Latest Odisha News

ବିଦେଶରେ ଜାତିଭେଦର ଶିକାର ହେଉଛନ୍ତି ଭାରତୀୟ ଡାକ୍ତର

ଲଣ୍ଡନ: ବ୍ରିଟେନରେ ଅଧିକାଂଶ ଭାରତୀୟ ଡାକ୍ତର ଜାତିଭେଦର ସମ୍ମୁଖୀନ ହେଉଛନ୍ତି । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ପ୍ରାୟ ୪୦ପ୍ରତିଶତ ଭାରତୀୟ ଡାକ୍ତର ନିଜ ସହକର୍ମୀଙ୍କ ସହ ରୋଗୀଙ୍କ ଦ୍ୱାରା ଏପରି ବ୍ୟବହାରର ଶିକାର ହୋଇଛନ୍ତି । ଏହାଛଡା ସହକର୍ମୀ ସେମାନଙ୍କ ବିରୋଧରେ ମିଛ ଅଭିଯୋଗ ଆଣିବା ସହ ଓ ଡାକ୍ତରମାନେ ଆକ୍ରମଣର ଶିକାର ମଧ୍ୟ ହେଉଛନ୍ତି । ଏପରିକି ରୋଗୀମାନେ ଭାରତୀୟ ଡାକ୍ତରଙ୍କ ଦ୍ୱାରା ଚିକିତ୍ସିତ ହେବାକୁ ସିଧା ମନା କରିଦେଉଛନ୍ତି ।

ନିକଟରେ ବିଦେଶରେ ପ୍ରିଶିକ୍ଷିତ ହୋଇଥିବା ୨୦୦୦ରୁ ଅଧିକ ଭାରତୀୟ ଡାକ୍ତରଙ୍କୁ ନେଇ ଅଧ୍ୟୟନ କରାଯାଇଥିଲା । ଅଧ୍ୟୟନ ମୁତାବକ କର୍ମକ୍ଷେତ୍ରରେ ଏପରି ଘଟଣା ନିତିଦିନିଆ ହୋଇଗଲାଣି । ଏନେଇ ଭାରତୀୟ ଉଚ୍ଚ ଆୟୋଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ଘଟଣାକୁ ଖୁବ ଗମ୍ଭୀରତାର ସହ ନିଆଯାଉଛି । ଏହାକୁ ଆମେ ଏନଏଚଏସର ସର୍ବୋଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବୁ । ଏହାକୁ ରୋକିବା ପାଇଁ ନିୟମ ପ୍ରଣୟନ କରାଯିବ ।

ଏନଏଚଏସରେ କାର୍ଯ୍ୟରତ ୧ଲକ୍ଷ ୨୩ହଜାର ଡାକ୍ତରଙ୍କ ମଧ୍ୟରୁ ପ୍ରାୟ ୪୦ପ୍ରତିଶତ ଭାରତ ଓ ଅନ୍ୟ ଦେଶର । ରିପୋର୍ଟ ମୁତାବିକ ପୀଡିତ ଡାକ୍ତରଙ୍କ ମଧ୍ୟରୁ ୭୦ପ୍ରତିଶତ ଏନେଇ ଅଭିଯୋଗ କରୁନାହାନ୍ତି । କାରଣ ଏହିପରି ବ୍ୟବହାର ନେଇ ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ ।
ବ୍ରିଟିଶ ମେଡିକାଲ ଆସୋସିଏସନ କାଉନସିଲର ଅଧ୍ୟକ୍ଷ ଡାକ୍ତର ଚନ୍ଦ ନାଗପାଲଙ୍କ ମତରେ ଏନଏଚଏସ ନିଜେ ଏହି ଜାତିଭେଦର ଶିକାର ହୋଇଛି । ତେବେ ଏନଏଚଏସ ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇଛି। ବ୍ରିଟେନରେ ପ୍ରାୟ ୩୫ହଜାରୁ ଅଧିକ ଭାରତୀୟ ଡାକ୍ତର ଓ ନର୍ସ କାର୍ଯ୍ୟରତ ଅଛନ୍ତି , ଯାହାକି ବିଦେଶରେ କାର୍ଯ୍ୟକରୁଥିବା ସଂଖ୍ୟାର ସର୍ବାଧିକ ।

 

Comments are closed.