Latest Odisha News

BREAKING NEWS

ପୃଥିବୀ ଭଳି ଏଇ ଗ୍ରହରେ ଜୀବନ ସମ୍ଭବ !

ନୂଆଦିଲ୍ଲୀ: ଏଲିଅନ୍ସଙ୍କୁ ନେଇ ଗବେଷଣା କରୁଥିବା ବୈଜ୍ଞାନିକଙ୍କୁ ମିଳିଛି ବଡ଼ ସଫଳତା । ବ୍ରିଟେନର ବୈଜ୍ଞାନିକଙ୍କୁ ମହାକାଶରେ ଏକ ଗ୍ରହରେ ଏଲିଅନ୍ ରହୁଥିବା ନେଇ ସଙ୍କେତ ମିଳିଛି । କେଟୁ-୧୮ବି ନାମକ ଏକ ଗ୍ରହରେ ଜୀବନ ସହ ଜଡିତ ଗତିବିଧି ନେଇ ବଡ଼ ସଂକେତ ପାଇଛନ୍ତି କେମ୍ବ୍ରିଜ ବିଶ୍ବବିଦ୍ୟାଳୟର ଟପ୍ ବୈଜ୍ଞାନିକ । ଏହାକୁ ନେଇ ବୈଜ୍ଞାନିକ ୯୯ପ୍ରତିଶତରୁ ଅଧିକ ଆଶ୍ବସ୍ତ ରହିଥିବା ବେଳେ ଗବେଷଣା ଜାରି ରଖିଛନ୍ତି । ୧୨୦ ପ୍ରକାଶ ବର୍ଷ ଦୂରରେ ରହିଥିବା ଏହି ଗ୍ରହ ଆକାରରେ ପୃଥିବୀଠାରୁ ଆଠଗୁଣା ବଡ । ଏହାର ବ୍ୟାସ ପୃଥିବୀର ବ୍ୟାସଠାରୁ ଅଢେଇ ଗୁଣା ବଡ଼ ବୋଲି ଜଣାପଡିଛି।

ପୃଥିବୀ ଭଳି ଜୀବନ ସଂକେତ

କେଟୁ-୧୮ବି ନାମକ ଗ୍ରହର ବାୟୁମଣ୍ଡଳରେ ଡିଏମଏସ ନାମକ ଅଣୁର ସନ୍ଧାନ ମିଳିଛି । ପୃଥିବୀରେ ଏହି ଅଣୁକୁ ସମୁଦ୍ରରେ ରହୁଥିବା ଛୋଟ ଶୈବାଳ ବନାନ୍ତି । ଏମାନଙ୍କୁ ଖାଲି ଆଖିରେ ଦେଖିବା ସମ୍ଭବ ନୁହେଁ । ତେବେ ଅଧିକ ସଂଖ୍ୟାରେ ରହିଲେ ସେମାନଙ୍କୁ ପାଣି ଉପରେ ଏକ ପ୍ୟାଚ ଭାବେ ଦେଖାଯାଇ ପାରିବ । ସମାନ ପ୍ରକାରର ଜୀବନ ସେହି ଗ୍ରହରେ ବି ସମ୍ଭବ ହୋଇପାରେ । କାରଣ ଗ୍ରହରେ ଡିଏମଏସ ଅଣୁ ରହିଥିବା ଜଣାପଡିଛି । ଗ୍ରହରେ ଜୈବିକ ପ୍ରକ୍ରିୟା ନେଇ ସଙ୍କେତ ମିଳିଛି । ସୌରଜଗତ ବାହାରେ ଜୀବନ ସମ୍ଭାବନା ସନ୍ଧାନ ଦିଗରେ ଏହା ବଡ଼ ସଫଳତା ବୋଲି କେମ୍ବ୍ରିଜର ପ୍ରମୁଖ ବୈଜ୍ଞାନିକ ନିକ୍କୁ ମଧୁସୁଦନ କହିଛନ୍ତି ।

ଜେମ୍ସ ଓ୍ବେବ୍ ଟେଲିସ୍କୋପରେ ଅଧ୍ୟୟନ

ଜେମ୍ସ ଓ୍ବେବ୍ ଟେଲିସ୍କୋପରେ ମିଳିଥିବା ତଥ୍ୟକୁ ଅଧ୍ୟୟନ କରିଛନ୍ତି ବୈଜ୍ଞାନିକ। ଏହି ବିଶାଳ ଟେଲିସ୍କୋପକୁ ୨୦୨୧ରେ ଲଞ୍ଚ କରାଯାଇଥିଲା । ଗବେଷଣା ସମୟରେ ବୈଜ୍ଞାନିକମାନେ ସେହି ଗ୍ରହର ବାୟୁମଣ୍ଡଳରେ ଦୁଇଟି ଅଣୁର ସ୍ଥିତି ସଂପର୍କରେ ଜାଣିବାକୁ ପାଇଥିଲେ । ଡାଇମେଥିଲ ସଲଫାଇଡ୍ ବା ଡିଏମଏସ ଏବଂ ଡାଇମେଥିଲ ଡାଇସଲଫାଇଡ୍ ବା ଡିଏଡିଏସ୍ ନାମକ ଦୁଇ ଅଣୁ କେବଳ ସୁକ୍ଷ୍ମ ଜୀବଙ୍କ ଦ୍ବାରା ବନା ଯାଇପାରିବ । ତେଣୁ ଏହି ଦୁଇ ଅଣୁର କେଟୁ-୧୮ବି ଗ୍ରହରେ ଉପସ୍ଥିତି, ସେଠାରେ ଜୀବନର ସମ୍ଭାବନା ନେଇ ବଡ଼ ସଙ୍କେତ ଦେଇଛି ।

 ଗ୍ରହରେ ରହିଛି ମହାସାଗର !

ଗବେଷଣାରୁ ଗ୍ରହରେ ଏକ ମହାସାଗର ଓ ଘନ ହାଇଡ୍ରୋଜେନଯୁକ୍ତ ବାୟୁମଣ୍ଡଳ ଥିବା ନେଇ ସମ୍ଭାବନା ରହିଛି । ଯଦି ଗ୍ରହଟି ହାଇସିନ୍ ଦୁନିଆ ତେବେ ଏହା ମହାସାଗରରେ ଢାଙ୍କି ହୋଇ ରହିଥାଇପାରେ। ହାଇସିନ୍ ଶବ୍ଦ ହାଇଡ୍ରୋଜେନ୍ ଓ ମହାସାଗରକୁ  ମିଶାଇ କରାଯାଇଛି । ତେବେ ସେହି ଗ୍ରହରେ ମହାସାଗରର ତାପମାତ୍ରା କେତେ ରହିଥିବ, ସେନେଇ ସ୍ପଷ୍ଟ ତଥ୍ୟ ଜଣାପଡିନଥିବା ବୈଜ୍ଞାନିକ ନିକ୍କୁ ମଧୁସୁଦନ କହିଛନ୍ତି । ପୃଥିବୀଠାରୁ ଗ୍ରହରେ ତାପମାତ୍ରା ଅଧିକ ରହିଥିବା ଅନୁମାନ କରାଯାଉଛି । ଗ୍ରହଟି ଏକ ଲାଲ୍ ନକ୍ଷତ୍ରର ପରିକ୍ରମା କରୁଛି ଯାହା ସୂର୍ଯ୍ୟଠାରୁ ଛୋଟ ଓ କମ୍ ଚମକପ୍ରଦ ।

ସୌରମଣ୍ଡଳ ବାହାରେ ଜୀବନ ସନ୍ଧାନ ଦିଗରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ସଫଳତା । ଜ୍ୟୋତିଷ ଜୀବନ ବିଜ୍ଞାନର ପର୍ଯ୍ୟବେକ୍ଷଣ ଯୁଗରେ ଆମେ ପ୍ରବେଶ କରିଥିବା ବୈଜ୍ଞାନିକ ନିକ୍କୁ ମଧୁସୁଦନ କହିଛନ୍ତି । ଏହାସହ ଆମ ସୌରମଣ୍ଡଳରେ ମଧ୍ୟ ଜୀବନର ସନ୍ଧାନ ଦିଗରେ ବିଭିନ୍ନ ଉଦ୍ୟମ କରାଯାଉଛି । ଏଥିରେ ମଙ୍ଗଳ, ଚନ୍ଦ୍ର ସମେତ ବିଭିନ୍ନ ଗ୍ରହରେ ଜୀବନ ପାଇଁ ଅନୁକୂଳ ସ୍ଥିତି ନେଇ ଗବେଷଣା କରାଯାଉଛି ।

Comments are closed.