Latest Odisha News

ଜଳୁଛି ସୋନପୁର ସହର, ଜନଗହଳି ସ୍ଥାନ ଗୁଡ଼କିରେ ଜଳଛତ୍ର ଖୋଲିବାକୁ ଦାବି

ସୋନପୁର: ରାଜ୍ୟରେ ଦିନକୁ ଦିନ ତାତି ବଢିବାରେ ଲାଗିଛି । ଅସହ୍ୟ ଗରମ ସାଙ୍ଗକୁ ଟାଣ ଖରା ଜନ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି । ଶୁକ୍ରବାର ମଧ୍ୟ ଏଭଳି ସ୍ଥିତି ଲାଗି ରହିଛି । ସୁବର୍ଣ୍ଣପୁର ଜିଲ୍ଳାରେ ମଧ୍ୟ ତାପମାତ୍ର ବୃଦ୍ଧି ପାଇଛି । ଜିଲ୍ଳାରେ ଏବେ ତାପମାତ୍ର ୪୦ ଡିଗ୍ରୀ ରୁ ଉପର ଛୁଉଁଥିବା ବେଳେ ଖରା ଯୋଗୁ ସକାଳ ୧୦ ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡିଛି ।

ସୋନପୁର ସହରରେ ଏକ ପ୍ରକାର ଅଘୋଷିତ କରଫ୍ୟୁ ଲାଗିଥିବା ପରି ଦିଶୁଛି ସାରା ସହର l ଅସହ୍ୟ ଖରା ଓ ଗୁଳୁଗୁଳି ରେ ତ୍ରାହି ତ୍ରାହି ଡାକୁଛନ୍ତି ଜନସାଧାରଣ l ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାସ୍ତା ଘାଟ ଶୂନଶାନ ହୋଇପଡୁଛି l ଘରୁ ବାହାରିଲେ ଲୋକେ କଳା ଚଷମା ଓଦା ଗାମୁଛା ମୁଣ୍ଡରେ ପକେଇ ବାହାରୁଛନ୍ତି l

ଅନ୍ୟପଟେ ଲୋକେ ଖରା ଦାଉରୁ ରକ୍ଷା ପାଇବା ପାଇଁ ମୃଦୁ ପାନୀୟ ଜଳ, ତରଭୁଜ ଓ ଲସି ଦୋକାନରେ ଭିଡ ଜମାଉଛନ୍ତି l ପ୍ରଚଣ୍ଡ ରୌଦ୍ର ତାପ ଯୋଗୁ ଶୁଖୁବାରେ ଲାଗିଛି ଜଳାଶୟ ଯାହାଫଳରେ ଜୀବଜନ୍ତୁ ପାଣି ଟିକେ ପାଇଁ ଡହକବିକଳ ହେଉଛନ୍ତି l ସେପଟେ ଖରାକୁ ଦୃଷ୍ଟି ଦେଇ ପାଣିପାଗ ବିଭାଗ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଙ୍ଗ ଜାରି କରିଥିବା ବେଳେ ଜିଲ୍ଲା ପ୍ରଶାସନ ମଧ୍ୟ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ସତର୍କ ସୂଚନା ଜାରି କରିଛି ।

ଏପଟେ ଜିଲ୍ଲାରେ ଏପର୍ଯ୍ୟନ୍ତ କୌଣସି ସ୍ଥାନରେ ଜଳଛତ୍ର ଖୋଲାଯାଇନାହିଁ । ଯାହାଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଯଥାଶୀଘ୍ର ଜନଗହଳି ସ୍ଥାନ ଗୁଡ଼କିରେ ଜଳଛତ୍ର ଖୋଲିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ସହର ମଧ୍ୟରେ ଅନେକ ଥଣ୍ଡା ପାନୀୟ ଜଳ ଯୋଗାଣ ମେସିନ୍ ବସିଥିଲେ ମଧ୍ୟ ମେସିନ୍ କାମ କରୁନାହିଁ । ଯାହାଫଳରେ ଥଣ୍ଡାପାନୀୟ ଜଳ କାହାପାଇଁ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଅସହ୍ୟ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

ଅନ୍ୟପଟେ ସୁବର୍ଣ୍ଣପୁର ସହରରେ ଫେଲ୍ ମାରିଛି ଥଣ୍ଡା ପାନୀୟ ଜଳ ପ୍ରକଳ୍ପ । ଅଧକାଂଶ ପ୍ରକଳ୍ପ ଏଠି ଖରାପ ହୋଇପଡିଛି । ଯାହା ଫଳରେ ମଧ୍ୟାହ୍ନ ସମୟ ହେଲେ ବାଟୋଇ ହେଉ କି ବସ ଯାତ୍ରୀ ସମସ୍ତେ ଥଣ୍ଡା ପାଣି ଟୋପାଏ ପାଇଁ ନାହିଁ ନଥୁବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ଜିଲ୍ଲାର ସଦର ବସଷ୍ଟାଣ୍ଡ ରୁ ଯାତ୍ରୀ ଟିଏ ବସ୍ ରୁ ଓହ୍ଲାଇଲେ ଖରା ରେ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ନଥିବା ବେଳେ ପାନୀୟ ଜଳ ପାଇଁ ଡହକ ବିକଳ ହେଉଛନ୍ତି ଯାତ୍ରୀ l ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ସବୁ ଅମୃତଧାରା କୁ ସଜାଡ଼ିବା ସହ ଜିଲ୍ଲାର ଜନ ବହୁଳ ଛକ ଗୁଡିକରେ ଜଳଛତ୍ର ଗୁଡିକ ଖୋଲିବାକୁ ସାଧାରଣରେ ଦାବି ହେଉଛି l

Leave A Reply

Your email address will not be published.