Latest Odisha News

୪ ଓଡିଆଙ୍କୁ ‘ପଦ୍ମଶ୍ରୀ’: ଜାଣନ୍ତୁ କିଏ କେଉଁ କ୍ଷେତ୍ରରେ ପାଇବେ ପୁରସ୍କାର

ଭୁବନେଶ୍ବର: ୭୬ ତମ ଗଣତନ୍ତ୍ର ଦିବସ ଅବସରରେ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଶନିବାର ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। କଳା, ସମାଜସେବା, ଚିକିତ୍ସା, ଶିଳ୍ପ, ସାହିତ୍ୟ, କୀଡ଼ା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୋଟ୍ ୧୩୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିବେ ଭାରତ ସରକାର। ଏହି ତାଲିକାରେ ଓଡ଼ିଶାର ୪ ଜଣ ଅଛନ୍ତି। ସେମାନେ ହେଲେ ଦୁର୍ଗାଚରଣ ରଣବୀର, ପ୍ରତିଭା ଶତପଥୀ, ଅଦ୍ବୈତ ଚରଣ ଗଡ଼ନାୟକ  ଓ ଡା. ଅଶୋକ କୁମାର ମହାପାତ୍ର।

ଗୃହ ମନ୍ତ୍ରାଳୟ ସୂଚନା ଅନୁଯାୟୀ, କଳା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଅବଦାନ ପାଇଁ ଅଦ୍ବୈତ ଚରଣ ଗଡ଼ନାୟକ, ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଡାକ୍ତର ଅଶୋକ କୁମାର ମହାପାତ୍ର, କଳା କ୍ଷେତ୍ରରେ ଦୁର୍ଗାଚରଣ ରଣବୀର ଓ ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିଭା ଶତପଥୀଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି।

ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଦ୍ମଶ୍ରୀ ବିଜେତା ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସରେ ଲେଖିଛନ୍ତି, ନିଜର ପ୍ରତିଭା ଏବଂ ଜୀବନବ୍ୟାପୀ ସାଧନା ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାରରେ ସମ୍ମାନିତ ହେବାକୁ ଯାଉଥିବା ସମସ୍ତ ବିଜେତାଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ବିଶେଷ କରି ଓଡ଼ିଶାର ୪ ପଦ୍ମ ବିଜେତା, ମେଡ଼ିସିନ କ୍ଷେତ୍ରରେ ଡାକ୍ତର ଅଶୋକ ମହାପାତ୍ର, କଳାରେ ଶିଳ୍ପୀ ଅଦ୍ବୈତ ଚରଣ ଗଡ଼ନାୟକ ଓ  ଦୁର୍ଗା ଚରଣ ରଣବୀର ଏବଂ ସାହିତ୍ୟ ଓ ଶିକ୍ଷା ପାଇଁ ପ୍ରତିଭା ଶତପଥୀଙ୍କ ପାଇଁ ଆଜି ରାଜ୍ୟବାସୀ ଗର୍ବିତ। ସମସ୍ତଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।

  • ଦୁର୍ଗାଚରଣ ରଣବୀର: ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ସଫଳ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଦୁର୍ଗାଚରଣ ରଣବୀର ଅନ୍ୟତମ। ନୃତ୍ୟ ଶିକ୍ଷକ ଭାବେ ତାଙ୍କ ପାଖରେ ଦୀର୍ଘ ୨ ଦଶନ୍ଧିରୁ ଅଧିକ ସମୟର ଅଭିଜ୍ଞତା ରହିଛି। ତାଙ୍କ ଗୁରୁ ଦେବ ପ୍ରସାଦ ଦାସ।  ସେ ଭୁବନେଶ୍ବର, କଟକ, ନୂଆଦିଲ୍ଲୀ ଓ ଆମେରିକା ଭଳି ସ୍ଥାନରେ ଶିକ୍ଷାଦାନ କରିଛନ୍ତି। ଭୁବନେଶ୍ବରରେ ତାଙ୍କର ଏକ ନୃତ୍ୟ ପ୍ରତିଷ୍ଠାନ ରହିଛି।
  • ପ୍ରତିଭା ଶତପଥୀ: କେନ୍ଦ୍ର ସାହିତ୍ୟ ପୁରସ୍କାରପ୍ରାପ୍ତ ପ୍ରତିଭା ଶତପଥୀଙ୍କର ସାହିତ୍ୟ କ୍ଷେତ୍ରରେ ରହିଛି ଉଲ୍ଲେଖନୀୟ ଅବଦାନ । ୧୯୪୫ ନଭେମ୍ବର ୨୭ ତାରିଖରେ ଜନ୍ମଗ୍ରହଣ କରିଥିବା ଶ୍ରୀମତୀ ଶତପଥୀଙ୍କ ପ୍ରଥମ କବିତା ସଂକଳନ ‘ଆମ କବିତା’୧୯୬୨ ମସିହାରେ ପ୍ରକାଶ ପାଇଥିଲା। ଏହାବ୍ୟତୀତ ଅନେକ କବିତା ସଂକଳନ ପ୍ରକାଶ କରି ସେ ଓଡିଆ ବାଣୀଭଣ୍ଡାରକୁ ସମୃଦ୍ଧ କରିଛନ୍ତି । ତାଙ୍କର ଅନେକ ପୁସ୍ତକ ହିନ୍ଦୀ ଓ ଇଂରାଜୀରେ ଅନୁବାଦ ହୋଇଛି।
  • ଅଦ୍ବୈତ ଚରଣ ଗଡ଼ନାୟକ: ମୂର୍ତ୍ତି ନିର୍ମାଣ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବା ଅଦ୍ବୈତ ଚରଣ ଗଡ଼ନାୟକଙ୍କ ଜନ୍ମ ଢେଙ୍କାନାଳ ଜିଲ୍ଲା ନେଉଳାପୋଇ ଗାଁରେ। ସେ ଭୁବନେଶ୍ବରସ୍ଥିତ ବିକେ କଲେଜ୍‌ ଅଫ୍‌ ଆର୍ଟସ ଆଣ୍ଡ କ୍ରାଫ୍‌ଟରୁ ସ୍ନାତକ ଶିକ୍ଷା ପ୍ରାପ୍ତ କରିବା ପରେ ନୂଆଦିଲ୍ଲୀସ୍ଥିତ କଲେଜ୍‌ ଅଫ୍‌ ଆର୍ଟରୁ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ତାଙ୍କ ଦ୍ବାରା ସୃଷ୍ଟି ଇଣ୍ଡିଆ ଗେଟ୍‌ ନିକଟରେ ନେତାଜୀ ସୁଭାଷ ବୋଷ, ନୂଆଦିଲ୍ଲୀର ରାଜଘାଟରେ ସ୍ଥାପିତ ‘ଦାଣ୍ଡି ଯାତ୍ରା’ର କଳାକୃତି ବେଶ ପ୍ରଶଂସନୀୟ ହୋଇପାରିଛି।
  • ଡା. ଅଶୋକ କୁମାର ମହାପାତ୍ର: ଚିକିତ୍ସା ଜଗତରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବେଶ ଜଣାଶୁଣା ଡା. ଅଶୋକ କୁମାର ମହାପାତ୍ର । ୧୯୫୨ ମସିହା ଡିସେମ୍ବର ୨୯ ତାରିଖରେ ପୁରୀ ବ୍ରାହ୍ମଣ ଶାସନରେ ଜନ୍ମ ଗ୍ରହଣ କରିଥିବା ଡାକ୍ତର ମହାପାତ୍ର ୧୯୮୩ରୁ ୨୦୧୭ ପର୍ଯ୍ୟନ୍ତ ଦିଲ୍ଲୀ ଏମ୍ସରେ ପୂର୍ବତନ ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଥିଲେ।

ପ୍ରକାଶ ଯୋଗ୍ୟ, ୧୧୩ ଜଣଙ୍କୁ ପଦ୍ମଶ୍ରୀ, ୧୯ ଜଣଙ୍କୁ ପଦ୍ମଭୂଷଣ, ୭ ଜଣଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି । ସେହିପରି କୁଏତର ଯୋଗ ଗୁରୁ ଶେଖ ଏଜ ଅଲ ଶବା, ବ୍ରାଜିଲର ବେଦାନ୍ତ ଗୁରୁ ଜୋନାସ ମେସେଟଙ୍କ ସମେତ ସେଓ ସମ୍ରାଟ ହରିମାନଙ୍କ ନାମ ରହିଛି । ଗୋଆର ଶହେବର୍ଷୀୟ ସ୍ୱାଧିନତା ସଂଗ୍ରାମୀ, ପଶ୍ଚିମବଙ୍ଗାଲର ଏକ ଢାକ ବାଦକ ଭଳି ୩୦ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିବେ ସରକାର।

Comments are closed.