ମୁମ୍ବାଇ: ମାନବ ଚାଲାଣ ସନ୍ଦେହରେ ୪ ଦିନ ଧରି ଫ୍ରାନ୍ସରେ ଅଟକି ରହିବା ପରେ ମଙ୍ଗଳବାର ସକାଳେ ପ୍ରାୟ ୨୭୬ ଜଣ ଭାରତୀୟ ଯାତ୍ରୀଙ୍କୁ ନେଇ ରୋମାନିଆର ଏକ ବିମାନ ମୁମ୍ବାଇରେ ପହଞ୍ଚିଛି। ଲିଜେଣ୍ଡ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ଏହି ବିମାନ ପ୍ରଥମେ ୩୦୩ ଜଣ ଯାତ୍ରୀଙ୍କୁ ନେଇ ଦୁବାଇରୁ ଉଡ଼ାଣ ଭରିଥିଲା, କିନ୍ତୁ ସେମାନଙ୍କ ମଧ୍ୟରୁ ୨୭ ଜଣ ଫ୍ରାନ୍ସରେ ରହିବାକୁ ପସନ୍ଦ କରିଥିଲେ।
ବିମାନଟି ସୋମବାର ସକାଳେ ଉଡ଼ାଣ ଭରିବାର ଥିଲା, କିନ୍ତୁ କିଛି ଯାତ୍ରୀ ଭାରତ ଫେରିବାକୁ ଅନିଚ୍ଛା ପ୍ରକାଶ କରିବାରୁ ଉଡ଼ାଣରେ ବିଳମ୍ବ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଦୁଇ ନାବାଳକଙ୍କ ସମେତ ୨୭ ଜଣ ଯାତ୍ରୀ ଫ୍ରାନ୍ସରେ ଆଶ୍ରୟ ନେବାକୁ ନିଷ୍ପତ୍ତି ନେଇଛନ୍ତି। ବିଚାରପତିଙ୍କ ସମ୍ମୁଖୀନ ହୋଇଥିବା ଅନ୍ୟ ଦୁଇ ଜଣଙ୍କୁ ମୁକ୍ତ କରାଯାଇ ସାକ୍ଷୀ ମାନ୍ୟତା ପ୍ରଦାନ କରାଯାଇଛି।
ଗୁରୁବାର ପ୍ୟାରିସ୍ ନିକଟସ୍ଥ ଭାଟ୍ରି ବିମାନବନ୍ଦରରେ ନିକାରାଗୁଆ ଅଭିମୁଖେ ଯାତ୍ରା କରୁଥିବା ଏହି ଚାର୍ଟର୍ ଫ୍ଲାଇଟ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏଥିରେ ଜଣେ ୨୧ ମାସର ଶିଶୁ ଓ ୧୧ ଜଣ ନାବାଳକଙ୍କ ସମେତ ଯାତ୍ରୀମାନେ ‘ମାନବ ଚାଲାଣ’ କରୁଥିବା କର୍ତ୍ତୃପକ୍ଷ ସନ୍ଦେହ କରିଥିଲେ।
ଫ୍ରାନ୍ସରେ ଥିବା ଭାରତୀୟ ଦୂତାବାସ ଫ୍ରାନ୍ସ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛି ଯେ ସେମାନେ ପରିସ୍ଥିତିର ଶୀଘ୍ର ସମାଧାନ କରିଛନ୍ତି ଏବଂ ଯାତ୍ରୀମାନଙ୍କୁ ଫେରିବାରେ ସକ୍ଷମ ହୋଇଛନ୍ତି। ସେମାନେ ଦୂତାବାସ ଅଧିକାରୀଙ୍କ ସହଯୋଗକୁ ମଧ୍ୟ ସ୍ୱୀକାର କରିଥିଲେ, ଯେଉଁମାନେ ଯାତ୍ରୀଙ୍କ ସୁରୁଖୁରୁରେ ଫେରିବା ସୁନିଶ୍ଚିତ କରିଥିଲେ।
ଫ୍ରାନ୍ସ କର୍ତ୍ତୃପକ୍ଷ ଶୁକ୍ରବାର ବେଆଇନ ଇମିଗ୍ରେସନ୍ ରିଂ ରେ ସହାୟତା କରିଥିବା ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖିଛନ୍ତି। ଶନିବାର ସେମାନଙ୍କ ହେପାଜତକୁ ୪୮ ଘଣ୍ଟା ପାଇଁ ବୃଦ୍ଧି କରାଯାଇଛି। ତେବେ ଏହି ଚୋରା ଚାଲାଣ ଅଭିଯୋଗରେ ଏୟାରଲାଇନ୍ସ କୌଣସି ସମ୍ପୃକ୍ତି କୁ ଅସ୍ୱୀକାର କରିଛି।
Comments are closed.