Latest Odisha News

ଇଂଲଣ୍ଡ ବିପକ୍ଷରେ ଭାରତର କ୍ଲିନ ସୁଇପ

ଅହମ୍ମଦାବାଦ: ଶୁଭମନ ଗିଲଙ୍କ ଚମତ୍କାର ଶତକ ବଳରେ ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୧୪୨ ବୃହତ ବ୍ୟବଧାନରେ ଇଂଲଣ୍ଡକୁ ପରାସ୍ତ କରିଛି । ଇଂଲଣ୍ଡ ବିପକ୍ଷରେ ଭାରତର ଏହା ଦ୍ୱିତୀୟ ସର୍ବବୃହତ ବିଜୟ । ରାଜକୋଟରେ ଭାରତ ୨୦୦୮ରେ ୧୫୮ ରନ ବ୍ୟବଧନରେ ବିଜୟ ହାସଲ କରିଥିଲା । ଟିମ ଇଣ୍ଡିଆ ଏଥିସହ ୩ଟି ଯାକ ମ୍ୟାଚ ଜିତି ସିରିଜରେ କ୍ଲିନ ସୁଇପ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୩୫୬ ରନ କରି ଅଲଆଉଟ ହୋଇଥିଲା ।

ଗିଲ ୧୦୨ ବଲରେ ୧୧୨ ରନର ଇନିଂସ ଖେଳିଥିଲେ । ବିରାଟ କୋହଲି ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରି ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଫର୍ମକୁ ଫେରିଛନ୍ତି । କୋହଲି ୫୨ ଓ ଶ୍ରେୟାଶ ଆୟାର ୭୮ ରନ କରିଥିଲେ । କେଏଲ ରାହୁଲ ମାତ୍ର ୨୯ ବଲରୁ ୪୦ ରନ ସଂଗ୍ରହ କରିଥିଲେ ।

ଆଡିଲ ରଶିଦ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ୪ଟି ୱିକେଟ ନେଇଥିଲେ । ଜବାବରେ ୩୫୭ ରନର ଲକ୍ଷ୍ୟକୁ ପିଛା କରି ଭ୍ରମଣକାରୀ ଦଳ ୩୪.୨ ଓଭରରେ ୨୧୪ ରନ କରି ଅଲଆଉଟ ହୋଇ ଯାଇଥିଲା । ଟମ ବାଂଟନ ୩୮, ବେନ ଡକେଟ ୩୪ ଓ ଶେଷ ଭାଗରେ ଗସ ଆଟକିନଶନ ଦ୍ରୁତ ୩୮ ରନ କରିଥିଲେ । ଭାରତର ସମସ୍ତ ବୋଲର ଉପଯୋଗୀ ପ୍ରଦର୍ଶନ କରିଥିଲେ । ଅର୍ଶଦୀପ ସିଂ, ହର୍ଷିତ ରାଣା, ଅକ୍ଷର ପଟେଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ ନେଇଥିଲେ । ଶୁଭମନ ଗିଲ ପ୍ଲେୟାର ଅଫ ଦି ମ୍ୟାଚ ଓ ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଥିଲେ ।

Comments are closed.