Latest Odisha News

ଅଷ୍ଟ୍ରେଲିଆ ପୋଲିସର ଗୁଳିମାଡରେ ଭାରତୀୟ ଯୁବକଙ୍କ ମୃତ୍ୟୁ

ସିଡନୀ: ଅଷ୍ଟ୍ରେଲିଆ ପୋଲିସର ଗୁଳିମାଡରେ ୩୨ ବର୍ଷୀୟ ଭାରତୀୟ ଯୁବକଙ୍କ ମୃତ୍ୟୁ । ମୃତକଙ୍କ ନାମ ମହମ୍ମଦ ରହମତୁଲ୍ଲା ସୟିଦ ଅହମ୍ମଦ ହୋଇଥିବାବେଳେ ସେ ତାମିଲନାଡୁର ବାସିନ୍ଦା । ଅଷ୍ଟ୍ରେଲିଆ ଗଣମାଧ୍ୟମର ରିପୋର୍ଟ ମୁତାବକ ଏହି ଯୁବକ ଜଣକ ସିଡନୀର ପଶ୍ଚିମ ଅବର୍ନ ଷ୍ଟେସନରେ ଜଣେ ସଫେଇ କର୍ମଚାରୀଙ୍କୁ ଛୁରାମାଡ଼ କରିଥିଲେ । ଏନେଇ ଜାଣିବାପରେ ତୁରନ୍ତ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଂଚିଥିଲେ । ତେବେ ଯୁବକଜଣକ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଧମକାଇଥିଲେ । ଏହାପରେ ପୋଲିସ କର୍ମଚାରୀ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ପୋଲିସ କର୍ମଚାରୀ ସମୁଦାୟ ତିନିଟି ଗୁଳି ଚଳାଇଥିବାବେଳେ ଦୁଇଟି ଗୁଳି ମହମ୍ମଦଙ୍କ ଛାତିରେ ବାଜିଥିଲା ।

ଏହାପରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ମହମ୍ମଦ ଅଷ୍ଟ୍ରେଲିଆରେ ବ୍ରିଜିଙ୍ଗ ଭିସା ମାଧ୍ୟମରେ ରହୁଥିଲେ । ଏନେଇ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା । ଏହି ପ୍ରସଙ୍ଗରେ ଅଷ୍ଟ୍ରେଲିଆ ବୈଦେଶିକ ଓ ବାଣିଜ୍ୟ ବିଭାଗ ସହ ଆଲୋଚନା କରାଯାଇଛି । ଅନ୍ୟପଟେ ମହମ୍ମଦଙ୍କ ମାନସିକ ଅବସ୍ଥା କିଭଳି ଥିଲା ଓ କାହିଁକି ସେ ସଫେଇ କର୍ମଚାରୀଙ୍କୁ ଆକ୍ରମଣ କଲେ ସେନେଇ ପୋଲିସ ତଦନ୍ତ କରୁଛି ।

Comments are closed.