Latest Odisha News

ନୂଆ ଆଶା, ନୂଆ ଆକାଂକ୍ଷା ନେଇ ଆରମ୍ଭ ହେଲା ନୂଆବର୍ଷ ୨୦୨୫

ଭୁବନେଶ୍ଵର: ନୂଆ ଆଶା ଓ ନୂଆ ଆକାଂକ୍ଷା ନେଇ ଆରମ୍ଭ ହେଲା ନୂଆବର୍ଷ ୨୦୨୫। ୨୦୨୪ରେ ଘଟିଥିବା ବିଭିନ୍ନ ଘଟଣା ଲକ୍ଷଲକ୍ଷ ଲୋକଙ୍କ ଘର ଓ ହୃଦୟ ଭାଙ୍ଗିଥିବା ବେଳେ ୨୦୨୫ ସେସବୁ ଆଘାତର କ୍ଷତକୁ ଭରିଦେବାର ଆଶା ନେଇ ଆଜି ବିଶ୍ବବାସୀ ନୂଆବର୍ଷକୁ ସ୍ବାଗତ କରିଛନ୍ତି। ଦେଶବିଦେଶରେ ‘ଜିରୋ ଆୱାର’ ପାଳନର ମୁହୂର୍ତ୍ତକ ପରେ ପୃଥିବୀରେ ପାଦ ରଖିଛି ନୂଆ ବର୍ଷ ୨୦୨୫।

ଡିସେମ୍ବର ୩୧ ତାରିଖ ରାତି ୧୨ଟା। ବଦଳିଛି କ୍ୟାଲେଣ୍ଡର। ସବୁ ଅପେକ୍ଷାର ଅନ୍ତ ହୋଇ ଆସିଛି ନୂଆବର୍ଷ ୨୦୨୫। ଖୁବ ଧୁମଧାମରେ ନୂଆବର୍ଷକୁ ସ୍ଵାଗତ କରୁଛନ୍ତି ସଭିଏଁ। ନୂଆବର୍ଷକୁ ସ୍ଵାଗତ କରିବା ପୂର୍ବରୁ ଆରମ୍ଭ ହୋଇଥିଲା ଜିରୋ ନାଇଟ ସେଲିବ୍ରେସନ। ଖାସ କରି ଟୁଇନସିଟି ଭୁବନେଶ୍ଵର ଏବଂ କଟକରେ ଜମିଛି ସେଲିବ୍ରେସନର ଆସର। ନାଚ, ଗୀତ ସାଙ୍ଗକୁ ବାଜା ବଜାଇ ବାଣ ଫୁଟାଇ ୨୦୨୫କୁ ସ୍ଵାଗତ କରାଯାଇଛି।

ଚଳିତ ଥର ନୂଆବର୍ଷ ସେଲିବ୍ରେସନ କରିବାକୁ ସମସ୍ତେ ଅପେକ୍ଷାରେ ରହିଥିଲେ। ରାଜଧାନୀ ଭୁବନେଶ୍ଵରର ବିଭିନ୍ନ ହୋଟେଲ ହେଉ କି ଖୋଲା ପଡ଼ିଆରେ ସବୁଠି ଦେଖିବାକୁ ମିଳିଛି ସେଲିବ୍ରେସନ । ଅନେକ ସ୍ଥାନରେ ଜଣାଶୁଣା କଳାକାର ଓଡ଼ିଶାବାସୀଙ୍କ ମନୋରଞ୍ଜନ କରିଥିଲେl। କିଏ ଟିକେଟ କିଣି ଜିରୋ ନାଇଟ ସେଲିବ୍ରେସନ ପାଇଁ ପହଞ୍ଚିଛି ତ କିଏ ସାଙ୍ଗସାଥୀଙ୍କୁ ସାଙ୍ଗରେ ଧରି ନିଜ ମନପସନ୍ଦର ଜାଗାରେ ନୂଆବର୍ଷର ସ୍ଵାଗତ କରୁଛନ୍ତି।

ନୂଆ ବର୍ଷର ପ୍ରଥମ ସୂର୍ଯ୍ୟୋଦୟକୁ ଦେଖିବା ଲାଗି ପୁରୀ ଜିଲ୍ଲା ଚନ୍ଦ୍ରଭାଗାରେ ଜମିଛି ପର୍ଯ୍ୟଟକଙ୍କ ଭିଡ । ପ୍ରଶାସନ ପକ୍ଷରୁ ଭିଡ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।ସମସ୍ତଙ୍କ ମନରେ ଗୋଟିଏ ଭାବନା ଯେ, ଆସନ୍ତା ନବ ବର୍ଷ ସମସ୍ତଙ୍କ ପାଇଁ ସୁଖମୟ ହେଉ । କେହି କେହି ଶ୍ରଦ୍ଧାଳୁ ଦୀପ ଜାଳି ମହାପ୍ରଭୁ ସୂର୍ଯ୍ୟନାରାୟଣଙ୍କୁ ବନ୍ଦନା କରୁଛନ୍ତି । କେହି କେହି ଶ୍ରଦ୍ଧାଳୁ ମହାପ୍ରଭୁ ସୂର୍ଯ୍ୟ ନାରାୟଣ ଙ୍କୁ ନମସ୍କାର କରି ପରିବାରର ମଙ୍ଗଳ କାମନା କରୁଛନ୍ତି ।

 

Comments are closed.