Latest Odisha News

BREAKING NEWS

ଚିନ୍ତାଜନକ: କୋଭିଡ ଦୁର୍ବଳ ବେଳେ ବଢୁଛି ବେରୋଜଗାରୀ

ନୂଆଦିଲ୍ଲୀ: ସୁଧୁରିନି ଦେଶର ବେରୋଜଗାରୀ ସ୍ଥିତି । ଅଧିକାଂଶ ସ୍ଥାନରେ କରୋନା ମହାମାରୀ କଟକଣା ହଟିବା ପରେ ବି ବେରୋଜଗାରୀ ସଂଖ୍ୟା ବଢିବା ଏବଂ ଦେଶର ଶ୍ରମ ଶକ୍ତି ବା ଶ୍ରମିକ ସଂଖ୍ୟା କମିଚାଲିଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଏପରି କିଛି ଦର୍ଶାଇଛି।

ଚଳିତ ବର୍ଷ ମାର୍ଚ୍ଚରେ ଦେଶରେ ବେରୋଜଗାରୀ ହାର ୭.୬ ପ୍ରତିଶତ ରହିଛି । ଯାହା ଫେବୃଆରୀରେ ୮.୧ ପ୍ରତିଶତ ଥିଲା।  ସେହିପରି ଦେଶରେ ଶ୍ରମିକ ଅଣସଂଗ୍ରଣ ହାର ମଧ୍ୟ କମିଛି । ଫେବୃଆରୀରେ ଏହା ୩୯.୯ ପ୍ରତିଶତ ଥିବା ବେଳେ ମାର୍ଚ୍ଚରେ ଏହା ୩୯.୫ ପ୍ରତିଶତ ହୋଇଛି। ଯାହାକି ୨୦୨୧ ଏପ୍ରିଲ-ଜୁନରେ ଏହି ଶ୍ରମିକ ଅଣସଂଗ୍ରଣ ହାର ୩୯.୬ ପ୍ରତିଶତ ଥିଲା । ହାରାହାରି ଏହା ୪୦ ପ୍ରତିଶତ ଥିଲା ଏପ୍ରିଲ-ଜୁନ ମାସ ମଧ୍ୟରେ । ବଡ଼ କଥା ହେଉଛି ସେତେବେଳେ ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଥିଲା। ଯେଉଁ ସମୟରେ ଅନେକ ଲୋକ କରୋନାରେ ପ୍ରାଣ ହରାଇଥିଲେ ।

ମାର୍ଚ୍ଚ ୨୦୨୨ରେ ଦେଶର ଶ୍ରମ ଶକ୍ତି ୩.୮ ନିୟୁତରୁ ଖସି ୪୨୮ ନିୟୁତକୁ ହ୍ରାସ ପାଇଛି। ଜୁଲାଇ ୨୦୨୧ ପରେ ଆଠ ମାସ ମଧ୍ୟରେ ଏହା ସର୍ବନିମ୍ନ ଶ୍ରମ ଶକ୍ତି । ସେହିପରି ମାର୍ଚ୍ଚ ୨୦୨୨ରେ ନିଯୁକ୍ତି ୧.୪ ନିୟୁତରୁ ଖସି ୩୯୬ ନିୟୁତକୁ ହ୍ରାସ ପାଇଛି । ଯାହା ଜୁନ୍ ୨୦୨୧ ଠାରୁ ସର୍ବନିମ୍ନ ସ୍ତର। ମାର୍ଚ୍ଚ ୨୦୨୨ରେ ବେରୋଜଗାର ସଂଖ୍ୟା ୨.୪ ଲକ୍ଷ ହ୍ରାସ ପାଇଛି।

ଗତ ମାସରେ ଶ୍ରମ ଶକ୍ତି ପରିସଂଖ୍ୟାନ ଦେଶର ଅର୍ଥନୀତି ପାଇଁ ବଡ ଚ୍ୟାଲେଞ୍ଜ ବୋଲି ସୂଚାଇ ଦେଇଛି। ଦେଶରେ ଶ୍ରମ ଶକ୍ତି କମିବା ଅର୍ଥ ଲୋକେ ଚାକିରି ପାଇବାରେ ବିଫଳ ହୋଇ ଏବେ ଚାକିରି ଖୋଜିବା ମଧ୍ୟ ବନ୍ଦ କରିଇଛନ୍ତି ତେଣୁ କୌଣସି ଚାକିରି ଆଉ ତାଙ୍କ ପାଇଁ ନାହିଁ ବୋଲି ଭାବି ନିରାଶ ହୋଇଛନ୍ତି।

ତେବେ ଏକାଥରେ ରୋଜଗାର ଏବଂ ବେରୋଜଗାର ହାର କମିବା ଭାରତ ପାଇଁ ପ୍ରଥମ ଘଟଣା ନୁହଁ। ତିନି ବର୍ଷ ପୂର୍ବରୁ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା ବୋଲି ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି କହିଛି।

ଦେଶରେ ଶ୍ରମିକ ଅଣସଂଗ୍ରଣ ହାର (ଏଲପିଆର) କମିବା ଅର୍ଥ ନିଯୁକ୍ତି ସୁଯୋଗ ନାହିଁ । ଏଲପିଆର ରିପୋର୍ଟ ପ୍ରସ୍ତୁତ ହେବା ବେଳେ ଦେଶର ଶ୍ରମିକ ଶକ୍ତି ଏବଂ ସେମାନଙ୍କ ବୟସକୁ ନେଇ ମପାଯାଇଥାଏ । ବିଭିନ୍ନ ବର୍ଗର ଲୋକଙ୍କର କାମ କରିବା ସଂଖ୍ୟା ବଢିଛି । କିନ୍ତୁ ସେହି ତୁଳନାରେ ନିଯୁକ୍ତି କିନ୍ତୁ ନାହିଁ । ତେଣୁ ଏଲପିଆର ହ୍ରାସ ପାଇଛି ।

ସେହିପରି ଦେଶରେ ରୋଜଗାର ହାର କମିବା ଦେଶ ପାଇଁ ଚିନ୍ତାଜନକ ସ୍ଥିତି । ଅଣ କୃଷି କ୍ଷେତ୍ରରେ ୧୬.୭ ମିଲିଅନ ଚାକିରି ଖସିଛି । କିନ୍ତୁ କୃଷି କ୍ଷେତ୍ରରେ ନିଯୁକ୍ତିରେ ୧୫.୩ ନିୟୁତ ବୃଦ୍ଧି ହୋଇଛି। କୃଷି କ୍ଷେତ୍ରରେ ଏତେ ପରିମାଣର ନିଯୁକ୍ତି ବୃଦ୍ଧି ସମ୍ଭବତଃ ରବି ଅମଳ ପାଇଁ ପ୍ରସ୍ତୁତି ପାଇଁ ହୋଇଛି ବୋଲି କୁହାଯାଉଛି । କାରଣ ଏହି ସମୟରେ ଶ୍ରମିକମାନଙ୍କ ଚାହିଦା ରହିଥାଏ। ତେଣୁ ମାର୍ଚ୍ଚରେ କୃଷି କ୍ଷେତ୍ରରେ ନିଯୁକ୍ତି ବୃଦ୍ଧି ସ୍ୱଳ୍ପ ସମୟ ପାଇଁ ବୋଲି କୁହାଯାଉଛି। ଯେହେତୁ ଦେଶର ଅଧିକାଂଶ ଲୋକ ଅଣ କୃଷି କ୍ଷେତ୍ରରେ କାମ କରନ୍ତି ତେଣୁ ଏହି କ୍ଷେତ୍ରରେ ବେରୋଜଗାର ବଢିବା ଚିନ୍ତାଜନକ। ମାର୍ଚ୍ଚରେ ଶିଳ୍ପ କ୍ଷେତ୍ରରେ ୭.୬ ନିୟୁତ, ଉତ୍ପାଦନ କ୍ଷେତ୍ରରେ ୪.୧ ନିୟୁତ, ନିର୍ମାଣ କ୍ଷେତ୍ରରେ ୨.୯ ନିୟୁତ ଏବଂ ଖଣି କ୍ଷେତ୍ରରେ ୧.୧ ନିୟୁତ ଚାକିରି ଚାକିରି ହ୍ରାସ ପାଇଛି ବୋଲି ଜଣାପଡିଛି।

Leave A Reply

Your email address will not be published.