Latest Odisha News

ଡାକ ଜରିଆରେ ଦୁଇ ହଜାର ଟଙ୍କିଆ ନୋଟ୍ ପଠାଇପାରିବେ: ଆରବିଆଇ

ନୂଆଦିଲ୍ଲୀ: ଯେଉଁ ଭାରତୀୟଙ୍କ ପାଖରେ ଏବେ ବି ୨ ହଜାର ଟଙ୍କିଆ ନୋଟ୍ ଅଛି ସେମାନେ ଏହାକୁ ଡାକ ଯୋଗେ କିମ୍ବା ରିଜର୍ଭ ବ୍ୟାଙ୍କ ଅଫିସରେ ଜମା କରିପାରିବେ। ଏବେ ଦେଶର ବିଭିନ୍ନ ଆରବିଆଇ ଅଫିସ ଆଗରେ ନୋଟ୍ ବଦଳ କରିବାକୁ ଲମ୍ବା ଧାଡି ରହିଛି। ଏପରି ସ୍ଥିତି ଦେଖି ଆରବିଆଇ ଡାକ ଯୋଗେ ଏହି ବଡ ନୋଟକୁ ବଦଳ କରିପାରିବେ ବୋଲି କହିଛି। ଏହାଦ୍ୱାରା ସେହି ବ୍ୟକ୍ତିମାନଙ୍କୁ ଆଶ୍ବସ୍ତି ମିଳିବ ଯେଉଁମାନେ ବୃଦ୍ଧ, ଦିବ୍ୟାଙ୍ଗ ଏବଂ ଲମ୍ବା ଧାଡିରେ ଛିଡା ହେବାକୁ ସମୟ ନାହିଁ।

ତେବେ ଡାକ ଯୋଗେ ଟଙ୍କା ଜମା କରିବା ପାଇଁ ଗ୍ରାହକଙ୍କୁ ବୀମାକୃତ ଡାକ ଜରିଆରେ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦିଷ୍ଟ ଆଞ୍ଚଳିକ କାର୍ଯ୍ୟାଳୟକୁ ନୋଟ୍ ପଠାଇବାକୁ ପଡ଼ିବ। ଆରବିଆଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସମାନ ପରିମାଣର ଟଙ୍କା ପଠାଇବ। ଡାକରେ ପଠାଇବା ବେଳେ ନିର୍ଦ୍ଦିଷ୍ଟ ଫର୍ମ ପୂରଣ କରିବାକୁ ହେବ। ଯେଉଁଥିରେ ନିଜର ବ୍ୟାଙ୍କ ଆକାଉଣ୍ଟ ସହିତ ପରିଚୟ ପତ୍ର ଦେବାକୁ ହେବ ବୋଲି ଜଣାପଡ଼ିଛି।

ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟରେ ଜମା କରିବା ପାଇଁ ଗ୍ରାହକଙ୍କୁ ଜମା ଗ୍ରହଣ କରୁଥିବା ୧୯ଟି ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟ ମଧ୍ୟରୁ ଗୋଟିଏକୁ ଯିବାକୁ ପଡ଼ିବ। ଆରବିଆଇ ଏହି ନୋଟକୁ ଅନ୍ୟ ନୋଟରେ ବଦଳାଇବ କିମ୍ବା ଗ୍ରାହକଙ୍କ ବ୍ୟାଙ୍କ ଖାତାରେ ସମାନ ପରିମାଣର ଟଙ୍କା ଜମା କରିବ।

ଉଭୟ ବିକଳ୍ପ ନିରାପଦ ଓ ସୁବିଧାଜନକ। ଆରବିଆଇ କାର୍ଯ୍ୟାଳୟରେ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଆରବିଆଇ ଗ୍ରାହକଙ୍କୁ ଏହି ବିକଳ୍ପର ଫାଇଦା ଉଠାଇବା ସହ ନିର୍ଦ୍ଧାରିତ ସମୟ ପୂର୍ବରୁ ୨ ହଜାର ଟଙ୍କିଆ ନୋଟ୍ ଜମା କରିବାକୁ କହିଛି। ମେ ୧୯ରୁ ଏହି ବଡ ନୋଟକୁ ଫେରାଇ ନେବାକୁ ଆରବିଆଇ ନିଷ୍ପତ୍ତି ହୋଇଛି। ଏହାପରେ ଅକ୍ଟୋବର ୭ ଯାଏ ବିଭିନ୍ନ ବ୍ୟାଙ୍କରେ ନୋଟ୍ ବଦଳ ହେଉଥିଲା। ପରେ ଏହା ବୃଦ୍ଧି ହୋଇ କେବଳ ଆରବିଆଇରେ ହେଉଛି।

Leave A Reply

Your email address will not be published.