Latest Odisha News

ଭାରତର ଏହି ଆଥଲେଟମାନେ ଅଳ୍ପକେ ହାତଛଡା କରିଥିଲେ ଅଲିମ୍ପିକ ପଦକ

ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି କ୍ରୀଡାପ୍ରେମୀ ଆଶା ବାନ୍ଧି ବସିଛନ୍ତି । ଏହା ପୂର୍ବରୁ ଭାରତର ଅନେକ ଆଥଲେଟ ଅଳ୍ପକେ ଅଲିମ୍ପିକ୍ସ ପଦକ ସୁଯୋଗ ହାତଛଡା କରିଛନ୍ତି । ଯାହା ଫଳରେ ଦେଶର ଶ୍ରେଷ୍ଠ ଆଥଲେଟ ବିବେଚନା କରାଯାଉଥିବା ଫ୍ଲାଇଙ୍ଗ ଶିଖ ମିଲଖା ସିଂ ଓ ଦୌଡା ରାଣୀ ପିଟି ଉଷା ମଧ୍ୟ ପଦକ ହାସଲର ଅଧିକାରୀ ହୋଇପାରି ନାହାନ୍ତି ।

ମିଲଖା ସିଂ: ୧୯୬୦ ରୋମ ଅଲିମ୍ପିକ୍ସରେ ଭାରତର ଫ୍ଲାଇଙ୍ଗ ଶିଖ ମିଲଖା ସିଂ ପଦକ ଜିତିବେ ବୋଲି ସମସ୍ତଙ୍କ ଦୃଢ଼ ବିଶ୍ୱାସ ରହିଥିଲା । ୪୦୦ ମିଟର ଫାଇନାଲରେ ମିଲଖା ଅଳ୍ପକେ ବ୍ରୋଞ୍ଜ ପଦକ ହାତଛଡା କରିଥିଲେ । ଗୋଟିଏ ସେକେଣ୍ଡର ୧୦ ଭାଗରୁ ଭାଗେ ସମୟ ବ୍ୟବଧାନରେ ସେ ୪ର୍ଥ ସ୍ଥାନକୁ ଖସି ଯାଇଥିଲେ । ଦକ୍ଷିଣ ଆଫ୍ରିକାର ମାଲକମ ସ୍ପେନ୍ସ ବ୍ରୋଞ୍ଜ ପଦକ ଜିତିଥିଲେ । ୧୯୫୬, ୧୯୬୦ ଓ ୧୯୬୪ ଅଲିମ୍ପିକ୍ସରେ ସେ ଅଂଶଗ୍ରହଣ କରିଥିଲେ ମଧ୍ୟ ପଦକ ଜିତିପାରି ନ ଥିଲେ । ପିଟି ଉଷା: ୧୯୮୪ ଲସ ଆଞ୍ଜେଲ୍ସ ଅଲିମ୍ପିକ୍ସରେ ପିଟି ଉଷାଙ୍କ ପ୍ରଦର୍ଶନକୁ କିଏ ବା ଭୁଲିପାରିବ । ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୧୦୦ ଭାଗରୁ ଭାଗେ ସମୟ ବ୍ୟବଧାନ ଯୋଗୁ ବ୍ରୋଞ୍ଜ ପଦକ ଜିତପାରି ନ ଥିଲେ । ରୋମାନିଆର କ୍ରିଷ୍ଟିଆନା କୋଜୋକୋରୁ ଏହି ସଫଳତା ହାସଲ କରିଥିଲେ ।

ଜୟଦୀପ କର୍ମାକାର: ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତର ଶୁଟର ଜୟଦୀପ କର୍ମାକାର ୫୦ ମିଟର ରାଇଫଲ ପ୍ରୋନ ବିଭାଗରେ ପଦକ ସୁଯୋଗ ସୃଷ୍ଟି କରିଥିଲେ । ସେ ଓଭରାଲ ୬୯୯.୧ ପଂଏଟ ସ୍କୋର କରିଥିଲେ । ସ୍ଲୋଭେନିଆର ରାଜମଣ୍ଡ ଡେବେଭେକ ବ୍ରୋଞ୍ଜ ପଦକ ବାଜି ମାରି ନେଇଥିଲେ ।

ଅଭିନବ ବିନ୍ଦ୍ରା: ୨୦୧୬ ରିଓ ଅଲିମ୍ପିକ୍ସରେ ଅଭିନବ ବିନ୍ଦ୍ରା ୧୦ ମିଟର ଏୟାର ରାଇଫଲରେ ବ୍ରୋଞ୍ଜ ପଦକ ଜିତିପାରି ନ ଥିଲେ । ୨୦୦୮ ବେଜିଂ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ ପ୍ରଭାବୀ ପ୍ରଦର୍ଶନ କରିଥିଲେ ମଧ୍ୟ ଶୁଟଆଉଟରେ ୟୁକ୍ରେନର ସେରିହେ କୁଲିଶ ତାଙ୍କୁ ପଛରେ ପକାଇ ପଦକ ଜିତିଥିଲେ ।ଦୀପା କର୍ମାକାର: ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତର ଜିମ୍ନାଷ୍ଟ ଦୀପା କର୍ମାକାର ଅଳ୍ପକେ ଇତିହାସ ରଚିବାରୁ ରହି ଯାଇଥିଲେ । ତ୍ରିପୁରାର ଏହି ମହିଳା ଜିମ୍ନାଷ୍ଟ ଭଲ୍ଟ ଫାଇନାଲରେ ୧୫.୦୬୬ ସ୍କୋର କର ୪ର୍ଥ ସ୍ଥାନରେ ରହିଥିଲେ । ସେ ପଦକ ଜିତିବା ପାଇଁ ପ୍ରୋଡୁନୋଭା ଭଲ୍ଟରେ ପ୍ରଦର୍ଶନ କରିଥିଲେ ଯାହାକୁ ଭଲ୍ଟ ଅଫ ଡେଥ କୁହାଯାଏ । ଆମେରିକାର ସାଇମନ ବାଇଲ୍ସ ୧୫.୯୬୬ ସ୍କୋର ସହ ସ୍ୱର୍ଣ୍ଣ ଜିତିଥିଲେ ।

ସାନିଆ ମିର୍ଜା-ରୋହନ ବୋପାନ୍ନା: ୨୦୧୬ ରିଓ ଅଲିମ୍ପିକ୍ସର ଟେନିସ ମିକ୍ସଡ ଡବଲ୍ସରେ ଭାରତର ସାନିଆ ମିର୍ଜା ଓ ରୋହନ ବୋପନ୍ନାଙ୍କଠାରୁ ନିଶ୍ଚିତ ପଦକ ଆଶା କରାଯାଉଥିଲା । ବ୍ରୋଞ୍ଜ ପଦକ ପାଇଁ ଉଦ୍ଦିଷ୍ଟ ମୁକାବିଲାରେ ଚେକ ରିପବ୍ଲିକର ରାଡେକ ଷ୍ଟେପାନକ ଓ ଲୁଇସ ହାର୍ଡଡେକା ୧-୬, ୬-୭ରେ ବିଜୟୀ ହୋଇଥିଲେ ।

ମହିଳା ହକି ଟିମ: ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଟିମ ଇତିହାସ ରଚିବାରୁ ରହି ଯାଇଥିଲେ । ବ୍ରୋଞ୍ଜ ପଦକ ମୁକାବିଲାରେ ଭାରତ ୦-୨ରେ ପଛୁଆ ରହିବା ପରେ ଚମତ୍କାର ପ୍ରତ୍ୟାବର୍ତନ କରି ମ୍ୟାଚକୁ ୩-୩ ସ୍ଥିତିକୁ ଆଣି ଦେଇଥିଲେ । ଶେଷ ଭାଗରେ ଗ୍ରେଟ ବ୍ରିଟେନ ଗୋଲ ସ୍କୋର ଭାରତ ହାତରୁ ବ୍ରୋଞ୍ଜ ପଦକ ଛଡେଇ ନେଇଥିଲେ ।

Comments are closed.