ନୂଆଦିଲ୍ଲୀ: ଚଳିତ ଗ୍ରୀଷ୍ମ ଋତୁରେ ଯାତ୍ରୀଙ୍କ ସୁବିଧାକୁ ସୁନିଶ୍ଚିତ କରିବା ଏବଂ ଯାତ୍ରା ଚାହିଦାରେ ଆଶାତୀତ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରେଳବାଇ ଗ୍ରୀଷ୍ମ ଋତୁରେ ରେକର୍ଡ ସଂଖ୍ୟକ ୯୧୧୧ ଟି ଟ୍ରିପ୍ ଚଳାଚଳ କରୁଛି। ୨୦୨୩ ଗ୍ରୀଷ୍ମରେ ସମୁଦାୟ ୬୩୬୯ ଟି ଟ୍ରିପ୍ ଅଫର କରାଯାଇଥିବା ବେଳେ ଚଳିତ ବର୍ଷ ଏହା ଯଥେଷ୍ଟ ବୃଦ୍ଧି ପାଇଛି । ଏଥିରେ ୨୭୪୨ଟି ଟ୍ରିପ୍ (ଯାତ୍ରା) ବୃଦ୍ଧି ପାଇଛି, ଯାହା ଯାତ୍ରୀଙ୍କ ଚାହିଦାକୁ ପ୍ରଭାବଶାଳୀ ଭାବରେ ପୂରଣ କରିବା ପାଇଁ ଭାରତୀୟ ରେଳବାଇର ପ୍ରତିବଦ୍ଧତାକୁ ଦର୍ଶାଉଛି ।
ଦେଶର ପ୍ରମୁଖ ଗନ୍ତବ୍ୟ ସ୍ଥଳଗୁଡ଼ିକୁ ସଂଯୋଗ କରିବା ନିମନ୍ତେ ଅତିରିକ୍ତ ଟ୍ରେନ୍ ଗୁଡ଼ିକର ସୁପରିକଳ୍ପନା କରାଯାଇଛି। ଯାହା ଦ୍ୱାରା ପ୍ରମୁଖ ରେଳ ମାର୍ଗରେ ନିରବଚ୍ଛିନ୍ନ ଯାତ୍ରା ସୁନିଶ୍ଚିତ ହେବ । ତାମିଲନାଡୁ, ମହାରାଷ୍ଟ୍ର, ଗୁଜୁରାଟ, ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଦିଲ୍ଲୀ ଭଳି ରାଜ୍ୟରୁ ଗ୍ରୀଷ୍ମକାଳୀନ ଯାତ୍ରାକୁ ଦୃଷ୍ଟିରେ ରଖି ସମଗ୍ର ଭାରତରେ ଥିବା ସମସ୍ତ ଜୋନାଲ ରେଳବାଇ ଏହି ଅତିରିକ୍ତ ଯାତ୍ରା କରିବାକୁ ପ୍ରସ୍ତୁତ ହୋଇଛି ।
ଅତିରିକ୍ତ ଟ୍ରେନ୍ ଗୁଡିକର ଯୋଜନା ଏବଂ ଚଳାଚଳ ଏକ ନିରନ୍ତର ପ୍ରକ୍ରିୟା , ଯେଉଁଥି ପାଇଁ ଏକ ନିର୍ଦ୍ଦିଷ୍ଟ ରୁଟ୍ରେ ଟ୍ରେନ୍ର ଚାହିଦା ଆକଳନ କରିବା ନିମନ୍ତେ ପିଆର୍ଏସ୍ ପ୍ରଣାଳୀରେ ପ୍ରତୀକ୍ଷା ତାଲିକାରେ ଥିବା ଯାତ୍ରୀ ମାନଙ୍କର ବିବରଣୀ ବ୍ୟତୀତ ଗଣମାଧ୍ୟମ ରିପୋର୍ଟ, ସୋସିଆଲ ମିଡିଆ ପ୍ଲାଟଫର୍ମ, ରେଳବାଇ ଇଣ୍ଟିଗ୍ରେଟେଡ୍ ହେଲ୍ପଲାଇନ୍ ନମ୍ବର ୧୩୯ ଭଳି ସମସ୍ତ ଯୋଗାଯୋଗ ଚ୍ୟାନେଲରୁ ୨୪ x ୭ ସୂଚନା ନିଆଯାଇଥାଏ । ଏହି ଆବଶ୍ୟକତାକୁ ଆଧାର କରି ଟ୍ରେନ୍ ସଂଖ୍ୟା ଏବଂ ଟ୍ରିପ୍ ସଂଖ୍ୟା ବୃଦ୍ଧି କରାଯାଏ । ସମଗ୍ର ଋତୁ ପାଇଁ ଟ୍ରେନ୍ ସଂଖ୍ୟା କିମ୍ବା ଅତିରିକ୍ତ ଟ୍ରେନ୍ ଦ୍ୱାରା ପରିଚାଳିତ ଟ୍ରିପ୍ ସଂଖ୍ୟା ସ୍ଥିର ନଥାଏ ।
ପ୍ରବଳ ଭିଡ଼ ସମୟରେ ଭିଡ଼କୁ ସୁରୁଖୁରୁରେ ନିୟନ୍ତ୍ରଣ କରିବା ପାଇଁ ସରକାରୀ ରେଳବାଇ ପୁଲିସ (ଜିଆରପି) ଏବଂ ରେଳ ସୁରକ୍ଷା ବଳ (ଆରପିଏଫ୍) କର୍ମଚାରୀଙ୍କୁ ଫୁଟ୍ ଓଭର ବ୍ରିଜ୍ରେ ନିୟୋଜିତ କରାଯାଇଛି ।
Comments are closed.