Latest Odisha News

BREAKING NEWS

ବସ୍ତ୍ରହରଣ କରିବା ଭଳି ପ୍ରଶ୍ନ କରାଯାଇଥିବା ଅଭିଯୋଗ ଆଣିଲେ ମହୁଆ, ଜବାବ ରଖିଲେ ଅପରାଜିତା

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରା ଏବଂ ବିଏସପି ସାଂସଦ ଦାନିଶ ଅଲ୍ଲୀ ସଦାଚାର କମିଟିରୁ ରାଗ ତମତମ ହୋଇ ପଳାଇ ଆସିଥିଲେ। କଥିତ ପ୍ରଶ୍ନ ପାଇଁ ଲାଂଚ ନେବା ମାମଲାରେ ସଦାଚାର କମିଟିର ସମନ ପରେ ହାଜର ହୋଇଥିଲେ ମହୁଆ। କିନ୍ତୁ ତାଙ୍କୁ ଯେଉଁ ପ୍ରଶ୍ନ କରାଯାଇଥିଲା ତାହା ଏକ ପ୍ରକାର ବସ୍ତ୍ରହରଣ କରିଲା ପରି ଥିଲା ବୋଲି ଅଭିଯୋଗ କରିଛନ୍ତି ମହୁଆ। ଏବେ ସେ ଏହାକୁ ନେଇ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ଅନ୍ଯପଟେ ସଦାଚାର କମିଟିର ସଦସ୍ୟ ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହାକୁ ନେଇ ଜବାବ ରଖିଛନ୍ତି।

ସଂସଦର ସଦାଚାର କମିଟିର ଅଧ୍ୟକ୍ଷ ବିନୋଦ ସୋନକର ଅସଂସଦୀୟ ଭାଷା ବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତି ସାଂସଦ ମହୁଆ। ଏହାପରେ ସେ ବୈଠକରୁ ପଳାଇ ଆସିଥିବା ଅଭିଯୋଗ ହୋଇଛି। କମିଟି ମହୁଆଙ୍କୁ ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିଲା ଯେ ସେ କେଉଁଠାକୁ ଯାତ୍ରା କରନ୍ତି ଏବଂ କାହାକୁ ଭେଟନ୍ତି। ଏପରି ପଚରାଯିବାର କୌଣସି ଅଧିକାର ନାହିଁ କିମ୍ବା ଲଗ୍ ଇନ୍ ପାସଓ୍ବାର୍ଡ ଅନ୍ୟ କାହାକୁ ନଦେବାକୁ ନିୟମ ନାହିଁ ବୋଲି ସେ କହିଛନ୍ତି।

ମହୁଆ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗରେ ନିଜକୁ ନିର୍ଦ୍ଦୋଷ ଦର୍ଶାଇ ସଂସଦୀୟ କମିଟିକୁ କହିଥିଲେ ଯେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଆଇନଜୀବୀ ଜୟ ଅନନ୍ତଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଭାଙ୍ଗିବା ପରେ ତାଙ୍କ ପ୍ରତି ଖରାପ ଭାବନା ଦ୍ୱାରା ପ୍ରେରିତ ହୋଇଛି।

ଅନ୍ୟପଟେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ମହୁଆଙ୍କ ଆଚରଣ ନିନ୍ଦନୀୟ ଏବଂ ସେ ଏଥିକ୍ସ ପ୍ୟାନେଲ ସଦସ୍ୟଙ୍କ ପାଇଁ ଅସଂସଦୀୟ ଶବ୍ଦ ବ୍ୟବହାର କରିଛନ୍ତି। ସଂସଦୀୟ ଷ୍ଟାଣ୍ଡିଂ କମିଟିର କାର୍ଯ୍ୟଧାରା ସ୍ୱାଭାବିକ ଭାବେ ଗୋପନୀୟ। ତେଣୁ ଟିଏମସି ସାଂସଦ ମହୁଆ ଯାହା କରିଛନ୍ତି ତାହା ଭୁଲ ଥିଲା। ସେମାନେ ସମସ୍ତେ ବାହାରକୁ ଆସିଥିଲେ ଏବଂ ସମସ୍ତେ କମିଟି ବିଷୟରେ, କମିଟି ଭିତରେ ଚାଲିଥିବା କଥା ବିଷୟରେ କହିଛନ୍ତି। ଏପରି କରିବା ଭୁଲ। ଏପରି କରିବା ଉଚିତ୍ ନଥିଲା। ଏସବୁ କଥା ଅତ୍ୟନ୍ତ ଗୋପନୀୟ ବୋଲି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ସଂସଦରେ ପ୍ରଶ୍ନ ଉଠାଇବା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗରେ ଫସିଛନ୍ତି ମହୁଆ ମୈତ୍ର। ଗତ ମାସରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ ଯେ ସଂସଦରେ ପ୍ରଶ୍ନ ପଚାରିବା ବଦଳରେ ମହୁଆ ଲାଞ୍ଚ ନେଇଛନ୍ତି। ଦୁବେ ସୁପ୍ରିମକୋର୍ଟର ଆଟର୍ଣ୍ଣି ଜୟ ଅନନ୍ତ ଦେହାଦରାଇଙ୍କ ଦ୍ୱାରା ସେୟାର କରାଯାଇଥିବା ଦସ୍ତାବିଜକୁ ଏହି ସମୟରେ ଉଲ୍ଲେଖ କରିଛନ୍ତି। ଏହାପରେ ବାଚସ୍ପତି ଏହି ପ୍ରସଙ୍ଗକୁ ବିଜେପି ସାଂସଦ ବିନୋଦ କୁମାର ସୋନକରଙ୍କ ନେତୃତ୍ୱରେ ଗଠିତ ନୈତିକତା କମିଟିକୁ ପଠାଇଥିଲେ।

Leave A Reply

Your email address will not be published.