରହିବ ଏବଂ ଫାଇନାଲ ସମ୍ଭାବନା ଉଜ୍ଜୀବୀତ ରହିବ ।

୧୯୮୩ ଦିନିକିଆ ବିଶ୍ୱକପ: ୧୯୮୩ ବିଶ୍ୱକପରେ ଭାରତକୁ ଅଣ୍ଡରଡଗ ଭାବେ ବିବେଚନା କରାଯାଉଥିଲା । ମାତ୍ର ସେମିରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ଇଂଲଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ଫାଇନାଲରେ ଦୁର୍ଦ୍ଦଷ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ପ୍ରଥମ ଥର ପାଇଁ ବିଶ୍ୱକପ ଜିତିଥିଲା । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୨୧୩ ରନ କରିଥିଲା । କପିଳ ଦେବ ୩ଟି, ମହିନ୍ଦର ଅମରନାଥ ୨ଟି ୱିକେଟ ନେଇଥିଲେ । ଅମରନାଥ, ଯଶପାଲ ଶର୍ମା ଓ ସନ୍ଦୀପ ପାଟିଲଙ୍କ ଆକର୍ଷଣୀୟ ବ୍ୟାଟିଂ ସହାୟତାରେ ଇଂଲଣ୍ଡକୁ ୬ ୱିକେଟରେ ହରାଇଥିଲା ।

୧୯୮୭ ଦିନିକିଆ ବିଶ୍ୱକପ: ୧୯୮୩ ସେମିଫାଇନାଲ ପରାଜୟର ପ୍ରତିଶୋଧ ଇଂଲଣ୍ଡ ୧୯୮୭ରେ ନେଇଥିଲା । ଗ୍ରାହାମ ଗୁଚଙ୍କ ୧୧୫ ରନ ସହାୟତାରେ ଇଂଲଣ୍ଡ ୨୫୪ ରନ କରିଥିଲା । ଭାରତ ୪୫.୩ ଓଭରରେ ୨୧୯ ରନ କରିବାକୁ ସକ୍ଷମ ହୋଇଥିଲା । ମହମ୍ମଦ ଆଝାରୁଦ୍ଦିନ ୬୪ ରନର ପ୍ରଭାବୀ ଇନିଂସ ଖେଳିଥିଲେ । ଭାରତ ଶେଷ ୫ଟି ୱିକେଟ ମାତ୍ର ୧୫ ରନରେ ହରାଇ ଦେଇଥିଲା ।

୨୦୨୨ ଟି୨୦ ବିଶ୍ୱକପ: ଭାରତ ପୂନର୍ବାର ବିଶ୍ୱକପ ସେମିଫାଇନାଲରେ ଇଂଲଣ୍ଡଠାରୁ ପରାଜିତ ହୋଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ ବିନିମୟରେ ୧୬୮ ରନ କରିଥିଲା । ବିରାଟ କୋହଲି ୫୦ ଓ ହାର୍ଦ୍ଦିକ ପାଣ୍ଡ୍ୟା ୬୩ ରନ କରିଥିଲେ । ଜୋସ ବଟଲରଙ୍କ ୮୦ ଓ ଆଲେକ୍ସ ହେଲ୍ସଙ୍କ ଅପରାଜିତ ୮୬ ରନ ସହାୟତାରେ ଇଂଲଣ୍ଡ ୧୦ ୱିକେଟରେ ଭାରତକୁ ପରାଜିତ କରିଥିଲା ।

୨୦୨୪ ଟି୨୦ ବିଶ୍ୱକପ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ସେମିଫାଇନାଲରେ ଇଂଲଣ୍ଡକୁ ହରାଇ ହିସାବ ବରାବର କରିବା ସହ ଟାଇଟଲ ମଧ୍ୟ ହାସଲ କରିଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ବିନିମୟରେ ୧୭୧ ରନ କରିଥିଲା । ରୋହିତ ୫୭ ଓ ସୂର୍ଯ୍ୟକୁମାର ଯାଦବ ୪୭ ରନ କରିଥିଲେ । ଇଂଲଣ୍ଡ ଭାରତୀୟ ସ୍ପିନରଙ୍କ ଉଚିତ ମୁକାବିଲା କରି ନ ପାରି ୧୬.୪ ଓଭରରେ ୧୦୩ ରନରେ ଅଲଆଉଟ ହୋଇ ଯାଇଥିଲା । ଅକ୍ଷର ପଟେଲ ୩ଟି ୱିକେଟ ନେଇଥିଲେ । ଟି୨୦ ବିଶ୍ୱକପରେ ଭାରତ ଓ ଇଂଲଣ୍ଡ ସେମିଫାଇନାଲରେ ତୃତୀୟ ଥର ସାମ୍ନା ସାମ୍ନି ହେବେ । ବାଜି କିଏ ମାରୁଛି ତାହା ସମୟ କହିବ ।

Leave A Reply

Your email address will not be published.