Latest Odisha News

BREAKING NEWS

ସାମିଙ୍କ ହ୍ୟାଟ୍ରିକ୍ ବଳରେ ଭାରତର ଦମଦାର୍ ବିଜୟ

ସାଉଥମ୍ପଟନ: ବିଶ୍ୱକପର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ମହମ୍ମଦ ସାମି ହ୍ୟାଟ୍ରିିକ୍ ୱିକେଟ ନେଇ ଭାରତୀୟ ଦଳକୁ ଜିତାଇ ପାରିଛନ୍ତି । ଆଫଗାନିସ୍ତାନ ଦଳ ୨୨୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୪୯.୫ ଓଭରରେ ୨୧୩ ରନ କରି ସମସ୍ତ ୱିକେଟ ହରାଇଥିଲା । ଏହା ଫଳରେ ଟିମ ଇଣ୍ଡିଆ ଏହି ଲୋମହର୍ଷକ ମ୍ୟାଚଟିକୁ ୧୧ ରନରେ ଆଫଗାନିସ୍ତାନକୁ ପରାସ୍ତ କରି ବିଜୟ ହାସଲ କରିଛି ।

ମ୍ୟାଚର ଅନ୍ତିମ ଓଭରରେ ଜିତିବା ଲାଗି ଆଫଗାନିସ୍ତାନକୁ ଆବଶ୍ୟକ ପଡ଼ିଥିଲା ୧୬ ରନ । ଆଫଗାନ ଟିମର ହିରୋ ପାଲଟି ଥିବା ମହମ୍ମଦ ନବୀ ସାମିଙ୍କ ୧ମ ବଲରେ ଏକ ଚୌକା ମାରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ ।


ସେହିପରି ୨ୟ ବଲଟି ସାମିଙ୍କ ମାପଚୁପ ବଲଟିରେ କୌଣସି ରନ ନେଇ ପାରିନଥିଲେ ନବୀ । ସାମିଙ୍କ ୩ୟ ବଲଟିକୁ ନବୀ ଏକ ଛକା ମାରିବାକୁ ଚେଷ୍ଟା କରିଥିବା ବେଳେ ବାଉଣ୍ଡରୀ ନିକଟରେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ସୁନ୍ଦର କ୍ୟାଚ ଧରିଥିଲେ । ଅନ୍ତିମ ଓଭରର ୪ର୍ଥ ବଲଟିରେ ସାମି ନୂଆ ବ୍ୟାଟ୍ସମ୍ୟାନ ଆଫତାବ ଆଲାମଙ୍କୁ କ୍ଲିନ୍ ବୋଲ୍ଡ ଆଉଟ କରି ଦେଇଥିଲେ । ଏବେ ଆଉ ୨ଟି ବଲରେ ଆଫଗାନିସ୍ତାନକୁ ୧୧ ରନ ଆବଶ୍ୟକ ଥିବା ବେଳେ ୫ମ ବୋଲରେ ସାମି ଶେଷ ଖେଳାଳୀ ମୁଜିବ୍ ଉର୍ ରେହମାନଙ୍କ ଷ୍ଟମ୍ପ ଉଡ଼ାଇ ଦେଇ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ । ବିଶ୍ୱକପର ପ୍ରଥମ ମ୍ୟାଚ ଖେଳୁଥିବା ମହମ୍ମଦ ସାମି ହ୍ୟାଟ୍ରିକ୍ ୱିକେଟ ହାସଲ କରି ଏକ ବିରଳ ରେକର୍ଡ଼ ପ୍ରତିଷ୍ଠା କରିପାରିଛନ୍ତି ।

ଏହି ମ୍ୟାଚରେ ଜୟପ୍ରିତ ବୁମରାଙ୍କୁ ପ୍ଲେୟାର୍ ଅଫ ଦି ମ୍ୟାଚ୍ ଘୋଷଣା କରାଯାଇଛି ।

ଟସ୍ ଜିତି ବିିରାଟ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦଳର ସ୍କୋର ମାତ୍ର ୭ ରନ ହୋଇଥିଲା ବେଳେ ପ୍ରଥମ ୱିକେଟର ପତ୍ତନ ହୋଇଥିଲା । ଦୁର୍ଦ୍ଧଶ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଦୁର୍ଭାଗ୍ୟବଶତଃ ୧ ରନ କରି ଆଉଟ ହୋଇଥିବା ବେଳେ ଦଳୀୟ ସ୍କୋର କ୍ରମେ ଧିମା ପଡ଼ିଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଲାଗୁଥିଲା ବିରାଟ କୋହଲୀ କଷ୍ଟକର ପିଚରେ ପରୀକ୍ଷାମୂଳକ ଭାବେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ତେବେ କପ୍ତାନ ଭାବେ ବିରାଟ ଚିରାଚରିତ ଢଙ୍ଗରେ ବ୍ୟାଟିଂ କରି ଦଳକୁ ଅଗ୍ରସର କରିଥିଲେ । ତାଙ୍କୁ ସାଥ୍ ଦେଇଥିଲେ ସାଥୀ ବିଜୟ ଶଙ୍କର ଓ କେ ଏଲ ରାହୁଲ । ମାତ୍ର ୧୩୫ ରନ ଦଳୀୟ ସ୍କୋର ହୋଇଥିବା ବେଳେ ୪ଟି ୱିକେଟର ପତ୍ତନ ଘଟିଥିଲା ।

ବିରାଟ କୋହଲୀ ପ୍ରଶଂସନୀୟ ୬୭ ରନ କରିଥିବା ବେଳେ କେଦାର ଯାଦବ ଉପଯୋଗୀ ୫୨ ରନ କରି ଦଳକୁ ଉଦ୍ଧାର କରିଥିଲେ । ସେହିପରି କେ ଏଲ ରାହୁଲ ୩୦ ରନ, ବିଜୟ ଶଙ୍କର ୨୯ ରନ ଏବଂ ମହେନ୍ଦ୍ର ସିଂହ ଧୋନୀ ୨୮ ରନ ସ୍କୋର କରିପାରିଥିଲେ ।

ଆଫଗାନିସ୍ତାନ ଦଳ ପକ୍ଷରୁ ଅଧିନାୟକ ଗୁଲବାଦିନ ନୈବ୍ ଓ ମହମ୍ମଦ ନବୀ ୨ଟି କରି ୱିକେଟ ହାସଲ କରିଥିଲେ । ଦଳର ଷ୍ଟାର୍ ବୋଲର୍ ରସିଦ୍ ଖାନ ଗୋଟିଏ ମାତ୍ର ଭାରତୀୟ ୱିକେଟ ଅକ୍ତିଆର କରିପାରିଛନ୍ତି ।

Leave A Reply

Your email address will not be published.