କଟକ: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। କଟକ ବାରବାଟୀରେ ହେବ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ । ଅପରାହ୍ନ ୧ଟା ୩୦ରେ ରୋହିତ ଶର୍ମାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ମେନ ଇନ ବ୍ଲୁ । ଏପଟେ ଫ୍ୟାନ୍ସଙ୍କ ପାଇଁ ଦିନ ୧୧ଟାରେ ଖୋଲିବ ବାରବାଟୀ ଷ୍ଟାଡ଼ିୟମ ଗେଟ୍।
ଏପଟେ ସକାଳୁ ସକାଳୁ କ୍ରିକେଟ ପ୍ରେମୀ ଇଣ୍ଡିଆ ଟିମ୍ ଜର୍ସି ପିନ୍ଧି ମୁହଁରେ ତ୍ରିରଙ୍ଗା ଆଙ୍କି ହାତରେ ଜାତୀୟ ପତାକା ଧରି ଷ୍ଟାଡିୟମ ଭିତରକୁ ପ୍ରବେଶ କରିବା ପାଇଁ ଉତ୍ସାହିତ ଅଛନ୍ତି । ୪୫ ହଜାର ଦର୍ଶକଙ୍କ ପାଇଁ ଷ୍ଟାଡିୟମ ଭିତରେ ବ୍ୟବସ୍ଥା ହୋଇଛି। ଏହି ଅବସରରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ମାଧ୍ୟମରେ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତି ବାରବାଟୀ ଷ୍ଟାଡିୟମରେ ଦେଖିବେ ମ୍ୟାଚ। ପାଖାପାଖି ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ଷ୍ଟାଡିୟମ୍ର କୌଣସି ଗ୍ୟାଲେରୀକୁ ଯିବାବେଳେ ଦର୍ଶକ କେବଳ ମୋବାଇଲ୍ ଫୋନ୍ ଓ ମନିପର୍ସରେ ନୋଟ୍ ନେଇ ଯାଇପାରିବେ । ପର୍ସରେ କଏନ୍ ବା ଖୁଚରା ପଇସା ନେଇପାରିବେ ନାହିଁ । କୌଣସି ପ୍ରକାର ଖାଦ୍ୟ ଓ ପାଣି ବୋତଲକୁ ଦର୍ଶକ ସାଙ୍ଗରେ ନେଇଯାଇ ପାରିବେ ନାହିଁ ।
ରିଂବନ୍ଧ ଦେଇ ଆସୁଥିବା ଗାଡି ଗୁଡିକ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିବେ । କନିକା ଛକ ବିଜୁପଟନାୟକ ଛକ ପଟୁ ଆସୁଥିବା ଗାଡି ପାଇଁ ଆନନ୍ଦ ଭବନ ସମ୍ମୁଖ ପଡିଆ, ଚଣ୍ଡୀ ଛକ ଓ କଳାବିକାଶ କେନ୍ଦ୍ର ପଟୁ ଆସୁଥିବା କେବଳ ଦୁଇ ଚକିଆ ଯାନ ପାଇଁ ଦୟାଶ୍ରମ ସାମ୍ନା ପଡିଆ । ଜାଭିଅର ପଡିଆର ପାସ ପାଇଥିବା ବ୍ୟକ୍ତି ବାଉଁଶ ଡିପୋ ବା ବିଜୁ ପଟ୍ଟନାୟକ ଛକ ଦେଇ ଷ୍ଟାଡିୟମର ୧୪ ନମ୍ବର ଗେଟରେ ଯାଇ ପାର୍କିଂ କରି ପାରିବେ । ମାତାମଠ କିମ୍ବା କ୍ୟାଣ୍ଟେନମେଣ୍ଟ ଥାନା ପଟୁ ଆସୁଥିବା ପାସଧାରୀ ଗାଡି ଗୁଡିକ ବାଉଁଶ ଗଡା ପର୍ଯ୍ୟନ୍ତ ଆସି ସେଠାରେ ଗାଡି ରଖି ପାରିବେ ।
୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ନାଗପୁରର ପ୍ରଥମ ମ୍ୟାଚରେ ବାଜି ମାରିଥିବା ଟିମ୍ ଇଣ୍ଡିଆ ସିରିଜ୍ କବଜା ଲକ୍ଷ୍ୟରେ ରଖିଛି।
Comments are closed.