ପୁଣେ : ପୁଣେରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ ମ୍ୟାଚକୁ ୬୬ ରନରେ ଜିତି ନେଲା ବିରାଟ ବାହିନୀ । ଶିଖର ଧାଓ୍ବନ ଓ କୃଣାଲ ପାଣ୍ଡ୍ୟାଙ୍କ ଧୂଆଁଧାର ବ୍ୟାଟିଂ ପରେ ବୋଲରଙ୍କ ଘାତକ ବୋଲିଂରେ ଚିତପଟାଙ୍ଗ ମାରିଛି ଇଂଲିଶ ଟିମ୍ । ଫଳରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ ।
ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ଆରମ୍ଭରୁ ଧୌର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରିଥିଲା । ଶିଖର ଧାଓ୍ବନ ଓ ରୋହିତ ଶର୍ମା ଦୃଢ଼ତାର ସହ ବ୍ୟାଟିଂ କରିଥିଲେ । କିନ୍ତୁ ୬୪ ରନରେ ଦଳ ହରାଇଥିଲା ରୋହିତ ଶର୍ମାଙ୍କ ଓ୍ବିକେଟ । ରୋହିତ ୨୮ ରନ କରି ଷ୍ଟୋକ୍ସଙ୍କ ବଲରେ ଆଉଟ ହୋଇଥିଲେ । ପରେ ଧାଓ୍ବନଙ୍କ ସାଥ୍ ଦେବାକୁ ମଇଦାନକୁ ଆସିଥିଲେ ଅଧିନାୟକ ବିରାଟ କୋହଲି । ଦୁହେଁ ଇଂଲଣ୍ଡ ବୋଲରଙ୍କୁ କଡ଼ା ମୁକାବିଲା କରି ଅର୍ଦ୍ଧଶତକ ହାସଲ କରିଥିଲେ । କୋହଲି ୬୦ ବଲରୁ ୫୬ ରନ କରି ଆଉଟ୍ ହୋଇଥିଲେ । ହେଲେ ଶତକ ଲକ୍ଷ୍ୟରେ ବ୍ୟାଟିଂ କରି ଚାଲିଥିବା ଶିଖର ଧାଓ୍ବନ ମାତ୍ର ରନ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ । ସେ ୯୮ ରନ କରି ପ୍ୟାଭିଲିୟନକୁ ଫେରିଥିଲେ । ଏହି ତିନି ବ୍ୟାଟସମ୍ୟାନ ଆଉଟ ହେବା ପରେ କେ.ଏଲ ରାହୁଲ ଓ କୃଣାଲ ପାଣ୍ଡ୍ୟା କରିଥିଲେ ବିସ୍ଫୋରକ ବ୍ୟାଟିଂ । ଉଭୟ ଇଂଲଣ୍ଡ ବୋଲରଙ୍କ ପ୍ରତ୍ୟେକ ବଲକୁ କଡ଼ା ପ୍ରହାର କରି ହାସଲ କରିଥିଲେ ଅର୍ଦ୍ଧଶତକ । ରାହୁଲ ୪୩ ବଲରୁ ୬୨ ରନ କରିଥିବା ବେଳେ, କୃଣାଲ ପାଣ୍ଡ୍ୟା ୩୧ ବଲରୁ ୫୮ ରନ ହାସଲ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ ହରାଇ ୩୧୭ ରନ କରିଥିଲା ।
ଜବାବରେ ୩୧୮ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ଇଂଲଣ୍ଡ ଆରମ୍ଭରୁ କଡ଼ା ମୁକାବିଲା କରିଥିଲା । ଜେସନ ରୟ ଓ ଜନି ବେୟାରଷ୍ଟୋ ଭଲ ବ୍ୟାଟିଂ କରିଥିଲେ । ହେଲେ ୧୩୫ ରନରେ ଇଂଲଣ୍ଡ ହରାଇଥିଲା ତାର ପ୍ରଥମ ଓ୍ବିକେଟ । ଜେସନ ରୟ ୪୬ ରନ କରି ଆଉଟ ହୋଇଥିବା ବେଳେ, ବେୟାରଷ୍ଟୋ ୯୪ ରନ କରିଥିଲେ । ଏହି ଦୁଇ ବ୍ୟାଟସମ୍ୟାନଙ୍କ ବ୍ୟତିତ ଇଂଲଣ୍ଡର ବାକି ବ୍ୟାଟସମ୍ୟାନ ଭାରତୀୟ ବୋଲରଙ୍କୁ ମୁକାବିଲା କରିପାରିନଥିଲେ । ଫଳରେ ଦଳ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇବା ସହ ୨୫୧ ରନରେ ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ପ୍ରସିଦ୍ଧି କ୍ରିଷ୍ଣା ସର୍ବାଧିକ ୪ଟି ଓ୍ବିକେଟ ନେଇଥିବା ବେଳେ, ଶାର୍ଦ୍ଦୁଳ ଠାକୁର ୩ଟି ଓ ଭୁବନେଶ୍ବର କୁମାର ୨ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଦମଦାର ବ୍ୟାଟିଂ ପାଇଁ ଶିଖର ଧାଓ୍ବନଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା । ଆସନ୍ତା ୨୬ ତାରିଖରେ ଦ୍ବିତୀୟ ମ୍ୟାଚ୍ ଖେଳାଯିବ ।
Comments are closed.