Latest Odisha News

ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରେ ୨୦୦ରୁ ଅଧିକ ରହିବ ବିମାନବନ୍ଦର

ନୂଆଦିଲ୍ଲୀ: ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ୨୦୦ ରୁ ଅଧିକ ରହିବ ବିମାନବନ୍ଦର, ହେଲିପୋର୍ଟ ଏବଂ ଜଳ ବିମାନବନ୍ଦର। ସୂଚନା ଦେଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏହି ସମୟ ମଧ୍ୟରେ ଭାରତୀୟ ବିମାନ ସେବା ୧୪୦୦ ରୁ ଅଧିକ ଅତିରିକ୍ତ ବିମାନ ଅର୍ଡର କରିବ। ନରେନ୍ଦ୍ର ମୋଦୀ ସରକାରଙ୍କ ନଅ ବର୍ଷ କାର୍ଯ୍ୟକାଳ ମଧ୍ୟରେ ବିମାନ ଚଳାଚଳ କ୍ଷେତ୍ରରେ କରାଯାଇଥିବା କାର୍ଯ୍ୟ ବିଷୟରେ ସୂଚନା ଦେବା ପାଇଁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିନ୍ଧିଆ କହିଛନ୍ତି ଯେ ୨୦୧୪ ପର୍ଯ୍ୟନ୍ତ ଭାରତରେ ୭୪ ଟି ବିମାନବନ୍ଦର (ହେଲିପୋର୍ଟ ଏବଂ ଜଳ ବିମାନବନ୍ଦର ସମେତ) ଥିଲା ଏବଂ ବର୍ତ୍ତମାନ ଏହି ସଂଖ୍ୟା ଦ୍ୱିଗୁଣିତ ହୋଇ ୧୪୮ ହୋଇଛି।

ସେ କହିଛନ୍ତି, ୨୦୧୩-୧୪ ରେ ଭାରତରେ ୬ କୋଟି ଘରୋଇ ବିମାନ ଯାତ୍ରୀ ଥିଲେ। ବର୍ତ୍ତମାନ ଏହି ସଂଖ୍ୟା ୧୩୫ ପ୍ରତିଶତ ବୃଦ୍ଧି ପାଇ ୧୪.୫ କୋଟିରେ ପହଞ୍ଚିଛି। ସେହିଭଳି ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ସଂଖ୍ୟା ଏହି ସମୟ ମଧ୍ୟରେ ୫୦ ପ୍ରତିଶତ ବୃଦ୍ଧି ପାଇ ୪.୭ କୋଟିରୁ ୭ କୋଟିକୁ ବୃଦ୍ଧି ପାଇଛି। ଏହା ବ୍ୟତୀତ ଉଭୟ ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନରେ ମାଲ ପରିବହନ ୬୫ ପ୍ରତିଶତ ବୃଦ୍ଧି ପାଇଛି ଅର୍ଥାତ ୨୨ ଲକ୍ଷ ଟନରୁ ୩୬ ଲକ୍ଷ ଟନକୁ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଗତିଶୀଳ ନୀତି ଯୋଗୁଁ ଆମେ ବିଶ୍ୱର ତୃତୀୟ ବୃହତ୍ତମ ବିମାନ ବଜାର ହୋଇପାରିଛୁ।

ମନ୍ତ୍ରୀ କହିଛନ୍ତି ଯେ ୨୦୧୪ ରେ ଭାରତୀୟ ବିମାନ କମ୍ପାନୀରେ ବିମାନ ସଂଖ୍ୟା ୪୦୦ ଥିଲା, ଯାହା ବର୍ତ୍ତମାନ ୭୦୦କୁ ବୃଦ୍ଧି ପାଇଛି ଅର୍ଥାତ୍ ୭୫ ପ୍ରତିଶତ ବୃଦ୍ଧି ଘଟିଛି। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତୀୟ ବିମାନ ସେବା ଅତିରିକ୍ତ ୧୨୦୦ ରୁ ୧୪୦୦ ବିମାନ ଅର୍ଡର କରିବ ବୋଲି ଆଶା କରାଯାଉଛି। ୨୦୧୪ ରେ କେବଳ ତିନୋଟି ଗ୍ରୀନ୍ ଫିଲ୍ଡ ବିମାନବନ୍ଦର ଥିଲା। ବର୍ତ୍ତମାନ ଆଉ ୧୧ ଟି ପ୍ରସ୍ତୁତ କରାଯାଇଛି ଏବଂ ଆଉ ୧୦ ଟି ପାଇଁ ମଞ୍ଜୁର ହୋଇଛି। ସେହିଭଳି ୨୦୧୪ ରେ ଉତ୍ତର ପୂର୍ବ ଅଞ୍ଚଳରେ ନଅଟି ବିମାନବନ୍ଦର ଥିଲା ଏବଂ ଏହି ସଂଖ୍ୟା ଏବେ ୧୭କୁ ବୃଦ୍ଧି ପାଇଛି। ସିନ୍ଧିଆ କହିଛନ୍ତି, ୨୦୩୦ ସୁଦ୍ଧା ବାର୍ଷିକ ଘରୋଇ ଯାତ୍ରୀଙ୍କ ସଂଖ୍ୟା ୪୫ କୋଟି ହେବ, ଯେଉଁଥିରେ ବର୍ତ୍ତମାନର ଆକଳନରୁ ୩୦୦ ପ୍ରତିଶତ ବୃଦ୍ଧି ହୋଇପାରେ। ନଭି ମୁମ୍ବାଇ ଏବଂ ଗ୍ରେଟର ନୋଏଡା ବିମାନବନ୍ଦରରେ କାର୍ଯ୍ୟ ଆରମ୍ଭ ହେବା ପରେ ଏହାର କ୍ଷମତା ପ୍ରାୟ ଦୁଇଗୁଣ ହୋଇ ୪୧.୫ କୋଟି ହେବ।

Comments are closed.