Latest Odisha News

India VS New Zealand T20: ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ମୁକାବିଲା

ନାଗପୁର:  ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ମୁକାବିଲା। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ବୁଧବାର ନାଗପୁରର ବିଦର୍ଭ କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ସଂଧ୍ୟା ୭ଟା ସମୟରେ ଆରମ୍ଭ ହେବ। ଆଉ ପ୍ରାୟ ଦୁଇ ସପ୍ତାହ ପରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଆରମ୍ଭ ହେଉଥିବାରୁ ଏହି ଶୃଙ୍ଖଳା ଉଭୟ ଦଳ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ମନେକରାଯାଉଛି।

ଏହି ଶୃଙ୍ଖଳା ମାଧ୍ୟମରେ ଭାରତୀୟ ଦଳ ନିଜର ବିଶ୍ବକପ୍ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେବ। ସେହିପରି ବିଶ୍ୱକପ୍ ଉପମହାଦେଶରେ ଅନୁଷ୍ଠିତ ହେଉଥିବାରୁ ନ୍ୟୁଜିଲାଣ୍ଡର ଖେଳାଳିମାନଙ୍କ ପାଇଁ ବି ଏହା ବେଶ ଉପଯୋଗୀ ହୋଇପାରିବ। ତେବେ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ସମସ୍ତଙ୍କ ନଜର ରହିବ। ସେ ବିଗତ କିଛି ମାସ ଧରି ଭଲ ଫର୍ମରେ ନଥିଲେ ବି ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ଟ୍ୱେଣ୍ଟି-୨୦ ଫର୍ମାଟରେ ଭଲ ପ୍ରଦର୍ଶନ କରିଚାଲିଛି।

ମ୍ୟାଚର ଦିନକ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଯେ ଇଶାନ କିଷନ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ । ଇଶାନଙ୍କୁ ଟ୍ୱେଣ୍ଟି-୨୦ ବିଶ୍ବକପ ଦଳରେ ସାମିଲ କରାଯାଇଥିବାରୁ ତାଙ୍କୁ ସୁଯୋଗ ଦେବା ଉଚିତ ହେବ ବୋଲି ସେ କହିଛନ୍ତି । ସେହିପରି ଆହତ ତିଳକ ବର୍ମାଙ୍କ ସ୍ଥାନରେ ଦଳକୁ ଫେରିଥିବା ଶ୍ରେୟସ ଆୟର ୫ମ ସ୍ଥାନରେ ଖେଳିବେ । ନିଜେ ସୂର୍ଯ୍ୟକୁମାର ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ ।

Comments are closed.