Latest Odisha News

ଫେରିଛି ହକି ଯୁଗ

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଟିମର ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ଅଳ୍ପକେ ସେମିଫାଇନାଲରୁ ହାରିଯିବା ଅବଶ୍ୟ ଟିମ ଇଣ୍ଡିଆକୁ ସ୍ୱର୍ଣ୍ଣ ପଦକ ହାସଲରେ ବାଧକ ସୃଷ୍ଟି କରିଥିଲା । ମନପ୍ରୀତ ସିଂଙ୍କ ନେତୃତ୍ୱରେ ଭାରତ ସ୍ପେନକୁ ହରାଇ ବ୍ରୋଞ୍ଜ ପଦକ ଜିତିଛି । ୫୨ ବର୍ଷ ପରେ ଟିମ ଇଣ୍ଡିଆ କ୍ରମାଗତ ୨ଟି ଅଲିମ୍ପିକ୍ସରେ ପଦକ ଜିତିଛି । ୧୯୬୮ ଓ ୭୨ରେ ଏହି ସଫଳତା ହାସଲ କରିଥିଲେ । ଏହା ସତ୍ୱେ ୪୪ ବର୍ଷ ପରେ ବି ଆମେ ସ୍ୱର୍ଣ୍ଣ ପଦକଠାରୁ ଦୂରରେ ରହିଛି । ଦୀର୍ଘ ବର୍ଷ ପରେ ଭାରତୀୟ ହକି ଟ୍ରାକକୁ ଫେରିଛି । ଅନ୍ୟ ଅର୍ଥରେ ଭାରତରେ ପୂନର୍ବାର ହକି ଯୁଗ ଆରମ୍ଭ ହୋଇଛି ।

ଟୋକିଓ ଅଲିମ୍ପିକ୍ସରେ ଭାରତ ୫-୪ରେ ଜର୍ମାନୀକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଥିଲା । ୧୯୮୦ ମସ୍କୋ ଅଲିମ୍ପିକ୍ସ ଗେମ୍ସ ପରେ ଭାରତ ସ୍ୱର୍ଣ୍ଣ ଜିିତିନି । ପଦକର ରଙ୍ଗ ବଦଳାଇବାକୁ ଟିମ ଇଣ୍ଡିଆ ଯଥାସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ । ଗ୍ରୁପ ଷ୍ଟେଜରେ ଭାରତ ୫ରୁ ୩ଟି ମ୍ୟାଚ ଜିତି ଦ୍ୱିତୀୟ ସ୍ଥାନରେ ରହିଥିଲା । ଗୋଟିଏ ମ୍ୟାଚ ଡ୍ର ରହିଥିବା ବେଳେ ବେଲଜିୟମଠାରୁ ପରାଜିତ ହୋଇଥିଲା । କ୍ୱାର୍ଟର ଫାଇନାଲରେ ପିଆର ଶ୍ରୀଜେଶଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ସେମିରେ ପ୍ରବେଶ କରିଥିଲା । ସେମିରେ ଜର୍ମାନୀ ବାଧା ଟିମ ଇଣ୍ଡିଆ ଅତିକ୍ରମ କରିପାରି ନ ଥିଲା ।

୧୯୨୮ରେ ଭାରତୀୟ ହକିର ସ୍ୱର୍ଣ୍ଣିମ ଯୁଗ ଆରମ୍ଭ ହୋଇଥିଲା । ଆର୍ମଷ୍ଟର୍ଡମ ଅଲିମ୍ପିକ୍ସରେ ମେଜର ଧ୍ୟାନଚାନ୍ଦଙ୍କ ନେତୃତ୍ୱରେ ଗୋଟିଏ ଗୋଲ ନ ଖାଇ ୨୯ ଗୋଲ ସ୍କୋର କରି ଭାରତ ସ୍ୱର୍ଣ୍ଣ ଜିତିଥିଲା । ୧୯୩୨ ଲସଆଞ୍ଜେଲ୍ସ ଗେମ୍ସରେ ଏହି ଧାରା ବଜାୟ ରହିଥିଲା । ୧୯୩୬ ବର୍ଲିନ ଗେମ୍ସରେ ଭାରତ ହ୍ୟାଟ୍ରିକ ସ୍ୱର୍ଣ୍ଣ ଅର୍ଜନ କରି ଇତିହାସ ସୃଷ୍ଟି କରିଥିଲା । ୧୯୪୦ ଓ ୧୯୪୪ ଗେମ୍ସ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁ ବନ୍ଦ ରହିଥିଲା । ସ୍ୱାଧୀନତା ହାସଲ କରିବା ପରେ ଭାରତ ୧୯୪୮ରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲା । ୧୯୫୨ ଓ ୧୯୫୬ରେ ବିଜୟୀ ଯାତ୍ରା ବଳବତର ରହିଥିଲା । କ୍ରମାଗତ ୬ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଭାରତ କୀର୍ତିମାନ ସ୍ଥାପନ କରିଥିଲା । ଯାହା ଏବେ ବି ଅତୁଟ ରହିଛି ।

୧୯୬୦ ରୋମ ଗେମ୍ସରେ ଭାରତ ୦-୧ ଗୋଲରେ ପାକିସ୍ତାନଠାରୁ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଥିଲା । ୧୯୬୪ରେ ଭାରତ ଏହାର ମଧୂର ପ୍ରତିଶୋଧ ନେଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାଜିତ କରି ସ୍ୱର୍ଣ୍ଣ ପଦକ ଜିତିଥିଲା । ୧୯୬୮ରେ ଭାରତ ମେକ୍ସିକୋ ଗେମ୍ସରେ ସେମିଫାଇନାଲରୁ ବିଦାୟ ନେଇଥିଲା । ୧୯୭୨ରେ ମ୍ୟୁନିକରେ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା । ସେମିରେ ଭାରତକୁ ପାକିସ୍ତାନ ହରାଇଥିଲା ।

୧୯୭୬ରେ ନୈରାଶ୍ୟଜନକ ୭ମ ସ୍ଥାନରେ ରହିଥିଲା ଟିମ ଇଣ୍ଡିଆ । ୧୯୮୦ରେ ମସ୍କୋରେ ଭାରତ ପୂନର୍ବାର ସ୍ୱର୍ଣ୍ଣ ଧାରାକୁ ଫେରିଥିଲା । ଏହା ପରେ ଭାରତୀୟ ହକିରେ କଳା ବାଦଲ ଖେଳାଇ ଯାଇଥିଲା । ୨୦୨୧ରେ ୪୧ ବର୍ଷ ପରେ ଭାରତ ବ୍ରୋଞ୍ଜ ପଦକ ଜିିତ ନୂଆ ଯୁଗର ଆରମ୍ଭ କରିଥିଲା । ଏଥର ଏହାକୁ ବଜାୟ ରଖିବା କମ ସଫଳତା ନୁହେଁ । ଭାରତରେ ହକି ଯୁଗ ଫେରିଛି । ପଦକ ସଫଳତା ନିଶ୍ଚିତ ଭାବେ ଆଗାମୀ ଦିନରେ ଭାରତର ଯୁବ ପିଢ଼ୀ ନୂଆ ଅଧ୍ୟାୟ ସୃଷ୍ଟି କରାଇବାରେ ପ୍ରେରଣା ଯୋଗାଇବ ।

Comments are closed.