ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ବିଶ୍ବର ଚତୁର୍ଥ ବୃହତ ଅର୍ଥନୀତି ହେବ ଭାରତ । ଆର୍ଥିକ ବିକାଶ ରେସରେ ପ୍ରବଳ ବେଗରେ ଦୌଡୁଛି ଭାରତ । ଆଉ ମାତ୍ର କିଛି ମାସର ଅପେକ୍ଷା, ବିଶ୍ବର ଚତୁର୍ଥ ବୃହତ ଅର୍ଥନୀତି ଥିବା ଜାପାନକୁ ପଛରେ ପକାଇବ ଭାରତ । ଏନେଇ ନୀତି ଆୟୋଗ ସଦସ୍ୟ ଅରବିନ୍ଦ ବୀରମାନି ଆକଳନ କରିଛନ୍ତି । ୨୦୨୫ରେ ଭାରତର ଅର୍ଥବ୍ୟବସ୍ଥା ୪.୧୯ ଲକ୍ଷ କୋଟି ଡଲାରର ହୋଇଯିବ ବୋଲି ଆଇଏମଏଫ କହିଛି । ଫଳରେ ଭାରତ ଜାପାନକୁ ଅତିକ୍ରମ କରିବ । କିଛି ବର୍ଷ ତଳେ ଭାରତ ୟୁକେକୁ ପଛରେ ପକାଇ ପଞ୍ଚମ ବୃହତ ଅର୍ଥନୀତି ପାଲଟିଥିଲା । ଏବେ ଏହା ଜାପାନକୁ ଅତିକ୍ରମ କରିବାକୁ ଯାଉଛି । ତେବେ ମୁଣ୍ଡପିଛା ଆୟ ହେଉ କି ସାମାଜିକ ସୁରକ୍ଷା ଅନେକ କ୍ଷେତ୍ରରେ ଭାରତଠୁ ଆଗରେ ରହିଛି ଜାପାନ ।
ମୁଣ୍ଡପିଛା ଆୟରେ ଜାପାନ ଆଗରେ
କୌଣସି ଦେଶର ମୋଟ୍ ଜାତୀୟ ଆୟକୁ ମୋଟ୍ ଜନସଂଖ୍ୟାରେ ବିଭାଜନ କଲେ ଜଣାପଡେ ମୁଣ୍ଡପିଛା ଆୟ । ଏହା ଦେଶର ନାଗରିକଙ୍କ ହାରାହାରି ଆୟର ସ୍ତରକୁ ଦର୍ଶାଏ । ୨୦୨୫ରେ ଭାରତରେ ମୁଣ୍ଡପିଛା ଆୟ ୨ହଜାର ୮ଶହରୁ ୨ହଜାର ୯୩୭ ଡଲାର ରହିଥିବା ବେଳେ ଜାପାନରେ ମୁଣ୍ଡପିଛା ଆୟ ୩୩ହଜାର ୧୩୮ରୁ ୫୩ହଜାର ୫୯ ଡଲାର ରହିଛି । ଭାରତର ମୁଣ୍ଡପିଛା ଆୟ ଜାପାନ ତୁଳନାରେ ପ୍ରାୟ ୧୨ଗୁଣା କମ୍ । ଜାପାନ ନାଗରିକଙ୍କ ମୁଣ୍ଡପିଛା ଆୟ ଅଧିକ ରହିଥିବାରୁ ସେଠାକାର ଲୋକଙ୍କ ଜୀବନସ୍ତର, ଖର୍ଚ୍ଚ କରିବା କ୍ଷମତା ଓ ଜୀବନର ଗୁଣବତ୍ତା ଭାରତଠୁ ଅଧିକ ଭଲ । ସେହିପରି କେଉଁ ଦେଶର ଲୋକ ହାରାହାରି କେତେ ବର୍ଷ ବଞ୍ଚନ୍ତି, ତାର ସଂପର୍କ ଦେଶର ଅର୍ଥବ୍ୟବସ୍ଥା, ଭିତ୍ତିଭୂମି ଓ ସ୍ବାସ୍ଥ୍ୟସେବା ସହ ରହିଥାଏ । ୨୦୨୧ ତଥ୍ୟ ଅନୁସାରେ ଭାରତୀୟ ହାରାହାରି ୬୯ରୁ ୭୦ବର୍ଷ ବଞ୍ଚୁଥିବା ବେଳେ ଜାପାନରେ ହାରାହାରି ବୟସ ୮୪ରୁ ୮୫ ବର୍ଷ ।
ଶିକ୍ଷା, ରୋଜଗାରରେ କିଏ ଆଗରେ?
ଭାରତରେ ସାକ୍ଷରତା ହାର ୭୭.୭ ପ୍ରତିଶତ ରହିଥିଲେ ମଧ୍ୟ ଦେଶରେ ଗୁଣାତ୍ମକ ଶିକ୍ଷା ଓ ଦକ୍ଷତା ବିକାଶର ଅଭାବ ରହିଛି । ଗ୍ରାମାଞ୍ଚଳରେ ସ୍କୁଲ ଭିତ୍ତିଭୂମି ଓ ଶିକ୍ଷକଙ୍କ ଅଭାବ ରହିଛି । ଯେଉଁଠି ଶିକ୍ଷକ ଅଛନ୍ତି, ସେଠାରେ ଶିକ୍ଷାଦାନର ଗୁଣାତ୍ମକ ଦିଗକୁ ନେଇ ପ୍ରଶ୍ନ ଉଠିଛି । ସେପଟେ ଜାପାନରେ ସାକ୍ଷରତା ହାର ପାଖାପାଖି ଶତ ପ୍ରତିଶତ । ସେଠାରେ ଶିକ୍ଷା ପ୍ରଣାଳୀ ତଥା ଟେକ୍ନୋଲୋଜି ଶିକ୍ଷା ବିଶ୍ବସ୍ତରର ରହିଛି । ଅନେକ ଦେଶ ଜାପାନର ପ୍ରଯୁକ୍ତି ବିଦ୍ୟା ଓ ଦକ୍ଷତା ବିକାଶକୁ ଅନୁକରଣ କରନ୍ତି । ସେହିପରି ରୋଜଗାର କ୍ଷେତ୍ରରେ ବି ଜାପାନ ଆଗରେ । ଅନ୍ତର୍ଜାତୀୟ ଶ୍ରମ ସଂଗଠନ ତଥ୍ୟ ଅନୁସାରେ ୨୦୨୩ରେ ଭାରତରେ ବେକାରୀ ହାର ୬.୧ପ୍ରତିଶତ ଥିଲା । ଯେବେକି ଜାପାନରେ ବେକାରୀ ହାର ମାତ୍ର ୨.୫ ପ୍ରତିଶତ । ଭାରତରେ ୯୦ପ୍ରତିଶତ ଲୋକଙ୍କୁ ରୋଜଗାର ତ ମିଳେ, ହେଲେ ବେତନ୍ କମ ଓ ଅସୁରକ୍ଷା ଅଧିକ ରହିଥାଏ ।
ଉତ୍ପାଦନ, ପ୍ରଯୁକ୍ତି ବିଦ୍ୟା
ମାନୁଫାକ୍ଚରିଂ ବା ଉତ୍ପାଦନ ଯେକୌଣସି ଅର୍ଥବ୍ୟବସ୍ଥାର ବଡ଼ ଅଂଶ । ବିଶ୍ବ ବ୍ୟାଙ୍କ ତଥ୍ୟ ଅନୁସାରେ ଭାରତର ମାନୁଫାକ୍ଚରିଂ କ୍ଷେତ୍ର ମୋଟ୍ ଜିଡିପିକୁ ୧୩ରୁ ୧୪ପ୍ରତିଶତ ଯୋଗଦାନ କରେ । ମେକ ଇନ୍ ଇଣ୍ଡିଆ ଅଭିଯାନ ମାନୁଫାକ୍ଚରିଂ କ୍ଷେତ୍ରକୁ ବଡ଼ ପୁସ୍ ମିଳିଛି। ତେବେ ଜାପାନର ମାନୁଫାକ୍ଚରିଂ କ୍ଷେତ୍ରରୁ ଜିଡିପିକୁ ଯୋଗଦାନ ୨୦ପ୍ରତିଶତରୁ ଅଧିକ । ଅଟୋମୋବାଇଲ୍, ଇଲେକ୍ଟ୍ରୋନିକ୍ସ ଓ ରୋବୋଟିକ୍ସରେ ବିଶ୍ବରେ ଶ୍ରେଷ୍ଠ ସ୍ଥାନରେ ରହିଛି ଜାପାନ । ସେହିପରି ୟୁନେସ୍କୋ ତଥ୍ୟ ଅନୁସାରେ, ଭାରତ ଗବେଷଣା ଓ ବିକାଶ ଉପରେ ଜିଡିପିର ୦.୭ପ୍ରତିଶତ ଖର୍ଚ୍ଚ କରେ । ଯେବେକି ଜାପାନ ଏହି କ୍ଷେତ୍ରରେ ୩.୩ ପ୍ରତିଶତ ଖର୍ଚ୍ଚ କରେ । ରୋବୋଟିକ୍ସ, ଏଆଇ ଓ ଇଲେକ୍ଟ୍ରୋନିକ୍ସରେ ଓ୍ବାର୍ଲ ଲିଡର ରହିଛି ଜାପାନ ।
ସାମାଜିକ ସୁରକ୍ଷା କୌଣସି ଦେଶର ନାଗରିକଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ କରେ । ଅନ୍ତର୍ଜାତୀୟ ଶ୍ରମ ସଂଗଠନ ବା ଆଇଏଲଓର ୨୦୨୧ ତଥ୍ୟ ଅନୁସାରେ, ଭାରତର କେବଳ ୪୯ପ୍ରତିଶତ ଜନସଂଖ୍ୟାଙ୍କୁ ହିଁ ସାମାଜିକ ସୁରକ୍ଷା କଭରେଜ ମିଳେ । ତେବେ ଜାପାନରେ ସାମାଜିକ ସୁରକ୍ଷାର ପରିସର ବ୍ୟାପକ । ଭାରତ ବିଶ୍ବର ଚତୁର୍ଥ ବୃହତ ଅର୍ଥନୀତି ହେବାକୁ ଯାଉଛି ସତ, ହେଲେ ଏବେବି ଅନେକ ମାନକରେ ଜାପାନ ଭାରତଠୁ ଆଗରେ ରହିଛି । ଏହି ବ୍ୟବଧାନ କମାଇବାକୁ ହେଲେ ଭାରତକୁ ସାମଗ୍ରିକ ବିକାଶ, ନୀତିଗତ ପରିବର୍ତ୍ତନ ଓ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ନିବେଶ କରିବାକୁ ପଡିବ । ଯାହାଦ୍ବାରା ଆର୍ଥିକ ଅଭିବୃଦ୍ଧିର ଲାଭ ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚିପାରିବ ।
Comments are closed.