Latest Odisha News

BREAKING NEWS

ଆମେରିକାରେ ଭାରତୀୟ ଛାତ୍ରଙ୍କୁ ଗୁଳି ମାଡ

ନୂଆଦିଲ୍ଲୀ: ଆମେରିକାର ଡାଲାସରେ ରହୁଥିବା ଜଣେ ୨୭ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ ହାଇଦ୍ରାବାଦର ଚନ୍ଦ୍ରଶେଖର ପୋଲ ବୋଲି ଜଣାପଡ଼ିଛି।

ତେବେ ସେ ଶୁକ୍ରବାର ରାତିରେ ଏକ ପେଟ୍ରୋଲ ପମ୍ପରେ କାମ କରୁଥିବା ସମୟରେ ଜଣେ ଅଜ୍ଞାତ ବନ୍ଧୁକଧାରୀ ବ୍ୟକ୍ତି ତାଙ୍କୁ ହତ୍ୟା କରିଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି।ଏହି ଦୁଃଖଦ ସମୟରେ ତାଙ୍କ ମୃତଦେହକୁ ଆମେରିକାରୁ ଫେରାଇ ଆଣିବାରେ ସାହାଯ୍ୟ କରିବାକୁ ତାଙ୍କ ପରିବାର ବର୍ଗ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଚନ୍ଦ୍ରଶେଖର ହାଇଦ୍ରାବାଦରେ ଡେଣ୍ଟାଲ୍ ସର୍ଜରୀରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଉଚ୍ଚଶିକ୍ଷା ପାଇଁ ୨୦୨୩ ମସିହାରେ ଆମେରିକା ଯାଇଥିଲେ। ତେବେ ସେ ଛଅ ମାସ ପୂର୍ବରୁ ଆମେରିକାରେ ତାଙ୍କର ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ଓ ପେଟ୍ରୋଲ ପମ୍ପରେ ପାର୍ଟ ଟାଇମ କାମ କରିବା ସହିତ ଚାକିରି ମଧ୍ୟ ଖୋଜୁଥିଲେ।

ତାଙ୍କ ମୃତ୍ୟୁରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଶୋକ ପ୍ରକାଶ କରିବା ସହ ମୃତଦେହ ଫେରାଇ ଆଣିବାରେ ସାହାଯ୍ୟ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି

ତେବେ ବିଆରଏସ ବିଧାୟକ ସୁଧୀର ରେଡ୍ଡୀ ଏବଂ ପୂର୍ବତନ ମନ୍ତ୍ରୀ ଟି ହରିଶ ରାଓ ହାଇଦ୍ରାବାଦରେ ଉକ୍ତ ଛାତ୍ରଙ୍କ ଘରକୁ ଯାଇ ପରିବାରକୁ ଭେଟିବା ସହ ସମବେଦନା ଜଣାଇଛନ୍ତି।

ଜାନୁଆରୀ ମାସର ଆରମ୍ଭରେ ତେଲେଙ୍ଗାନାର ଜଣେ ୨୬ ବର୍ଷୀୟ ଛାତ୍ରଙ୍କୁ ଆମେରିକାର କନେକ୍ଟିକଟରେ ଅଜ୍ଞାତ ବ୍ୟକ୍ତିମାନେ ଗୁଳି କରି ହତ୍ୟା କରିଥିଲେ।ସେହିପରି ଏହି ବର୍ଷ ଆରମ୍ଭରେ ହିଁ ଆମେରିକାରେ ଆଉ ଜଣେ ବ୍ୟକ୍ତି ମଧ୍ୟ ମୃତ ଅବସ୍ଥାରେ ମିଳିଥିଲା। ଯାହାକି ବର୍ତ୍ତମାନ ଆମେରିକାରେ ଭାରତୀୟ ମାନଙ୍କ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

 

Comments are closed.