Latest Odisha News

ଦୁବାଇରେ ତାଲିବାନ ମନ୍ତ୍ରୀ ସହ ଭାରତୀୟ ବୈଦେଶିକ ସଚିବଙ୍କ ଆଲୋଚନା

ନୂଆଦିଲ୍ଲୀ: ଭାରତ ପ୍ରଥମ ଥର ପାଇଁ ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନ ସହିତ ଉଚ୍ଚସ୍ତରୀୟ ଆଲୋଚନା କରିଛି। ବୈଦେଶିକ ସଚିବ ବିକ୍ରମ ମିସ୍ରି ବର୍ତ୍ତମାନ ଦୁବାଇ ଗସ୍ତରେ ଅଛନ୍ତି। ଭାରତୀୟ ବୈଦେଶିକ ସଚିବ ବିକ୍ରମ ମିସ୍ରି ଦୁବାଇରେ ଆଫଗାନିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତ୍ତାକିଙ୍କୁ ଭେଟିଛନ୍ତି।

ମନ୍ତ୍ରଣାଳୟ ବିବୃତ୍ତିରେ କହିଛି ଯେ, ଆଫଗାନିସ୍ତାନ ସରକାର ଭାରତର ସୁରକ୍ଷା ଚିନ୍ତାକୁ ଧ୍ୟାନରେ ରଖିଛନ୍ତି। ଭାରତର ସବୁଠାରୁ ବଡ ଚିନ୍ତା ହେଉଛି ଯେ, ଭାରତ ବିରୋଧୀ ଆତଙ୍କବାଦୀ ଗୋଷ୍ଠୀକୁ ଆଫଗାନିସ୍ତାନର ମାଟିରେ ସ୍ଥାନ ଦିଆନଯାଉ। ଆଫଗାନିସ୍ତାନ ଅଞ୍ଚଳକୁ ଭାରତ ବିରୋଧରେ ବ୍ୟବହାର କରିବାକୁ ତାଲିବାନ ଅନୁମତି ଦେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଏହି ବୈଠକରେ ଦ୍ୱିପାକ୍ଷିକ ସମ୍ପର୍କ ଠାରୁ ଆରମ୍ଭ କରି ଆଞ୍ଚଳିକ ବିକାଶ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ବିଦେଶ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି, ଏହି ସମୟରେ ଆଫଗାନିସ୍ତାନରେ ଭାରତର ସୁରକ୍ଷାକୁ ନେଇ ଚିନ୍ତା, ନିକଟ ଭବିଷ୍ୟତରେ ଦୁଇ ଦେଶ ମଧ୍ୟରେ ବିକାଶମୂଳକ ପ୍ରକଳ୍ପ ବିଷୟରେ ବିଚାର କରିବା ଆବଶ୍ୟକ , ପାକିସ୍ତାନରୁ ଆଫଗାନିସ୍ତାନ ଶରଣାର୍ଥୀଙ୍କ ପୁନର୍ବାସରେ ସହାୟତା ଉପରେ ଆଲୋଚନା କରାଯାଇଥିଲା। କିନ୍ତୁ ଆଲୋଚନା ହୋଇଥିବା ଦୁଇଟି ବଡ ପ୍ରସଙ୍ଗ ହେଲା ଇରାନର ଚାବହର ବନ୍ଦରର ବ୍ୟବହାର ଏବଂ ଦୁଇ ଦେଶ ମଧ୍ୟରେ କ୍ରିକେଟ ଖେଳ ସମ୍ବନ୍ଧ ।

ଉଭୟ ପକ୍ଷ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ମାନବିକ ସହାୟତା କାର୍ଯ୍ୟକ୍ରମର ମୂଲ୍ୟାଙ୍କନ କରିଛନ୍ତି। ଏଥିପାଇଁ ଆଫଗାନିସ୍ତାନ ମନ୍ତ୍ରୀ ମଧ୍ୟ ଭାରତ ସରକାରଙ୍କୁ ପ୍ରଶଂସା କରିଛନ୍ତି।

ଆଫଗାନିସ୍ତାନ ମାଟିରେ ପାକିସ୍ତାନର ଏୟାରଷ୍ଟ୍ରାଇକ ଘଟଣାକୁ ଭାରତ ଦୃଢ଼ ନିନ୍ଦା କରିଛି। ପାକିସ୍ତାନ ସବୁବେଳେ ନିଜର ଆଭ୍ୟନ୍ତରୀଣ ସମସ୍ୟା ଲୁଚାଇବା ସକାଶେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକୁ ଦୋଷ ଦେଇଆସୁଛି ବୋଲି ଭାରତ କହିଛି।

 

Leave A Reply

Your email address will not be published.