କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ପ୍ରତିଶ୍ରୁତି ୨୦୨୮ ଅକ୍ଟୋବର ୨୩ ସୁଦ୍ଧା ଆସିବ ସମ୍ପୂର୍ଣ୍ଣ ଭାରତୀୟ ସ୍ମାର୍ଟଫୋନ୍
ନୂଆଦିଲ୍ଲୀ: ବିଶ୍ୱ ସ୍ମାର୍ଟଫୋନ୍ ବଜାରରେ ଭାରତୀୟ ସାମ୍ରାଜ୍ୟ ବିସ୍ତାର ନେଇ ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି ଯେ, ଆଗାମୀ ୨୦୨୮ ମସିହା ଅକ୍ଟୋବର ୨୩ ତାରିଖ ସୁଦ୍ଧା ଭାରତରେ ସମ୍ପୂର୍ଣ୍ଣ ନିଜସ୍ୱ ଡିଜାଇନ୍, ନିର୍ମାଣ ଏବଂ ସ୍ୱଦେଶୀ ବ୍ରାଣ୍ଡ୍ରେ ପ୍ରସ୍ତୁତ ଅତ୍ୟାଧୁନିକ ସ୍ମାର୍ଟଫୋନ୍ ବଜାରକୁ ଆସିବ।
ବିଶ୍ୱର ବିଶାଳ ପ୍ରଯୁକ୍ତିବିଦ୍ୟା କମ୍ପାନୀଗୁଡ଼ିକୁ କଡ଼ା ଟକ୍କର ଦେବା ପାଇଁ ଭାରତ ନିଜର ପ୍ରସ୍ତୁତିକୁ ଅଧିକ ମଜଭୁତ କରୁଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ, ମାତ୍ର କିଛି ବର୍ଷ ପୂର୍ବରୁ ଭାରତୀୟ ଇଞ୍ଜିନିୟର ଓ ଡିଜାଇନରମାନଙ୍କୁ ମୋବାଇଲର ଜଟିଳ ମଦରବୋର୍ଡ ଡିଜାଇନ୍ କରିବା ପାଇଁ ଏକ ବଡ଼ ଆହ୍ୱାନ ଦିଆଯାଇଥିଲା, ଯାହା ଆଜି ସଫଳତାର ସହ ସାକାର ହୋଇପାରିଛି।
ଗତ ୧୨ ବର୍ଷ ମଧ୍ୟରେ ଦେଶର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ବିପ୍ଳବାତ୍ମକ ପରିବର୍ତ୍ତନ ଆସିଛି। ପୂର୍ବକାଳରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବାହାରକୁ ରପ୍ତାନି କରିବା ଅସମ୍ଭବ ମନେହେଉଥିବା ବେଳେ, ବର୍ତ୍ତମାନ ଏହା ଭାରତର ତୃତୀୟ ବୃହତ୍ତମ ରପ୍ତାନି ସାମଗ୍ରୀ ପାଲଟିଛି ଏବଂ ଆଗାମୀ ଦିନରେ ଏହା ଦ୍ୱିତୀୟ ସ୍ଥାନ ଅଧିକାର କରିବ। ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭର ଭାରତ’ ଅଭିଯାନ ବଳରେ ସ୍ୱଦେଶୀ ଜ୍ଞାନକୌଶଳର ବ୍ୟବହାର ବୃଦ୍ଧି ପାଉଛି, ଯାହା ଦ୍ୱାରା ଭାରତୀୟ ନିର୍ମାତାମାନେ ବିଶ୍ୱ ଦରବାରରେ ଏକ ନୂତନ ପରିଚୟ ସୃଷ୍ଟି କରିବାରେ ସଫଳ ହେଉଛନ୍ତି।
ଏହି ସମିଟ୍ରେ କୃତ୍ରିମ ବୁଦ୍ଧିମତ୍ତା ସମ୍ପର୍କରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଏଆଇର ଅଗ୍ରଗତି ସର୍ବଦା ମାନବ କେନ୍ଦ୍ରିକ, ସ୍ୱଚ୍ଛ ଓ ସୁରକ୍ଷିତ ହେବା ଉଚିତ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।

