ନୂଆଦିଲ୍ଲୀ: ଆରମ୍ଭ ହେଲା ବେଆଇନ ଭାରତୀୟଙ୍କୁ ଆମେରିକାରୁ ତଡ଼ିବା ପ୍ରକ୍ରିୟା । ପ୍ରଥମ ପର୍ଯ୍ୟାୟରେ ୨୦୫ ଜଣ ଭାରତୀୟଙ୍କୁ ଆମେରିକାରୁ ତଡ଼ାଯାଇଛି । ସ୍ବତନ୍ତ୍ର ସାମରିକ ବିମାନରେ ସେମାନଙ୍କୁ ଭାରତ ପଠାଇ ଦିଆଯାଇଛି । ଟେକ୍ସାସରୁ ଆମେରିକା ସେନାର C-17 ଏୟାରକ୍ରାଫ୍ଟରେ ଏହି ଲୋକମାନଙ୍କୁ ଭାରତ ପଠାଇ ଦେଇଛି ଟ୍ରମ୍ପ ପ୍ରଶାସନ । ସମସ୍ତଙ୍କ ନାଗରିକତା ଏବଂ ପରିଚୟ ଯାଞ୍ଚ ନିଶ୍ଚିତ ହେବା ପରେ ସ୍ବଦେଶ ଫେରିଛନ୍ତି ୨୦୫ ଜଣ ଭାରତୀୟ ।
ବିନା କାଗଜପତ୍ରରେ ବେଆଇନ ଭାବେ ଏମାନେ ଆମେରିକାରେ ପଶିଥିଲେ । ସେଠାରେ ରହିଥିଲେ । କିନ୍ତୁ ଏବେ ସେମାନଙ୍କୁ ଆମେରିକାରୁ ତଡ଼ି ଦିଆଯାଇଛି । ରାଷ୍ଟ୍ରପତିଙ୍କ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଆମେରିକାରେ ବୋଇନ ଭାବେ ଥିବା ଅନ୍ୟ ଦେଶର ନାଗରିକଙ୍କୁ ଖୋଜି ଖୋଜି ତଡ଼ାଯାଉଛି । ପୂର୍ବରୁ ବ୍ରାଜିଲ, କଲମ୍ବିଆ ଏବଂ ଗୁଏତମାଲା ନାଗରିକଙ୍କୁ ସେମାନଙ୍କ ଦେଶକୁ ଠିକ ଏମିତି ହାତ, ଗୋଡ଼ ଓ ଅଣ୍ଟାରେ ବେଡ଼ି ପକାଇ ପଠାଇ ଥିଲା ଆମେରିକା । ଆଉ ଏବେ ଭାରତ ସହ ପେରୁ ଓ ହଣ୍ଡୁରାସ୍ ଏବଂ ଗୁଏତମାଲାକୁ ଦ୍ବିତୀୟ ପର୍ଯ୍ୟାୟ ବେଆଇନ ନାଗରିକଙ୍କୁ ପଠାଯାଇଛି । ଭାରତକୁ ଫେରୁଥିବା ୨୦୫ ଜଣଙ୍କ ପରିଚୟ ନିଶ୍ଚିତ ହୋଇଛି । ଯାହା ସ୍ପଷ୍ଟ କରି ଦେଇଛି ଯେ, ବୋଇନ ଭାବେ ଆମେରିକାରେ ଥିବା ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବାକୁ ୱାସିଂଟନ୍ ସହ ନୂଆଦିଲ୍ଲୀ ସହଯୋଗ କରିଛି ।
ଆସନ୍ତା ସପ୍ତାହରେ ଆମେରିକା ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡୋନାଲ୍ଡ ଟ୍ରମ୍ପ, ଦ୍ବିତୀୟ ଥର ପାଇଁ ରାଷ୍ଟ୍ରପତି ହେବା ପରେ ଏହା ମୋଦିଙ୍କ ପ୍ରଥମ ଆମେରିକା ଗସ୍ତ । କିନ୍ତୁ ତା ପୂର୍ବରୁ ବେଆଇନ ଭାରତୀୟ ଏପିସୋଡ୍ର ପ୍ରଥମ ପୃଷ୍ଠା ଖୋଲିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ୧୮ ହଜାର ଭାରତୀୟ ବେଆଇନ ଭାବେ ଆମେରିକାରେ ରହିଥିବା ଜଣାପଡ଼ିଛି । ପର୍ଯ୍ୟାୟକ୍ରମେ ସେମାନଙ୍କୁ ମଧ୍ୟ ଭାରତ ପଠାଇବ ୱାସିଂଟନ୍ । ଟ୍ରମ୍ପଙ୍କ ଶପଥ ସମାରୋହକୁ ଯାଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, ତାଙ୍କ ପ୍ରତିପକ୍ଷ ମାକ୍ରୋ ରୁବିଓଙ୍କ ସହ ପ୍ରଥମ ସାକ୍ଷାତରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା । ଯେଉଁଠି ପ୍ରଥମ ଥର ପାଇଁ ବେଆଇନ ଭାରତୀୟଙ୍କ ପ୍ରସଙ୍ଗରେ ମୁହଁ ଖୋଲିଥିଲେ ଜୟଶଙ୍କର ।
Comments are closed.