ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୩
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରଥମ ସ୍ୱରୂପ ଚିନ୍ତା କଲେ “ଆଦି ନୃସିଂହ” ଙ୍କ ଉପାସନା କଥା ମନକୁ ଆସେ। କାରଣ “ନୀଳମାଧବ “ବିଗ୍ରହ ଅଦୃଶ୍ୟ ହେବା ପରେ ନାରଦଙ୍କ ପରାମର୍ଶ ରେ ରାଜା ଇନ୍ଦ୍ରଦ୍ୟୁମ୍ନ ଅଶ୍ଵମେଦ୍ଧ ଯଜ୍ଞର ଆୟୋଜନ କରି ବ୍ରହ୍ମlଙ୍କୁ ସ୍ମରଣ କରନ୍ତେ ସର୍ବମନ୍ତ୍ର ଶ୍ରେଷ୍ଠ “ପରମେଷ୍ଟି “ମନ୍ତ୍ରରେ ଅଭିଷିକ୍ତ କରାଇ ଆଦି ନୃସିଂହଙ୍କୁ ପ୍ରକଟ କରାଇ ଥିଲେ। କିନ୍ତୁ ନୃସିଂହ ମହାପ୍ରଭୁଙ୍କର ଅଦ୍ଭୁତ ରୁପ ଦର୍ଶନରେ ସମସ୍ତେ ଭୟରେ କମ୍ପିବାକୁ ଲାଗିଲେ। ନାରଦ ପୁଣି ବ୍ରହ୍ମlଙ୍କୁ ପାର୍ଥନା କରି ଏଭଳି ବିକଟ ସ୍ୱରୂପ ଧାରଣ କରିଥିବା ପରଂବ୍ରହ୍ମ ନୃସିଂହଙ୍କ ପ୍ରକଟ ହେବାର କାରଣ ପୁଛନ୍ତେ, ବ୍ରହ୍ମl କହିଲେ “ଅବତୀର୍ଣଂ ଜଗନ୍ନାଥଂ ଦୃଷ୍ଟା ଦାରୁବପୁ ଧରମ୍, ଅବଜ୍ଞାସ୍ୟନ୍ତି ବୈ ଲୋକା ସାକ୍ଷାତ ବ୍ରହ୍ମସ୍ୱରୂପିଣମ୍, ଅତତ୍ୱବେଦିନୋ ମୂଢ଼l ମହିମାନଂ ବଦନ୍ତ୍ଵିତି, ମନ୍ତ୍ରିତୋ ମନ୍ତ୍ରରାଜେନ ଯେନାୟଂ ପରମେଷ୍ଠୀନୀ “(ସ୍କନ୍ଦ ପୁରାଣ ଉତ୍କଳ ଖଣ୍ଡ )। ଅର୍ଥାତ ଅତତ୍ୱ ବେତା ମୁଢ ମାନେ ପ୍ରତ୍ୟକ୍ଷ ପରଂବ୍ରହ୍ମ ସ୍ୱରୂପ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ (ଯେ ପ୍ରକାଶିତ ହେବେ )କାଳେ ଅବହେଳା କରିବେ, ସେ ହେତୁ ସର୍ବମନ୍ତ୍ର ଶ୍ରେଷ୍ଠ ପରମେଷ୍ଟି ମନ୍ତ୍ରରେ ଅଭିମନ୍ତ୍ରିତ କରି ସମସ୍ତଙ୍କୁ ସାବଧାନ କରିବା ପାଇଁ ଏଭଳି ଭୟଙ୍କର ସ୍ୱରୂପ ନୃସିଂହଙ୍କ ପ୍ରକଟ ହୋଇଛି। ପରେ ସମସ୍ତଙ୍କ ଅନୁରୋଧରେ ବ୍ରହ୍ମl ସେହି ଭୟଙ୍କର ନୃସିଂହ ମୂର୍ତ୍ତି ଙ୍କୁ ନୃସିଂହ ମନ୍ତ୍ରରେ ଅଭିଷିକ୍ତ କରାଇ ସ୍ଵ-ଉଗ୍ର ରୁପ ଧାରଣ ପାଇଁ ପାର୍ଥନା କରିଥିଲେ। ଶେଷରେ ଆଜି ଶ୍ରୀକ୍ଷେତ୍ରରେ ପୂଜିତ ଆଦିନୃସିଂହଙ୍କ ପ୍ରଶାନ୍ତ ମୂର୍ତ୍ତିକୁ ରାଜା ଇନ୍ଦ୍ରଦ୍ୟୁମ୍ନ ଦର୍ଶନ କରି ଯଜ୍ଞ ଆୟୋଜନ କରିଥିଲେ।
ଏହା ସାକ୍ଷାତ ଲଷ୍ମୀନାରାୟଣ ସ୍ୱରୂପ, ଅର୍ଥାତ ନୃସିଂହଙ୍କ ହୃଦପଦ୍ମରେ ଶ୍ରୀଲଷ୍ମୀ ଶୋଭା ପାଉଥିଲେ। ଯେଭଳି ପୁରୁଷ ଓ ପ୍ରକୃତି ରୂପେ ନାରାୟଣ ଓ ଲଷ୍ମୀ ସର୍ବତ୍ର ବିଦ୍ୟମାନ ସେଭଳି ନୃସିଂହ ଓ ଲଷ୍ମୀ ମଧ୍ୟ ପୂଜିତ। ତେଣୁ ଶ୍ରୀକ୍ଷେତ୍ରରେ ଲଷ୍ମୀ ନୃସିଂହ ପୂଜାର ପ୍ରଚଳନ ଅଛି । ରାଜା ଇନ୍ଦ୍ରଦ୍ୟୁମ୍ନ ଅଶ୍ୱମେଧ ଯଜ୍ଞ ଆୟୋଜନ ପରେ, ବ୍ରହ୍ମଦାରୁ ର ପ୍ରକଟ, ମୂର୍ତ୍ତି ନିର୍ମାଣ ସହ ମନ୍ଦିର ନିର୍ମାଣ ସାରି, ନାରଦଙ୍କ ପରାମର୍ଶରେ ରାଜା ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ପ୍ରତିଷ୍ଠା ପାଇଁ ବ୍ରହ୍ମl ଙ୍କୁ ନିମନ୍ତ୍ରଣ କରିବାବୁ ବ୍ରହ୍ମ ଲୋକ ଯାତ୍ରା କଲେ ଓ ବ୍ରହ୍ମl ଙ୍କୁ ନିମନ୍ତ୍ରଣ କରି ଆଣୁ ଆଣୁ ଅନେକ ବର୍ଷ ଅତିବାହିତ ହୋଇଗଲା କୁହାଯାଏ ଦ୍ଵିତୀୟ ମନୁ ସ୍ୱରୋଚିଷ ଙ୍କ ଆଦିଯୁଗ ଅତିବାହିତ ହୋଇଗଲା, ଏହା ମଧ୍ୟରେ ଉତ୍କଳର ରାଜା ଗାଲମାଧବ ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ନିର୍ମିତ୍ତ ମନ୍ଦିରକୁ ନିଜେ କରାୟତ କରି ସେଠାରେ ମାଧବ ମୂର୍ତ୍ତି ସ୍ଥାପନ କରି ପୂଜା କରୁଥିଲେ କିନ୍ତୁ ଦାରୁବ୍ରହ୍ମଙ୍କ ସନ୍ଧାନ ପାଇ ନଥିଲେ। ଯାହା ପୁନଃ ଶ୍ରୀମନ୍ଦିରକୁ ଅଣାଇ ବ୍ରହ୍ମlଙ୍କ ଦ୍ୱାରା ପରମେଷ୍ଠୀ ମନ୍ତ୍ରରେ ଅଭିମନ୍ତ୍ରିତ କଲେ। ଏହି ପ୍ରତିଷ୍ଠା ଉତ୍ସବ ବୈଶାଖ ମାସ ଶୁକ୍ଳ ଅଷ୍ଟମୀ ପୁଷ୍ୟl ନକ୍ଷତ୍ର ଗୁରୁବାର ଦିନ ସମାପନ ହୋଇଥିଲା।
ଯେହେତୁ ରାଜା ଗାଲମାଧବ ପ୍ରଥମେ ମାଧବ (ନୀଳମାଧବ ନୁହଁନ୍ତି ) ଉପାସନା କରୁଥିଲେ, ତେଣୁ ଶ୍ରୀମନ୍ଦିରରେ ପୁରୁଷ ଓ ପ୍ରକୃତି ସ୍ୱରୂପରେ (ଦୁର୍ଗା ମାଧବ )ଉପାସନା ମଧ୍ୟ ପ୍ରଚଳିତ। ଆଗକୁ ବିଭିନ୍ନ ପୁରାଣ ଆଧାରରେ ଶ୍ରୀଜଗନ୍ନାଥଙ୍କ ଉପାସନା ବିଷୟରେ ଜାଣିବା, କିନ୍ତୁ ବର୍ତ୍ତମାନ ଆରାଧନାର ବେଳ “ରକ୍ତାମ୍ଭୋ -ରୁହ ଦର୍ପ ଭଞ୍ଜନ ମହାସୌନ୍ଦର୍ଯ୍ୟ ନେତ୍ରଦ୍ବୟ, ମୁକ୍ତାହାର ବିଳମ୍ବି ହେମ ମୁକୁଟ ରତ୍ନ ଉଜ୍ବଳଂ କୁଣ୍ଡଳମ୍ । ବର୍ଷା ମେଘ ସମାନ ନୀଳବପୁଷ୍ପଂ ଗ୍ରେବେୟ ହାରାନ୍ବିତଂ, ପାର୍ଶ୍ୱେ ଚକ୍ରଧରଂ ପ୍ରସନ୍ନ ବଦଦଂ ନୀଳାଦ୍ରିନାଥଂ ଭଜେ ।”
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )