Latest Odisha News

BREAKING NEWS

ଆଜିଠୁ ମୋଟେରାରେ ଭାରତ-ଇଂଲଣ୍ଡ ପିଙ୍କ ବଲ୍ ଟେଷ୍ଟ: କାହାର ଦମ୍ କେତେ ?

ଅହମ୍ମଦାବାଦ: ଆଜିଠୁ ଆରମ୍ଭ ହେଉଛି ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ । ପିଙ୍କ ବଲରେ ଖେଳାଯିବ ମ୍ୟାଚ୍ । ଫ୍ଲଡ ଲାଇନଟେ ଡେ-ନାଇଟ୍ ଟେଷ୍ଟ । ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡିୟମ ଅହମ୍ମଦାବାଦର ମୋଟେରାରେ ଖେଳାଯିବ । ଅପରାହ୍ଣ ସାଢ଼େ ୨ଟାରେ ଆରମ୍ଭ ହେବ ମ୍ୟାଚ୍ ।

ତୃତୀୟ ଟେଷ୍ଟରେ ମୁକାବିଲା ଜୋରଦାର ହେବ । ଚାରି ଟିକିଆ ସିରିଜ ଏବେ ୧-୧ରେ ବରାବର ଥିବାରୁ କଡ଼ା ଟକ୍କର ଅନୁମାନ କରାଯାଉଛି । ମୋଟେରା ଷ୍ଟାଡିମର ନବୀକରଣ ହୋଇଛି । ଏହାପରେ ଏଠାରେ ଖେଳାଯାଉଛି ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ । ମୋଟେରା ପିଚ୍ ଫାଷ୍ଟ ବୋଲର ନା ସ୍ପିନକୁ ସୁହାଇବ ତାଉପରେ ନଜର ରହିଛି ।
ଇଂଲଣ୍ଡ ପ୍ରଥମ ଟେଷ୍ଟରେ ବିଜୟୀ ହେବା ପରେ ଦ୍ୱିତୀୟ ଟେଷ୍ଟକୁ ନିଜ ନାଁରେ କରିଥିଲା ଟିମ୍ ଇଣ୍ଡିଆ । ତୃତୀୟ ଟେଷ୍ଟରେ ସ୍ୱତନ୍ତ୍ର ରଣନୀତି ସହ ମୈଦାନକୁ ଓହ୍ଲାଇବେ ଉଭୟ ଟିମ୍ । ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ କିଛିଟା ପରିବର୍ତ୍ତନ ହୋଇପାର । ଚୁଡ଼ାନ୍ତ ଏକାଦଶରେ ସାମିଲ ହେବେ ଯଶପ୍ରୀତ ବୁମରାହ । ସେହିପରି ହାର୍ଦ୍ଦିକ ପାଣ୍ୟାଙ୍କୁ ବି ସୁଯୋଗ ମିଳିପାରେ ।

ଇଶାନ୍ତ ଶର୍ମାଙ୍କ ସହ ଫାଷ୍ଟ ବୋଲିଂ ସମ୍ଭାଳିବେ ଯଶପ୍ରୀତ ବୁମରାହ । ଅଶ୍ୱିନ ଓ ଅକ୍ଷର ପଟେଲଙକ୍ କାନ୍ଧରେ ସ୍ପିନ ବିଭାଗ । ଆଜି କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବେ ଇଶାନ୍ତ ଶର୍ମା । ସେହିପରି ଏହି ଟେଷ୍ଟରେ ୪୦୦ ଟେଷ୍ଟ ଓ୍ୱିକେଟ କ୍ଲବରେ ସାମିଲ ହୋଇପାରନ୍ତି ଅଶ୍ୱିନ୍ ।

ସେପଟେ ଇଂଲଣ୍ଡ ବି ସ୍ୱତନ୍ତ୍ର ରଣନୀତି କରିଛି । ଜୋ ରୁଟ୍, ବେନ୍ ଷ୍ଟୋକ୍ସ, ଜନି ବେରଷ୍ଟୋଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କ ଉପରେ ଭରସା କରିଛି ଦଳ । ବୋଲିଂ ମଙ୍ଗ ସମ୍ଭାଳିବେ ଜେମସ୍ ଆଣ୍ଡରସନ୍, ଜୋଫ୍ରା ଆର୍ଚର, ଜ୍ୟାକ୍ ଲିଚ୍ ।

ପୂର୍ବରୁ ଶେଷ ଥର ମୋଟେରାରେ ୨୦୧୨ରେ ମୁହାଁମୁହିଁ ହୋଇଥିଲେ ଭାରତ-ଇଂଲଣ୍ଡ । ଏହି ମ୍ୟାଚରେ ଇଂଲିଶ ବାହିନୀକୁ ୯ ଓ୍ୱିକେଟରେ ହରାଇ ବିଜୟୀ ହୋଇଥିଲା ଟିମ୍ ଇଣ୍ଡିଆ । ଓ୍ୱିନିଂ ହିରୋ ଥିଲେ ଚେତେଶ୍ୱର ପୂଜାରା । ସେ ଅପରାଜିତ ୨୦୬ ରନ୍ କରିଥିଲେ ।

Leave A Reply

Your email address will not be published.