Latest Odisha News

ବାଂଲାଦେଶକୁ ୮୬ ରନରେ ହରାଇ ଆଗୁଆ ସିରିଜ ଜିତି ନେଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ:ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚରେ ଭାରତ ୮୬ ରନରେ ବାଂଲାଦେଶକୁ ପରାସ୍ତ କରି ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତିନେଇଛି । ଭାରତ ପ୍ରଦତ ୨୨୨ ରନର ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୯ ୱିକେଟ ବିନିମୟରେ ୧୩୫ ରନ କରିବାକୁ ସକ୍ଷମ ହୋଇଥିଲା । ରିଙ୍କୁ ସିଂ ଓ ନୀତିଶ କୁମାର ରେଡ୍ଡୀଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରଙ୍କ ଉଚିତ ବୋଲିଂ ଯୋଗୁ ଭାରତ ସହଜରେ ମ୍ୟାଚକୁ ଜିତି ନେଇଥିଲା । ମହମ୍ମୁଦାଲ୍ଲା ବାଂଲାଦେଶ ପକ୍ଷରୁ ସର୍ବାଧିକ ୪୧ ରନ କରିଥିଲେ । ନୀତିଶ ଓ ବରୁଣ ଚକ୍ରବର୍ତି ୨ଟି ଲେଖାଏଁ ୱିକେଟ ନେଇଥିଲେ ।

ଭାରତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ବିନିମୟରେ ୨୨୧ ରନ କରିଥିଲା । ଭାରତ ୪୧ ରନରେ ୩ଟି ୱିକେଟ ହରାଇ ଖରାପ ଆରମ୍ଭ କରିଥିଲା । ଏହା ପରେ ନୀତିଶ ରେଡ୍ଡୀ ଓ ରିଙ୍କୁ ସିଂ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ଭାରତର ସ୍କୋର ୨୦୦ ଉପରକୁ ନେଇଥିଲେ । ନୀତିଶ ୩୪ ବଲରେ ୭ ଛକା ଓ ୪ ଚୌକା ସହାୟତାରେ ୭୪ ଓ ରିଙ୍କୁ ୨୯ ବଲରେ ୫ ଚୌକା ଓ ୩ଛକା ବଳରେ ୫୩ ରନ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୧୯ ବଲରୁ ଦ୍ରୁତ ୩୨ ରନ ହାସଲ କରିଥିଲେ । ରିଶଦ ହୋସେନ ୩ଟି ୱିକେଟ ନେଇଥିଲେ ।

Leave A Reply

Your email address will not be published.