Latest Odisha News

BREAKING NEWS

ଏହି ମନ୍ଦିରରେ ମଦ ଭୋଗ ହୁଏ, ଦୀପର ତେଲ ଭଲ କରୁଛି ରୋଗ !

ବାରଣାସୀ: ଭାରତରେ ଅନେକ ରହସ୍ୟମୟୀ ମନ୍ଦିର ରହିଛି । ହେଲେ ଏମିତି ବି କିଛି ମନ୍ଦିର ରହିଛି ସେ ସମ୍ପର୍କରେ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । କାହିଁ କେଉଁ କାଳରୁ ମନ୍ଦିରରେ ଅଖଣ୍ଡ ଦୀପ ଜଳୁଛି । ବାରଣାସୀରେ ଥିବା କାଳ ଭୈରବୀ ମନ୍ଦିର ସମ୍ପର୍କରେ ବୋଧ ହୁଏ କେହି ଜାଣିଥିବେ । ଏହି ଅଲୌକିକ ମନ୍ଦିରରେ ଅନେକ ଚମତ୍କାରୀ ଘଟଣା ଘଟୁଥିବା ସ୍ଥାନୀୟ ଲୋକେ କୁହନ୍ତି । ସବୁଠାରୁ ବଡ କଥା ହେଲା ଅଖଣ୍ଡ ଦୀପର ତେଲ ଲୋକଙ୍କ ମହୌଷୋଧି ପାଲଟିଛି । ଯିଏ ସେହି ତେଲକୁ ଲଗାଉଛି ସେ ଅନେକ ଶରୀର ଯନ୍ତ୍ରଣାରୁ ମୁକ୍ତି ପାଉଥିବା କୁହାଯାଉଛି ।

ବାବା ଭୈରବଙ୍କୁ ଦର୍ଶନ କରିବା ପାଇଁ ବହୁ ଦୂରଦୂରାନ୍ତରୁ ଭକ୍ତମାନେ ଆସନ୍ତି । ବାବା ଭୈରବଙ୍କ ମୁହଁରେ ସିଧା ମଦ ବୋତଲ ଢଳାଯାଏ ବୋଲି ସେଠାକାର ଲୋକେ କୁହନ୍ତି । ଏମିତି କଲେ ବାବା ଶାନ୍ତି ହୁଅନ୍ତି ବୋଲି ବିଶ୍ୱାସ ରହିଛି । କାଶୀ ମହାଦେବଙ୍କ ଅତ୍ୟନ୍ତ ପ୍ରିୟ ଏହି ନଗରୀ । ଭଗବାନ ଶିବ କାଳ ଭୈରବୀଙ୍କୁ ଏଠାକାର ରକ୍ଷକଭାବେ ନିଯୁକ୍ତି ଦେଇଛନ୍ତି ବୋଲି କୁହାଯାଏ । କାଳ ଭୈରବ କାଶୀ ବାସୀଙ୍କୁ ଦଣ୍ଡ ଦେବାର ମଧ୍ୟ ଅଧିକାର ରହିଛି । ଯଦି ଧାର୍ମିକ ମାନ୍ୟତା ଅନୁସାରେ କହିବା, କାଳ ଭୈରବଙ୍କ ଉପରେ ବ୍ରହ୍ମହତ୍ୟା ଦୋଷ ଲାଗିଥିଲା । ଆଉ ସେହି ଦୋଷରୁ ମୁକ୍ତି ପାଇବା ପାଇଁ ବାବା କାଳ ଭୈରବର ତିନି ଲୋକ ଭ୍ରମଣ କରୁଥିଲେ । ସେହି ସମୟରେ କାଶୀ ଗଙ୍ଗାଘାଟରେ ପହଞ୍ଚିଥିଲେ । ଗଙ୍ଗାଘାଟରେ ପହଞ୍ଚିବା ପରେ ବାବା ବ୍ରହ୍ମହତ୍ୟାରୁ ମୁକ୍ତି ପାଇଥିଲେ । ସେହି ସମୟରେ ଭଗବାନ ଶିବ କାଳଭୈରବଙ୍କୁ କାଶୀରେ ରହି ତପଶ୍ୟା କରିବାକୁ ଆଦେଶ ଦେଇଥିଲେ ।

କାଳ ଭୈରବଙ୍କ ଦର୍ଶନ ନକରି କାଶୀ ବିଶ୍ୱନାଥଙ୍କ ଦର୍ଶନ କଲେ ସମ୍ପୁର୍ଣ୍ଣ ଫଳ ମିଳିନଥାଏ ବୋଲି କୁହାଯାଏ । ଆଉ ଏଠାରେ ଜଳୁଥିବା ଦୀପ କେବେ ଲିଭିନଥାଏ । ଏହି ଅଖଣ୍ଡ ଦୀପରେ କେବଳ ଶୋରିଷ ତେଲ ହିଁ ଦିଆଯାଏ । ଭକ୍ତମାନେ ଏଠାକୁ ଆସି ଶୋରିଷ ତେଲରେ ଦୀପ ଲଗାଇଥାନ୍ତି । ଶୋରିଷ ତେଲରେ ଦୀପ ଲଗାଇଲେ ବାବା ଭକ୍ତଙ୍କ ଦୁଃଖ ଦୂରକରନ୍ତି ବୋଲି ସେଠାକାର ଲୋକେ କୁହନ୍ତି । କାଳଭୈରବ ମନ୍ଦିରରେ ବିଶେଷ କରି ବାଇଗଣି, ଲାଲ, ଧଳା ରଙ୍ଗର ଫୁଲ ଚଢାଯାଇଥାଏ । ଆଉ ପ୍ରସାଦ ଭାବେ ବାବା ମଦ ଗ୍ରହଣ କରିଥାନ୍ତି । ବାବାଙ୍କ ମନ୍ଦିରରେ ମିଳୁଥିବା କଳା ଫିତା ବେକ କିମ୍ବା ହାତରେ ବାନ୍ଧିଲେ ସମସ୍ତ ବାଦାବିଘ୍ନ କଟିଯାଏ ।

ମନ୍ଦିରରେ ଜଳୁଥିବା ଦୀପର ତେଲ ଗୁରୁତର ରୋଗ ନିରାକରଣ କରିଥାଏ ବୋଲି ବିଶ୍ୱାସ କରାଯାଏ । ଯଦିଓ ଏହାର କୌଣସି ପ୍ରମାଣ ନାହିଁ ତଥାପି ଶ୍ରଦ୍ଧାଳୁମାନେ ଏହାକୁ ଭକ୍ତି ଏବଂ ବିଶ୍ୱାସର ସହିତ ଗ୍ରହଣ କରନ୍ତି । ମନ୍ଦିରକୁ ଆସୁଥିବା ଭକ୍ତମାନେ ଭୋଗ ପାଇଁ ସାଙ୍ଗରେ ମଦ ନେଇ ଆସନ୍ତି । ପୂଜାରୀମାନେ ଭଗବାନଙ୍କ ମୂର୍ତ୍ତିର ଖୋଲା ମୁହଁରେ ସିଧାସଳଖ ମଦ ଢାଳିଥାନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହି ମଦ ଢାଳିବା ପରେ କେଉଁଆଡେ ଅନ୍ତର୍ଦ୍ଧାନ ହୋଇଯାଏ । ଭଗବାନଙ୍କର ଏହି ଦୃଶ୍ୟ ଦେଖିବା ପାଇଁ କାହିଁ କେଉଁଆଡୁ ଭକ୍ତମାନେ ଧାଇଁ ଆସନ୍ତି ।

Comments are closed.