Latest Odisha News

BREAKING NEWS

ଏସୀୟ କ୍ରୀଡ଼ା: ୪ ଜଣ ଓଡ଼ିଆ ଝିଅଙ୍କ ସହ ଭାରତୀୟ ହକି ଦଳକୁ ରୌପ୍ୟ ପଦକ

ଜାକର୍ତ୍ତା: ଭାରତୀୟ ହକିର ଗୌରବକୁ ମହିଳା ଦଳ ବଜାୟ ରଖିଛନ୍ତି । ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଟୁର୍ଣ୍ଣାମେଣ୍ଟ ସାରା ଭଲ ପ୍ରଦର୍ଶନ କରି ଆଜି ମଧ୍ୟ ଭାରତୀୟ ଝିଅମାନେ ଲଢୁଆ ଖେଳ ପ୍ରଦର୍ଶନ କରିଥିଲେ । କିନ୍ତୁ ଭାଗ୍ୟ ଜାପାନ ସହିତ ରହିଥିଲା । ଏହି ଭାରତ-ଜାପାନ ମହିଳା ହକି ଫାଇନାଲରେ ଜାପାନ ୨-୧ ଗୋଲରେ ଜିତି ସ୍ୱର୍ଣ୍ଣ ପଦକ ହାସଲ କରିପାରିଛି ।

ଭାରତ ୧୯୯୮ ଏସିଆଡ଼ରେ କୋରିଆଠୁ ହାରି ରୌପ୍ୟ ଜିତିଥିଲା । ତେବେ ଏହି ଏସିଆଡ଼ରେ ଅପେକ୍ଷାକୃତ ଭଲ ଖେଳ ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିବାକୁ ସକ୍ଷମ ହୋଇପାରିଛି ।

ଭାରତୀୟ ଦଳରେ ୪ ଜଣ ଓଡ଼ିଆ ଝିଅ ଖେଳୁଥିଲେ । ସେମାନେ ହେଲେ ଦୀପ ଗ୍ରେସ ଏକ୍କା, ସୁନିତା ଲାକ୍ରା, ନମିତା ଟପ୍ପୋ ଏବଂ ଲିଲିମା ମିଞ୍ଜ । ଭାରତୀୟ ମହିଳା ଦଳରେ ଏହି ୪ଜଣ ଓଡ଼ିଆ ଝିଅଙ୍କ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ।

ଏହି ଏସିଆଡ଼ରେ ଜାପାନ, ଭାରତ ଓ ଚୀନ ଯଥାକ୍ରମେ ସ୍ୱର୍ଣ୍ଣ, ରୌପ୍ୟ ଏବଂ କାଂସ୍ୟ ପଦକ ହାସଲ କରିପାରିଛନ୍ତି ।

ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାରତୀୟ ମହିଳା ଦଳକୁ ସଫଳତା ଲାଗି ଶୁଭେଚ୍ଛା ଜଣାଇଛନ୍ତି ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ଜଣ ଓଡ଼ିଆ ଖେଳାଳିଙ୍କୁ ରୌପ୍ୟ ପଦକ ହାସଲ କରିଥିବାରୁ ପ୍ରତ୍ୟେକ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ।

ସେହିପରି ଭାରତୀୟ ପୁରୁଷ ଦଳ ପାକିସ୍ତାନକୁ ୨-୧ରେ ହରାଇ କାଂସ୍ୟ ପଦକ ହାସଲ କରିପାରିଛି । ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ପରାସ୍ତ କରିପାରି କାଂସ୍ୟ ଜିତିଛି ।

Leave A Reply

Your email address will not be published.