ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ରେ ପାକିସ୍ତାନର ଓପନର ସାହିବଜାଦା ଫରହାନ ଦମଦାର ଅର୍ଦ୍ଧଶତକ ମାରିଥିଲେ। ମାତ୍ର ତାଙ୍କର ସେଲିବ୍ରେସନ ତାଙ୍କୁ ବିବାଦରେ ପକାଇଛି। ଏପଟେ ଲଗାତର ଦୁଇଟି ମ୍ୟାଚ ଭାରତଠୁ ହାରିବା ପରେ ପାକିସ୍ତାନ ଏବେ ନିଜ ଦେଶରୁ କଡ଼ା ସମାଲୋଚନାର ଶିକାର ହୋଇଛି।
ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଭାରତ ବନାମ ପାକିସ୍ତାନ ମ୍ୟାଚରେ ସାହିବଜାଦା ଫରହାନ ୫୮ ରନର ଦମଦାର ପାଳି ଖେଳିଥିଲେ। ଅର୍ଦ୍ଧଶତକ ହାସଲ କରିବା ପରେ ସେ ବ୍ୟାଟକୁ ଓଲଟାଇ ବନ୍ଧୁକ ଚଳାଉଥିବା ଭଳି ସେଲିବ୍ରେସନ କରିଥିଲେ। ଏହି ‘ଗନ ସେଲିବ୍ରେସନ’ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମାତ୍ର ଏହା ବିବାଦର କାରଣ ହୋଇଛି।
ସାହିବଜାଦା ୩୪ ବଲରେ ଅର୍ଦ୍ଧଶତକ ମାରିଥିଲେ। ମାତ୍ର ପରବର୍ତ୍ତୀ ୧୧ ବଲରେ ସେ ଗୋଟିଏ ମଧ୍ୟ ଚୌକା ମାରି ପାରିନଥିଲେ। ଶିବମ ଦୁବେ ତାଙ୍କୁ ନିଜର ଚତୁର ସ୍ଲୋଅର ବଲରେ ଆଉଟ କରିଥିଲେ। ସାହିବଜାଦା ଲମ୍ବା ଛକା ମାରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ହାତରୁ ବ୍ୟାଟ ଖସି ପଡ଼ିଥିଲା। କଭରରେ ଥିବା ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସହଜରେ କ୍ୟାଚ ନେଇଥିଲେ।
ସାହିବଜାଦାଙ୍କୁ ଦୁଇଥର ଜୀବନଦାନ ମିଳିଥିଲା। ଅଭିଷେକ ଶର୍ମା ତାଙ୍କର ଦୁଇଟି କ୍ୟାଚ ଛାଡ଼ିଥିଲେ। ପ୍ରଥମ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲରେ ୦ ରନରେ ସାହିବଜାଦାଙ୍କ କ୍ୟାଚ ଛାଡ଼ିଥିଲେ। ପରେ ବରୁଣ ଚକ୍ରବର୍ତ୍ତୀଙ୍କ ବଲରେ ଆଉ ଥରେ ତାଙ୍କ କ୍ୟାଚ ମିସ ହୋଇଥିଲା। ଏହି ଜୀବନଦାନର ସୁଯୋଗ ନେଇ ସାହିବଜାଦା ଅର୍ଦ୍ଧଶତକ ହାସଲ କରିଥିଲେ।
ଶିବମ ଦୁବେ ମ୍ୟାଚରେ ଭଲ ବୋଲିଂ କରିଥିଲେ। ଯେଉଁ ପିଚରେ ଜସପ୍ରୀତ ବୁମରାହ ଭଳି ବୋଲର ସଫଳ ହୋଇ ନଥିଲେ, ସେଠାରେ ଶିବମ ସମସ୍ତଙ୍କ ମନ ଜିଣିଥିଲେ। ସେ ୪ ଓଭରରେ ୩୩ ରନ ଦେଇ ୨ଟି ଓ୍ଵିକେଟ ନେଇଥିଲେ। ସାହିବଜାଦା ଛଡ଼ା ସେ ସୈମ ଆୟୁବଙ୍କ ଓ୍ଵିକେଟ ମଧ୍ୟ ନେଇଥିଲେ।
Comments are closed.