ଚେନ୍ନାଇ: ଭାରତ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ରେ ତିଳକ ବର୍ମାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଇଂଲଣ୍ଡକୁ ୨ ୱିକେଟରେ ପରାସ୍ତ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୦ର ଅଗ୍ରଣୀ ହାସଲ କରି ନେଇଛି । ତିଳକ ୭୨ ରନର ବିସ୍ଫୋରକ ଇନିଂସ ଖେଳି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୦ ଓଭରରେ ୯ ୱିକେଟ ହରାଇ ୧୬୫ ରନ କରିଥିଲା । ଜୋସ ବଟଲର ୪୫ ଓ ବ୍ରେଡନ କାର୍ସ ୩୧ ରନର ଇନିଂସ ଖେଳିଥିଲେ । ଟିମ ଇଣ୍ଡିଆ ପକ୍ଷରୁ ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତି ୨ଟି ଲେଖାଏଁ ୱିକେଟ ନେଇଥିଲେ । ୧୬୬ ରନର ବିଜୟ ଲକ୍ଷ୍ୟକୁ ଭାରତ ୧୯.୨ ଓଭରରେ ୮ ୱିକେଟ ହରାଇ ହାସଲ କରିଥିଲା ।
ତିଳକଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ । ସେ ୫୫ ବଲରେ ୪ ଚୌକା ଓ ୫ ଛକା ସହାୟତାରେ ୭୨ ରନ କରିଥିଲେ । ଶେଷ ଓଭରରେ ୬ ରନ ଆବଶ୍ୟକ ହେଉଥିବା ବେଳେ ତିଳକ ପ୍ରଥମ ବଲରେ ୨ ଓ ଦ୍ୱିତୀୟ ବଲରେ ଚୌକା ମାରି ଭାରତକୁ ଜିତାଇଥିଲେ । ୱାଶିଂଟନ ସୁନ୍ଦର ୨୬ ରନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପୂନର୍ବାର ବ୍ୟାଟିଂରେ ବିଫଳ ହୋଇଥିଲେ । ଇଂଲଣ୍ଡ ତରଫରୁ ବେଡନ କର୍ସ ୩ଟି ୱିକେଟ ଅକ୍ତିଆର କରିଥିଲେ । ଟସ ଜିତି ଭାରତ ପ୍ରଥମେ ଫିଲ୍ଡିଂ ନେବା ପାଇଁ ନିଷ୍ପତି ନେଇଥିଲା ।
Comments are closed.