Latest Odisha News

BREAKING NEWS

Shower Fine: ମାତ୍ର ୫ ମିନିଟ୍‌ ଗାଧୁଆ…ଗଣିବାକୁ ପଡିଲା ୧.୩ ଲକ୍ଷ ଟଙ୍କା! ଅଷ୍ଟ୍ରେଲିଆରେ ହଟହଟା ଭାରତୀୟ ଯୁବତୀ!

ନୂଆଦିଲ୍ଲୀ: ଗାଧୋଇବା ପଡିଲା ମହଙ୍ଗା! ଗଣିବାକୁ ପଡିଲା ମୋଟା ଅଙ୍କର ଟଙ୍କା! ଇନଷ୍ଟାଗ୍ରାମରେ ବଖାଣିଲେ ଦୁଃଖ! ଅଷ୍ଟ୍ରେଲିଆରେ ରହୁଥିବା ଜଣେ ଭାରତୀୟ ଯୁବତୀଙ୍କ ପାଇଁ ମାତ୍ର ୫ ମିନିଟ୍‌ର ଗାଧୁଆ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗରମ ପାଣିରେ ଗାଧୋଇବା ସମୟରେ ସୃଷ୍ଟି ହୋଇଥିବା ବାଷ୍ପ ଯୋଗୁଁ ତାଙ୍କ ଆପାର୍ଟମେଣ୍ଟର ଫାୟାର ଆଲାର୍ମ ବାଜିଥିବା ଦାବି କରିଛନ୍ତି ଯୁବତୀ। ଏହାପରେ ଫାୟାର ସର୍ଭିସ୍‌କୁ ଡାକିବାର ଖର୍ଚ୍ଚ ବାବଦରେ ତାଙ୍କୁ ୧,୮୦୦ ଅଷ୍ଟ୍ରେଲୀୟ ଡଲାର, ଅର୍ଥାତ୍ ପ୍ରାୟ ୧.୩ ଲକ୍ଷ ଟଙ୍କାର ଚାର୍ଜ ଦିଆଯାଇଥିବା ସେ ଦାବି କରିଛନ୍ତି ।

ଇନଷ୍ଟାଗ୍ରାମ୍‌ରେ ଭାମିକା ନାମକ ଜଣେ ଯୁବତୀ ଏକ ଭିଡିଓ ଜରିଆରେ ନିଜ ଅନୁଭୂତି ସେୟାର କରିବା ପରେ ଘଟଣାଟି ସୋସିଆଲ୍‌ ମିଡିଆରେ ଚର୍ଚ୍ଚାକୁ ଆସିଛି। ଭାମିକାଙ୍କ କହିବା ଅନୁସାରେ, ସେ ପ୍ରାୟ ୫ ମିନିଟ୍‌ ଧରି ଗାଧୋଇଥିଲେ। ଥଣ୍ଡା ଲାଗୁଥିବାରୁ ସେ ବାଥରୁମ୍‌ର ଏକ୍ସଜଷ୍ଟ ଫ୍ୟାନ୍‌ ଚଳାଇନଥିଲେ। ଫଳରେ ଗରମ ପାଣିରୁ ବାହାରିଥିବା ବାଷ୍ପ ବାଥରୁମ୍‌ରୁ ବାହାରକୁ ଯାଇ ଫାୟାର ଆଲାରାମକୁ ସକ୍ରିୟ କରିଥିବା ସେ ଦାବି କରିଛନ୍ତି। ଆଲାରାମ ବାଜିବା ପରେ ପ୍ରଥମେ ଏହାକୁ ସେ ଫାୟାର ଡ୍ରିଲ୍‌ ବୋଲି ଭାବିଥିଲେ। କିନ୍ତୁ କିଛି ସମୟ ପରେ ବିଲ୍ଡିଂ ମ୍ୟାନେଜର ତାଙ୍କ ଆପାର୍ଟମେଣ୍ଟକୁ ଆସିବାରୁ ଘଟଣାଟି ଗୁରୁତର ବୋଲି ସେ ଜାଣିବାକୁ ପାଇଥିଲେ।

ପରେ ଫାୟାର ସର୍ଭିସ୍‌କୁ ଡାକିବା ପାଇଁ ହୋଇଥିବା ଖର୍ଚ୍ଚ ବାବଦରେ ତାଙ୍କ ଉପରେ ୧,୮୦୦ ଅଷ୍ଟ୍ରେଲୀୟ ଡଲାରର ଚାର୍ଜ ଲାଗିଥିବା ସେ ଦାବି କରିଛନ୍ତି। ଏହି ଘଟଣା ପରେ ଭାମିକା ଆଲାରାମ ଲଗାଯାଇଥିବା ସ୍ଥାନକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ କହିବା ଅନୁସାରେ, ବାଥରୁମ୍‌ରୁ ବାହାରୁଥିବା ବାଷ୍ପ ଯଦି ଆଲାରାମକୁ ସକ୍ରିୟ କରିପାରୁଛି, ତେବେ ଏହାକୁ ବାଥରୁମ୍‌ ନିକଟରେ କାହିଁକି ଲଗାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ଭାମିକାଙ୍କ ଭିଡିଓ ଭାଇରାଲ୍‌ ହେବା ପରେ ଘଟଣାକୁ ନେଇ ନେଟିଜେନ୍ସଙ୍କ ମଧ୍ୟରେ ଭିନ୍ନ ମତ ଦେଖିବାକୁ ମିଳିଛି। କେହି ଫାୟାର ଆଲାରାମର ସମ୍ବେଦନଶୀଳତାକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ଆଉ କେହି ଏଭଳି ଘଟଣାରେ ଜଣେ ବାସିନ୍ଦାଙ୍କ ଉପରେ ଏତେ ବଡ଼ ଖର୍ଚ୍ଚ ଲଗାଇବା ଠିକ୍‌ କି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି। କେତେକ ବ୍ୟବହାରକାରୀ ଆଲାରାମ ସିଷ୍ଟମ୍‌କୁ ଯାଞ୍ଚ କରାଇବା ଏବଂ ଏହି ଚାର୍ଜକୁ ପ୍ରତ୍ୟାଖ୍ୟାନ କରିବାକୁ ପରାମର୍ଶ ଦେଇଛନ୍ତି। ଆଉ କେହି କହିଛନ୍ତି, ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଥିଲେ ବାସିନ୍ଦାଙ୍କୁ ସିଧାସଳଖ ଏତେ ବଡ଼ ଜରିମାନା ନକରି ପ୍ରଥମେ ସତର୍କ କରାଯିବା ଉଚିତ। ତେବେ ସାଧାରଣ ଶାୱାର୍‌ର ବାଷ୍ପରେ ଫାୟାର ଆଲାର୍ମ ସକ୍ରିୟ ହେବା ସମ୍ଭବ କି ନାହିଁ ଏବଂ ଏଭଳି ଘଟଣାରେ ଜରୁରୀକାଳୀନ ସେବାର ଖର୍ଚ୍ଚ କିଏ ବହନ କରିବ? ଏହାକୁ ନେଇ ଅନଲାଇନ୍‌ରେ ଚର୍ଚ୍ଚା ଜାରି ରହିଛି।

Leave A Reply

Your email address will not be published.