Latest Odisha News

BREAKING NEWS

ଭାରତ-ଦକ୍ଷିଣ ଆଫ୍ରିକା ଅନ୍ତିମ ଟି-୨୦, କ୍ଲିନସୁଇପ୍‌ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ବେଙ୍ଗାଲୁରୁ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ ରବିବାର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ବିରାଟ୍‌ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍‌ ଏହି ମ୍ୟାଚ୍‌ ଜିତି ସିରିଜକୁ ୨-୦ରେ ହାତେଇବାକୁ ପ୍ରୟାସ କରିବ ।

ଧର୍ମଶାଳାରେ ପ୍ରଥମ ଟି-୨୦ ମ୍ୟାଚ୍‌ ବର୍ଷା ଧୋଇ ଦେଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ବୋଲରଙ୍କ ଦମଦାର ପ୍ରଦର୍ଶନ ଏବଂ କୋହଲିଙ୍କ ଚମତ୍କାର ବ୍ୟାଟିଂ ବଳରେ ଭାରତ ୭ ୱିକେଟରେ ବିଜୟ ହାସଲ କରି ୧-୦ରେ ଆଗୁଆ ରହିଛି । ଅକ୍ଟୋବର ୨ ତାରିଖରୁ ଆରମ୍ଭ ହେବାକୁଥିବା ତିନିମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପୂର୍ବରୁ ଭାରତ ପାଇଁ ଅନ୍ତିମ ଟି-୨୦ ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ ।

ତୃତୀୟ ମ୍ୟାଚରେ ମଧ୍ୟ ସମସ୍ତଙ୍କ ନଜର ରିଷଭ ପନ୍ତଙ୍କ ଉପରେ ରହିବ, ଯିଏ ଦ୍ୱିତୀୟ ମ୍ୟାଚରେ ମାତ୍ର ୪ ରନ୍‌ କରି ପୁଣିଥରେ ଏକ ଦାୟିତ୍ୱହୀନ ଶଟ୍‌ ଖେଳି ଆଉଟ୍‌ ହୋଇଥିଲେ । ୨୧ ବର୍ଷୀୟ ଏହି ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ ସୁନୀଲ ଗାଭାସ୍କରଙ୍କର ସମର୍ଥନ ମିଳିଛି । ଆସନ୍ତାବର୍ଷ ହେବାକୁଥିବା ଟି-୨୦ ବିଶ୍ୱକପ୍‌ ପୂର୍ବରୁ ପନ୍ତଙ୍କୁ ଆହୁରି ସୁଯୋଗ ଦେବା ସପକ୍ଷରେ ଗାଭାସ୍କର ଯୁକ୍ତି ବାଢ଼ିଛନ୍ତି ।

ଏଭଳି ସ୍ଥିତିରେ ଆସନ୍ତାକାଲି ପନ୍ତଙ୍କ ଉପରେ ଭଲ ପ୍ରଦର୍ଶନ କରିବା ନେଇ ଅତ୍ୟଧିକ ଚାପ ରହିବ ।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାର ନୂଆ କ୍ୟାପଟେନ୍‌ କ୍ୱିଣ୍ଟନ୍‌ ଡି’କକଙ୍କୁ ପୁଣିଥରେ ନିଜ ବ୍ୟାଟିଂର ଯାଦୁ ଦେଖାଇବାକୁ ପଡ଼ିବ । ଏହାଛଡ଼ା ଟିମକୁ ଡେଭିଡ୍‌ ମିଲର୍‌ ଓ ରୀଜା ହେଣ୍ଡିକ୍ସଙ୍କର ସହଯୋଗର ମଧ୍ୟ ଆବଶ୍ୟକତା ରହିବ । ପ୍ରଥମ ମ୍ୟାଚରେ ଡି’କକ୍‌ ଓ ତେମ୍ବା ବାଭୁମାଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ନିଜର ଛାପ ଛାଡ଼ିପାରି ନଥିଲେ । ବୋଲିଂରେ ମଧ୍ୟ ସେଭଳି ସ୍ଥିରତା ଦେଖିବାକୁ ମିଳିନଥିଲା ।

Leave A Reply

Your email address will not be published.