ଆମେରିକାରେ ପୁଣି ମୂଳ ଭାରତୀୟଙ୍କ ପ୍ରଭାବ; ପ୍ରତିରକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ପଦବିରେ ନିଯୁକ୍ତ ହେଲେ ରବି ଚୌଧୁରୀ
ୱାଶିଂଟନ ଡିସି: ଆମେରିକାରେ ପୁଣି ଜଣେ ଭାରତୀୟଙ୍କ ପ୍ରଭାବ। ଦେଶର ପ୍ରତିରକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ପଦରେ ନିଯୁକ୍ତ ହେଲେ ଭାରତୀୟ ଆମେରିକୀୟ ରବି ଚୌଧୁରୀ। ତାଙ୍କୁ ଆମେରିକା ବାୟୁ ସେନାର ଆସିଷ୍ଟାଣ୍ଟ ସେକ୍ରେଟାରୀ ଭାବେ ନିଯୁକ୍ତ କରିଛି ଆମେରିକା ସିନେଟ। ଏହି ପଦବିରେ ରବିଙ୍କ ନିଯୁକ୍ତି ନେଇ ସିନେଟ୍ରେ ତାଙ୍କ ସମର୍ଥନରେ ୬୫ଟି ଭୋଟ ପଡ଼ିଥିଲା।
ରବି ଆମେରିକାର ବାୟୁସେନାରେ ଜଣେ ଦକ୍ଷ ଅଫିସର। ଏବେ ତାଙ୍କୁ ଏହାର ଆସିଷ୍ଟାଣ୍ଟ ସେକ୍ରେଟାରୀ ନିଯୁକ୍ତି ମିଳିଛି। ଏହା ପୂର୍ବରୁ ରବି ଆମେରିକା ମହାକାଶ ପରିବହନ ବିଭାଗରେ ଏକ ବରିଷ୍ଠ କାର୍ଯ୍ୟକର୍ତ୍ତା ଭାବେ ଦାୟିତ୍ୱ ତୁଲାଇଛନ୍ତି। ସେଠାରେ ରବି ଫେଡେରାଲ ଏଭିଏଶନ ଆଡମିନିଷ୍ଟ୍ରେସନ(ଏଫ୍ଏଏ)ରେ ଆଡ୍ଭାନ୍ସ ପ୍ରୋଗ୍ରାମ ଓ ଇନୋଭେସନର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିସାରିଛନ୍ତି। ଏଫ୍ଏଏର ବାଣିଜ୍ୟିକ ମହାକାଶ ପରିବହନ ଅଭିଯାନରେ ହେଉଥିବା ସମସ୍ତ କାର୍ଯ୍ୟ, ଓ ବିକାଶ ଓ ଗବେଷଣାରେ ରବି ଗୁରୁ ଦାୟିତ୍ୱ ନର୍ବାହ କରିଥିଲେ।
ଏଥିସହିତ ରବି ଆମେରିକାର ରାଜ୍ୟ ଓ କେନ୍ଦ୍ର ପରିବହନ ବିଭାଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଛନ୍ତି। ୯ଟି ରାଜ୍ୟରେ ବେସାମରିକ ବିମାନଚଳାଚଳର ଅନେକ ଅଭିଯାନକୁ ସୁଚାରୁରୂପେ ସମ୍ପାଦନ କରିଛନ୍ତି। ୧୯୯୩ରୁ ୨୦୧୫ ପର୍ଯ୍ୟନ୍ତ ଆମେରିକା ବାୟୁସେନାର ତାଙ୍କର କାର୍ଯ୍ୟକାଳ ଭିତରେ ବିଭିନ୍ନ ଅପରେସନ, ଇଞ୍ଜିନିୟରିଂ ଏବଂ ବରିଷ୍ଠ କର୍ମୀଙ୍କ କାର୍ଯ୍ୟ ସମ୍ପାଦନ କରିଛନ୍ତି।
ସି-୧୭ ପାଇଲଟ୍ ହିସାବରେ ବିଶ୍ୱସ୍ତରରେ ଅନେକ ସୈନ୍ୟ ଅପରେସନରେ ରବି କାର୍ଯ୍ୟ କରିଛନ୍ତି। ଆଫଗାନିସ୍ତାନ ଓ ଇରାକ ସହ ଅନେକ ଯୁଦ୍ଧ ଅଭିଯାନରେ ଭାଗ ନେଇଛନ୍ତି। ସେହିପରି ଫ୍ଲାଇଟ୍ ଟେଷ୍ଟ ଇଞ୍ଜିନିୟର ଭାବରେ ସେନା ବିମାନ ସାର୍ଟିଫିକେସନ ତାଙ୍କ ଦାୟିତ୍ୱ ଥିଲା।
Comments are closed.