Latest Odisha News

BREAKING NEWS

ଗିଲ, ଆୟାରଙ୍କ ଅର୍ଦ୍ଧଶତକ: ସହଜରେ ଇଂଲଣ୍ଡକୁ ହରାଇଲା ଭାରତ

ନାଗପୁର: ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୪ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ୧-୦ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି । ଶୁଭମନ ଗିଲ, ଶ୍ରେୟାଶ ଆୟାର ଓ ଅକ୍ଷର ପଟେଲ ଅର୍ଦ୍ଧଶତକ ହାସଲ କରି ଭାରତ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୪୭.୪ ଓଭରରେ ୨୪୮ ରନ କରି ଅଲଆଉଟ ହୋଇ ଯାଇଥିଲା । ଫିଲ ସଲ୍ଟ ୪୩, ବେନ ଡକେଟ ୩୨, ଜୋସ ବଟଲର ୫୨ ଓ ଜାକବ ବେଥେଲ ୫୧ ରନର ଇନିଂସ ଖେଳିଥିଲେ । ଭାରତୀୟ ବୋଲରଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ଯୋଗୁ ଇଂଲଣ୍ଡ ବଡ ସ୍କୋର କରିପାରି ନ ଥିଲା ।

ହର୍ଷିତ ରାଣା ଓ ରବୀନ୍ଦ୍ର ଜାଡେଜା ୩ଟି ଲେଖାଏଁ ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ସାମୀ, ଅକ୍ଷର ପଟେଲ ଓ କୂଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ । ଜବାବରେ ୨୪୯ ରନର ବିଜୟ ଲକ୍ଷ୍ୟକୁ ଭାରତ ୩୮.୪ ଓଭରରେ ୬ ୱିକେଟ ହରାଇ ହାସଲ କରି ନେଇଥିଲା ।

ଯଶସ୍ୱୀ ଜୈସୱାଲ ୧୫ ଓ ଅଧିନାୟକ ରୋହିତ ଶର୍ମା ୨ ରନରେ ଆଉଟ ହେବା ପରେ ଶୁଭମନ ଗିଲ ଓ ଶ୍ରେୟାଶ ଆୟାର ଇନିଂସ ସମ୍ଭାଳିଥିଲେ । ସେମାନେ ତୃତୀୟ ୱିକେଟରେ ୯୪ ରନ ଯୋଗ କରିଥିଲେ । ଆୟାର ୫୯ ରନ କରି ଆଉଟ ହୋଇଥିଲେ । ଏହା ପରେ ଗିଲ ଏବଂ ଅକ୍ଷର ପଟେଲ ଭାରତକୁ ସୁବିଧାଜନକ ସ୍ଥିତିରେ ପଂହଚାଇ ଦେଇଥିଲେ । ଗିଲ ୮୭ ଓ ପଟେଲ ୫୨ ରନ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୯ ଓ ରବୀନ୍ଦ୍ର ଜାଡେଜା ୧୨ ରନ କରି ଅପରାଜିତ ରହିଥିଲେ । ଇଂଲଣ୍ଡ ପକ୍ଷରୁ ସାକିବ ମେହମୁଦ ଓ ଅଡିଲ ରଶିଦ ୨ଟି ଲେଖାଏଁ ୱିକେଟ ନେଇଥିଲେ । ହର୍ଷିତ ରାଣା ଓ ଯଶସ୍ୱୀ ଜୈସୱାଲ ଏହି ମ୍ୟାଚ ମାଧ୍ୟମରେ ଆନ୍ତର୍ଜାତୀୟ ଦିିନିକିଆରେ ପଦାର୍ପଣ କରିଥିଲେ ।

Comments are closed.