Latest Odisha News

ଟି୨୦ ସିରିଜ: ତୃତୀୟ ମ୍ୟାଚରେ ଜିମ୍ବାୱେକୁ ୨୩ ରନରେ ହରାଇଲା ଭାରତ

ହରାରେ: ଏଠାରେ ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚରେ ଭାରତ ୨୩ ରନରେ ଜିମ୍ବାୱେକୁ ପରାସ୍ତ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ନିର୍ଦ୍ଧାରିତ ଓଭରରେ ୪ ୱିକେଟ ହରାଇ ୧୮୨ ରନ କରିଥିଲା । ଅଧିନାୟକ ଶୁଭମନ ଗିଲ ସର୍ବାଧିକ ୬୬ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯଶସ୍ୱୀ ଜୈସୱାଲ(୩୬) ଓ ରିତୁରାଜ ଗାଏକ୍ୱାଡ(୪୯) ରନ କରିଥିଲେ । ବ୍ଲେସିଂ ମୁଜାରବାନୀ ଓ ସିକନ୍ଦର ରାଜା ୨ଟି ଲେଖାଏଁ ୱିକେଟ ନେଇଥିଲେ ।

ଜବାବରେ ୧୮୩ ରନର ଲକ୍ଷ୍ୟକୁ ପିଛା କରି ଜିମ୍ବାୱେ ୬ ୱିକେଟ ବିନିମୟରେ ୧୫୯ ରନ କରିବାକୁ ସକ୍ଷମ ହୋଇଥିଲା । ଡାଏନ ମେୟର୍ସ ୬୫ ରନ କରି ଅପରାଜିତ ରହିଥିଲେ । କ୍ଲାଇଭ ମାଡାନେ ଦ୍ରୁତ ୩୭ ରନ କରିଥିଲେ ମଧ୍ୟ ତାହା ଦଳର ବିଜୟ ପାଇଁ ଯଥେଷ୍ଟ ହୋଇ ନ ଥିଲା । ଟିମ ଇଣ୍ଡିଆ ତରଫରୁ ୱାଶିଂଟନ ସୁନ୍ଦର ୩ଟି ଓ ଆଭେଶ ଖାଁ ୨ଟି ୱିକେଟ ନେଇଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ସୁନ୍ଦର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ପ୍ରଥମ ମ୍ୟାଚରେ ହାରିବା ପରେ ଭାରତ କ୍ରମାଗି ୨ଟି ମୁକାବିଲା ଜିତି ସିରିଜକୁ କବଜା କରିବା ଲକ୍ଷ୍ୟରେ ରହିଛି ।

Comments are closed.