Latest Odisha News

BREAKING NEWS

ଅସୁରକ୍ଷିତ ଆମେରିକା: ଆଉ ଜଣେ ଭାରତୀୟଙ୍କୁ ହତ୍ୟା

ନୂଆଦିଲ୍ଲୀ: ଆମେରିକାରେ ଭାରତୀୟ ନାଗରିକଙ୍କ ଉପରେ ଆକ୍ରମଣ ଥମିବାର ନାଁ ନେଉନି । ଗତ କିଛିଦିନ ଧରି ଆମେରିକାରେ ପ୍ରାୟ ୪ରୁ ଅଧିକ ଭାରତୀୟ ଛାତ୍ର ପ୍ରାଣ ହରାଇଲେଣି। ଏହାରି ଭିତରେ ଓ୍ୱାଶିଂଟନରେ ଆଉ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଆଲେକ୍ସଜାଣ୍ଡାରିଆର ୪୧ ବର୍ଷୀୟ ବିବେକ ତାନେଜା ।

ପୋଲିସ ରିପୋର୍ଟ ଅନୁସାରେ, ଗତ ୨ତାରିଖ ଦିନ ରାତି ୨ଟା ସମୟରେ ବିବେକଙ୍କୁ କିଛି ଯୁବକ ଆକ୍ରମଣ କରିଥିଲେ । ୧୫ଟିଥ ଷ୍ଟ୍ରିଟ ନର୍ଥଓ୍ବେଷ୍ଟର ୧୧୦୦ବ୍ଲକରେ ଭାରତୀୟ ଯୁବକଙ୍କୁ ଆକ୍ରମଣ ହୋଇଥିଲା । ଏନେଇ ସ୍ଥାନୀୟ ଅଧିକାରୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ହସ୍ପିଟାଲରେ ଚିକିତ୍ସା ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାର ଉନ୍ନତି ବଦଳରେ ଅବନତି ଦେଖାଯାଇଥିଲା । ଏହାପରେ ଗତ ୭ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ବିବେକ ।

ତେବେ ଓ୍ୱାଶିଂଟନ ଡିସିରେ ରହିଥିବା ମେଟ୍ରୋପଲିଟାନ ପୋଲିସ ସନ୍ଦିଗ୍ଧକୁ ଚିହ୍ନଟ କରିବାରେ ଜନସାଧାରଣଙ୍କର ସହାୟତା ଲୋଡିଛି । ଏହି ଅଘଟଣ ଘଟିବାର କିଛି ଦିନ ପୂର୍ବରୁ ବିବେକଙ୍କ ସହିତ ଜଣେ ସ୍ଥାନୀୟ ଯୁବକଙ୍କ ବଚସା ହୋଇଥିଲା । ଏହାର ସିସିଟିଭି ଫୁଟେଜ ପାଇଛି ପୋଲିସ। ତେବେ ରାଗରେ ସ୍ଥାନୀୟ ଯୁବକ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି । ହତ୍ୟାକାରୀ ବିଷୟରେ ସୂଚନା ପ୍ରଦାନ କଲେ ୨୫ ହଜାର ଆମେରିକୀୟ ଡଲାର ପ୍ରଦାନ କରାଯିବା ନେଇ ମେଟ୍ରୋପଲିଟାନ ପୋଲିସ ପକ୍ଷରୁ ଘୋଷଣା କରାଯାଇଛି ।

Leave A Reply

Your email address will not be published.