Latest Odisha News

BREAKING NEWS

ଦିନିକିଆ ବିଶ୍ୱକପରେ ଟିମ ଇଣ୍ଡିଆ: କାହା ବିପକ୍ଷରେ ସିକନ୍ଦର ତ ଆଉ କାହା ବିରୋଧରେ ଜୋକର

ଭାରତରେ ବିଶ୍ୱକପର ୨୦୨୩ ସଂସ୍କରଣ ଆରମ୍ଭ ହୋଇଯାଇଛି । ୧୯୮୩ ଓ ୨୦୧୧ ପରେ ଭାରତ ପୁନର୍ବାର ବିଶ୍ୱକପ ଜିତିବ ବୋଲି ପ୍ରଶଂସକମାନେ ଆଶା ବାନ୍ଧି ବସିଛନ୍ତି । ବିଶ୍ୱକପରେ ଓଭରାଲ ଟିମ ଇଣ୍ଡିଆର ପ୍ରଦର୍ଶନ ସେ ଭଳି କିଛି ଖରାପ ନାହିଁ । ଭାରତ ସମୁଦାୟ ୮୯ ମ୍ୟାଚ ଖେଳି ୫୩ରେ ବିଜୟ ହାସଲ କରିଛି । ୩୩ ମ୍ୟାଚରେ ପରାଜିତ ହୋଇଛି । ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଟିମ ବିଶ୍ୱକପରେ ଭାରତକୁ ସବୁଠାରୁ ଅଧିକ ଅସୁବିଧାରେ ପକାଇଛନ୍ତି । ସେହିପରି ପାକିସ୍ତାନ ଏବେ ବି ଦିନିକିଆ ବିଶ୍ୱକପରେ ଟିମ ଇଣ୍ଡିଆକୁ ହରାଇବା ସ୍ୱପ୍ନ ଦେଖୁଛି ।

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୧୨ଟି ମ୍ୟାଚ ଖେଳିଛି । ୧୯୮୩, ୧୯୮୭, ୨୦୧୧ ଓ ୨୦୧୯ରେ ବିଜୟ ହାସଲ କରିଥିବା ବେଳେ ଅନ୍ୟ ୮ଟି ମ୍ୟାଚରେ ପରାଜିତ ହୋଇଛି । ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଭାରତ ଏ ପର୍ଯ୍ୟନ୍ତ ୭ ଥର ସାମ୍ନାସାମ୍ନି ହୋଇଛନ୍ତି । ଭାରତ ସମସ୍ତ ମ୍ୟାଚରେ ବିଜୟ ହାସଲ କରିଛି । ୧୯୯୨, ୧୯୯୬, ୧୯୯୯, ୨୦୦୩, ୨୦୧୧, ୨୦୧୫ ଓ ୨୦୧୯ରେ ଉଭୟ ଟିମ ସାମ୍ନା ସାମ୍ନି ହୋଇଥିଲେ ।

ଆଫଗାନିସ୍ତାନ ବିପକ୍ଷରେ ଭାରତ ଏ ପର୍ଯ୍ୟନ୍ତ ୨୦୧୯ରେ ଗୋଟିଏ ମ୍ୟାଚ ଖେଳିଛି । ଏଥିରେ ସହଜରେ ଟିମ ଇଣ୍ଡିଆ ଜିତିଛି । ସେହିପରି ବାଂଲାଦେଶ-ଭାରତ ମଧ୍ୟରେ ବିଶ୍ୱକପରେ ୪ଟି ମ୍ୟାଚ ଖେଳାଯାଇଛି । ୨୦୧୧, ୨୦୧୫ ଓ ୨୦୧୯ରେ ଭାରତ ଜିିତଥିବା ବେଳେ ୨୦୦୭ରେ ବାଂଲାଦେଶଠାରୁ ହାରିଥିଲା ।

ନ୍ୟୁଜିଲାଣ୍ଡ ଏ ଭଳି ଏକ ଟିମ ଯିଏ କି ଭାରତକୁ ବିଶ୍ୱକପ ହାସଲ କରାଇବାରେ ବଡ ପ୍ରତିବନ୍ଧ ସାଜିଛି । ଉଭୟ ଟିମ ମଧ୍ୟରେ ୯ଟି ମ୍ୟାଚ ଖେଳାଯାଇଛି । କିୱି ଟିମ ୫ ଥର ଜିତିଥିବା ବେଳେ ଭାରତ ୩ଥର ବିଜୟୀ ହୋଇଛି । ୨ ଥର ସେମିଫାଇନାଲରେ ଭାରତକୁ ନ୍ୟୁଜିଲାଣ୍ଡ ହରାଇଛି । ଅନ୍ୟ ପ୍ରମୁଖ ଟିମ ମଧ୍ୟରେ ଇଂଲଣ୍ଡର ରେକର୍ଡ ମଧ୍ୟ ଭାରତ ବିରୋଧରେ ଭଲ ରହିଛି । ଇଂଲଣ୍ଡ ଓ ଭାରତ ମଧ୍ୟରେ ଓଭରାଲ ୮ଟି ମ୍ୟାଚ ଖେଳାଯାଇଛି । ଭାରତ ୩ ଥର ଜିତିଥିବା ବେଳେ ୪ଥର ହାରିଛି । ଗୋଟିଏ ମ୍ୟାଚ ଟାଇ ରହିଛି ।

୨୦୧୧ରେ ଶ୍ରୀଲଙ୍କାକୁ ହରାଇ ଭାରତ ଚାମ୍ପିୟନ ହୋଇଥିଲା । ଉଭୟ ଦେଶ ମଧ୍ୟରେ ଏ ପର୍ଯ୍ୟନ୍ତ ୯ଥର ମୁକାବିଲା ହୋଇଛି । ଭାରତ ୪ ଓ ଶ୍ରୀଲଙ୍କା ୪ଥର ଲେଖାଁଏ ବିଜୟୀ ହୋଇଛନ୍ତି । ଗୋଟିଏ ମ୍ୟାଚ ବାତିଲ ହୋଇଛି । ବିଶ୍ୱକପରେ ଚୋକର୍ସ ଭାବେ ପରିଚିତ ଦକ୍ଷିଣ ଆଫ୍ରିକା ୫ଥର ଭାରତକୁ ଭେଟିଛି । ଟିମ ଇଣ୍ଡିଆ ୨ଟି ଏବଂ ଦକ୍ଷିଣ ଆଫ୍ରିକା ୩ଟି ମ୍ୟାଚରେ ବିଜୟୀ ହୋଇଛନ୍ତି । ୨୦୦୩ ଓ ୨୦୧୧ରେ ନେଦରଲାଣ୍ଡ ବିପକ୍ଷରେ ଭାରତ ୨ଟି ମ୍ୟାଚ ଖେଳି ବିଜୟ ହାସଲ କରିଛି ।

Leave A Reply

Your email address will not be published.