Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକାରେ ଟି୨୦ ସିରିଜ ହାରିନି ଭାରତ

କେପଟାଉନ: ଭାରତୀୟ କ୍ରିକେଟ ଟିମ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛି । ଏଠାରେ ଟି୨୦, ଦିନିକିଆ ଓ ଟେଷ୍ଟ ସିରିଜ ଖେଳାଯିବ । ଭାରତ ଗୋଟିଏ ଦିନିକିଆ ସିରିଜ ଜିତିଥିବା ବେଳେ ଟେଷ୍ଟରେ କେବେ ଏହି ସଫଳତା ହାସଲ କରିନି । ଅପରପକ୍ଷରେ ଟି୨୦ରେ ଭାରତ ଏଠାରେ ସିରିଜ ହାରିନି । ଡିସେମ୍ବର ୧୦ରୁ ଟି୨୦ ସିରିଜ ଆରମ୍ଭ ହେବ । ସୂର୍ଯ୍ୟକୁମାର ଯାଦବ ନେତୃତ୍ୱାଧୀନ ଟିମ ଇଣ୍ଡିଆର ଟି୨୦ ଟିମର କୌଣସି ଖେଳାଳି ପୂର୍ବରୁ ଏଠାରେ ଖେଳି ନାହାନ୍ତି । ଏଠାକାର ପେସ ଓ ବାଉନ୍ସ ପିଚ ସର୍ବଦା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପରୀକ୍ଷା ନେଇଥାଏ । ଏଥିଯୋଗୁ ଓ ଟେଷ୍ଟ ଏବଂ ଦିନିକିଆରେ ୮ଟି ଲେଖାଁଏ ସିରିଜ ଖେଳିଥିଲେ ମଧ୍ୟ କେବଳ ୨୦୧୭-୧୮ରେ ଭାରତ ଦିନିକିଆ ସିରିଜ ଜିତିଛି । ୨୦୧୮ରେ ଖେଳାଯାଇଥିବା ଟି୨୦ ସିରିଜରେ ଭାରତ ୨-୧ରେ ବିଜୟୀ ହୋଇଥିଲା । ଏହାପରେ ୨୦୦୭ ଟି୨୦ ବିଶ୍ୱକପରେ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ଭାରତ ପରାସ୍ତ କରିବାରେ ସଫଳ ହୋଇଥିଲା ।

ସୂର୍ଯ୍ୟକୁମାର ଯଦି ଏହି ସିରିଜରେ ଭଲ ପ୍ରଦର୍ଶନ କରନ୍ତି ତେବେ ସେ ଆଗାମୀ ଦିନରେ ଭାରତୀୟ ଟି୨୦ ଟିମର ନିୟମିତ ଅଧିନାୟକ ହୋଇପାରନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ବାରମ୍ବାର ଆଘାତ ସମସ୍ୟାରେ ପଡୁଥିବାରୁ ସୂର୍ଯ୍ୟକୁମାରଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ ଉପନୀତ ହୋଇଛି । ଆସନ୍ତା ବର୍ଷ ଟି୨୦ ବିଶ୍ୱକପ ଖେଳାଯିବ । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଖେଳିବା ନେଇ କୌଣସି ସ୍ପଷ୍ଟ ସନ୍ଦେଶ ଏ ପର୍ଯ୍ୟନ୍ତ ମିଳି ନାହିଁ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ରବି ବିଶ୍ନୋଇ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ । ତିଳକ ବର୍ମା, ରିଙ୍କୁ ସିଂ, ଜିତେଶ ଶର୍ମା ଓ ମୁକେଶ କୁମାର ଏହି ସିରିଜ ମାଧ୍ୟମରେ ବିଶ୍ୱକପ ଦାବୀଦାର ଭାବେ ନିଜକୁ ପ୍ରତିଷ୍ଠିତ କରିବାକୁ ଚାହିଁବେ ।

Leave A Reply

Your email address will not be published.