Latest Odisha News

ଦେଶରେ ସର୍ବାଧିକ ଥର ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ଚାମଲିଂ ଦୁଇଟି ଯାକ ଆସନରୁ ହାରିଲେ

ଗାଙ୍ଗଟକ: ରାଜନୀତିରେ କେହି ଅପରାଜୟ ଏବଂ ସବୁବେଳେ କ୍ଷମତାରେ ରହିବେ ବୋଲି ଦମ୍ବୋକ୍ତି ଦେଖାଇପାରିବେ ନାହିଁ। ଯାହା ଆଜି ସିକିମ ବିଧାନସଭା ନିର୍ବାଚନ ଫଳଫାଳରୁ ପ୍ରମାଣିତ ହୋଇଛି। ଭାରତର ସବୁଠାରୁ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ପବନ ଚାମଲିଂ ଏଥର ଦୁଇଟି ଯାକ ବିଧାନସଭା ଆସନରୁ ନିର୍ବାଚନ ଲଢି ହାରିଯାଇଛନ୍ତି। ଯାହାକୁ ନେଇ ପଲ୍ଲୀରୁ ଦିଲ୍ଲୀ ଆଲୋଚନା ହେଉଛି।

ସିକିମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିକିମ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏସଡିଏଫ) ସୁପ୍ରିମୋ ପବନ କୁମାର ଚାମଲିଂ ବିଧାନସଭା ନିର୍ବାଚନରେ ପୋକଲୋକ-କମରଙ୍ଗ ଏବଂ ନାମଚେବୁଙ୍ଗ ବିଧାନସଭା ଆସନରୁ ପରାଜିତ ହୋଇଛନ୍ତି। ପୋକଲୋକ-କାମରାଙ୍ଗରେ ଚାମଲିଙ୍ଗ ସିକିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସକେଏମ) ପ୍ରାର୍ଥୀ ଭୋଜରାଜ ରାୟଙ୍କ ଠାରୁ ୩୦୬୩ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି। ବିଜୟ ପ୍ରାର୍ଥୀ ଏହି ବିଧାନସଭା ଆସନରୁ ୮୦୩୭ ଖଣ୍ଡ ଭୋଟ୍ ପାଇଥିବା ବେଳେ ଚାମଲିଂଙ୍କୁ ମାତ୍ର ୪୯୭୪ ଖଣ୍ଡ ଭୋଟ୍ ମିଳିଛି।

ନାମଚେବୁଙ୍ଗ ନିର୍ବାଚନ ମଣ୍ଡଳୀରେ ଚାମଲିଂ ଏସକେଏମ ପ୍ରାର୍ଥୀ ରାଜୁ ବସନେଟଙ୍କଠାରୁ ୨୨୫୬ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି। ବାସ୍ନେଟ ଙ୍କ ୭୧୯୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଚାମଲିଂଙ୍କୁ ୪୯୩୯ ଖଣ୍ଡ ଭୋଟ୍ ମିଳିଥିଲା। ସିକିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସକେଏମ) ୩୨ ଆସନ ବିଶିଷ୍ଟ ବିଧାନସଭାରେ ଲଗାତାର ଦ୍ବିତୀୟ ଥର ପାଇଁ କ୍ଷମତାକୁ ଫେରିଛି।

ଏପ୍ରିଲ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ସିକିମର ୩୨ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ମତଦାନ ହୋଇଥିଲା। ୪.୬୪ ଲକ୍ଷ ଭୋଟରଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ମତଦାନ କରିଥିଲେ। ଦେଶର ଅନ୍ୟାନ୍ୟ ଆସନ ସହ ଜୁନ୍ ୪ ତାରିଖରେ ଏକମାତ୍ର ଲୋକସଭା ଆସନ ପାଇଁ ଭୋଟ୍ ଗଣତି ହେବ।

ଉଲ୍ଲେଖଯୋଗ୍ୟ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ସେ ପବନ ଚାମଲିଂଙ୍କ ରେକର୍ଡ ଭାଙ୍ଗିବେ। ବଡ଼କଥା ହେଉଛି ନବୀନ ପଟ୍ଟନାୟକ ମଧ୍ୟ ଏଥର ହିଞ୍ଜିଳି ସହିତ କଣ୍ଟାବାଞ୍ଜିରୁ ବିଧାନସଭା ଆସନ ଲଢ଼ୁଛନ୍ତି।

Comments are closed.