Latest Odisha News

BREAKING NEWS

ଭାରତ ବିରୋଧରେ ପାକିସ୍ତାନର ମିଛ

ନୂଆଦିଲ୍ଲୀ: ଭାରତ ସହ ମୁହାଁମୁହିଁ ହେଲା ପାକିସ୍ତାନ । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଉପୁଜିଥିଲା । ତେବେ ଯୁଦ୍ଧ କେବଳ ହତିଆରରେ ନୁହେଁ ଦୁଇ ଆଡେ ଚାଲିଥିଲା । ଗୋଟେପଟେ ସେନା ପାକିସ୍ତାନର ଆକ୍ରମଣ ଉଦ୍ୟମର ମୁହଁତୋଡ୍ ଜବାବ ଦେଉଥିଲା ତ ଅନ୍ୟପଟେ ଚାଲିଥିଲା ଇନଫର୍ମେସନ୍ ଓ୍ବାରଫେୟାର ବା ସୂଚନା ଯୁଦ୍ଧ । ଭାରତ ପିଓକେ ଓ ପାକିସ୍ତାନର ଆତଙ୍କୀ ଅଡ୍ଡାକୁ ଅପରେସନ୍ ସିନ୍ଦୂରରେ ଟାର୍ଗେଟ୍ କରିବା ପରେ ଭାରତ ବିରୋଧରେ ଅପପ୍ରଚାର ଆରମ୍ଭ କରିଥିଲା ପାକିସ୍ତାନ । ତେବେ ଭାରତର ମାଇଣ୍ଡଗେମ୍ ପାକିସ୍ତାନକୁ ମାତ୍ ଦେଇଥିଲା । ପାକିସ୍ତାନର ଗୋଟି ଗୋଟି ମିଛକୁ ତଥ୍ୟ ପ୍ରମାଣ ସହ ଖଣ୍ଡନ କରିଥିଲା ଭାରତ । ଫଳରେ ଅନ୍ତର୍ଜାତୀୟସ୍ତରରେ ଭାରତକୁ ଦୋଷୀ ଦେଖାଇବାକୁ ପାକିସ୍ତାନର ଚାଲ୍ ଫେଲ୍ ମାରିଥିଲା ।

ସୂଚନା ଯୁଦ୍ଧ କ’ଣ?

ଇନଫର୍ମେସନ୍ ଓ୍ବାରଫେୟାର ବା ସୂଚନା ଯୁଦ୍ଧର ଲକ୍ଷ୍ୟ ହେଲା ଯଥାସମ୍ଭବ କମ୍ ସଂଘର୍ଷରେ ପ୍ରତିପକ୍ଷକୁ ମାନସିକ ଭାବେ ପ୍ରଭାବିତ କରି ଜିତିବାକୁ ଉଦ୍ୟମ କରିବା । ଅର୍ଥାତ ସୂଚନା ଯୁଦ୍ଧ ଏକପ୍ରକାର ରାଜନୈତିକ ଯୁଦ୍ଧ । ଏହାର ଲକ୍ଷ୍ୟ ବିନା ରକ୍ତପାତରେ ଶତ୍ରୁକୁ ମାତ୍ ଦେବା । ସୂଚନା ଯୁଦ୍ଧର ପ୍ରୟୋଗ ଉଭୟ ଆକ୍ରାମକ ଓ ପ୍ରତିରକ୍ଷାତ୍ମକ ଭାବେ କରାଯାଏ । ଏହାର ଉପଯୋଗ ନେଟଓ୍ବର୍କ ଅପରେସନ୍, ଇଲେକ୍ଟ୍ରୋନିକ୍ ଯୁଦ୍ଧ, ମନୋବୈଜ୍ଞାନିକ ଅପରେସନ୍ ଭଳି ବିଭିନ୍ନ ଗତିବିଧି ପାଇଁ କରାଯାଏ । ଏହାର ଉଦାହରଣ ୨୦୦୬ ମାର୍ଚ୍ଚରେ ଦେଖିବାକୁ ମିଳିଥିଲା । ଇରାକରେ ଆମେରିକା ସେନାର ଅପରେସନ୍ ପରେ ଜୈସ ଅଲ୍ ମହଦି ଏକ ଭିଡିଓ ଜାରି କରି ଏହାର ସୈନିକଙ୍କୁ ଆମେରିକାର ସ୍ପେଶାଲ ଫୋର୍ସ ନମାଜ ପଢିବା ବେଳେ ମାରିଥିବା ଦେଖାଇଥିଲା ।

ଭାରତ ବିରୋଧରେ ପାକିସ୍ତାନର ମିଛ

ମେ ୭ତାରିଖରେ ଭାରତ ଅପରେସନ ସିନ୍ଦୂର କରିବା ପରେ ବିଶ୍ବକୁ ଭ୍ରମିତ କରିବାକୁ ପାକିସ୍ତାନ ମିଛ କାହାଣୀ ଶୁଣାଇବା ଆରମ୍ଭ କରିଥିଲା । ପୁରୁଣା ଫଟୋ ଓ ଭିଡିଓକୁ ଦେଖାଇ ମିଛ କହିଥିଲା ପାକିସ୍ତାନ । ଏପରିକି ଭାରତର ରାଫଲ୍ ଜେଟ୍ ଖସାଇବା, ସେନା ଯବାନଙ୍କୁ ବନ୍ଧକ ରଖିବା, ସାମରିକ ଭିତ୍ତିଭୂମିକୁ କ୍ଷତି ପହଞ୍ଚାଇବା, ଭାରତର ଏସ୍-୪୦୦ କ୍ଷେପଣାସ୍ତ୍ର ପ୍ରଣାଳୀ ଓ ବ୍ରହ୍ମୋସ କ୍ଷେପଣାସ୍ତ୍ର ସଂରକ୍ଷଣ ସ୍ଥାନକୁ ନଷ୍ଟ କରିଥିବା ନେଇ ମିଛ କାହାଣୀ ଶୁଣାଇଥିଲା । ଖାଲି ସେତିକି ନୁହେଁ ଜାମ୍ମୁ, ପଠାନକୋଟ୍, ଭଟିଣ୍ଡା, ସିରସାରେ ଭାରତୀୟ ଏୟାରବେସରେ ବ୍ୟାପକ କ୍ଷତି ନେଇ ବି କହିଥିଲା । ପାକିସ୍ତାନର ଆତଙ୍କୀ ଅଡ୍ଡାକୁ କେବଳ  ଭାରତ ଟାର୍ଗେଟ୍ କରିଥିବା ବେଳେ ମିଛରେ ସାଧାରଣ ନାଗରିକ ଓ ଧାର୍ମିକସ୍ଥଳୀକୁ ଟାର୍ଗେଟ୍ କରିଥିବା କହିଥିଲା ପାକିସ୍ତାନ । ଶତ୍ରୁ ଦେଶର ଉଚ୍ଚପଦସ୍ତ ଅଧିକାରୀ ଓ ମନ୍ତ୍ରୀ ଏଭଳି ବିଭ୍ରାନ୍ତିକର ବୟାନ ଦେଇଥିଲେ ।


ଭାରତ ଖୋଲିଦେଲା ପାକିସ୍ତାନର ପୋଲ୍

ଭାରତର ଏୟାର ଷ୍ଟ୍ରାଇକ୍ ପରଠୁ ମିଛ କାହାଣୀର ବନ୍ୟା କରିଥିଲା ପାକିସ୍ତାନ । ତେବେ ତଥ୍ୟ ଓ ସତ ସହ ଏହାର କାଉଣ୍ଟର କରିଥିଲା ଭାରତ । ଭିଡିଓ ପ୍ରମାଣ ଓ ମିଛ ଭିଡିଓର ଉତ୍ସ ଦେଖାଇ ପାକିସ୍ତାନର ପୋଲ୍ ଖୋଲିଥିଲା । ଆଉ ଏଥିପାଇଁ ଭାରତର ପ୍ରମୁଖ ଅସ୍ତ୍ର ସାଜିଥିଲା ପ୍ରେସ୍ ବ୍ରିଫିଂ। ଏସ୍-୪୦୦ କ୍ଷେପଣାସ୍ତ୍ର ପ୍ରଣାଳୀ, ବ୍ରହ୍ମୋସ କ୍ଷେପଣାସ୍ତ୍ର ସଂରକ୍ଷଣ ସ୍ଥାନ ଓ ଏୟାରବେସ କ୍ଷତି ନେଇ ପାକିସ୍ତାନର ମିଛ ଉପରୁ ପରଦା ଉଠାଇଥିଲା ଭାରତ । ପାକିସ୍ତାନର ମିଛକୁ ଭାରତ ଏଭଳି ଭାବେ କାଉଣ୍ଟର କରିଥିଲା ଯେ, ଅପପ୍ରଚାର ଉପରେ ରୋକ୍ ସାଙ୍ଗକୁ ସାରା ବିଶ୍ବରେ ପାକିସ୍ତାନର ବିଶ୍ବସନୀୟତାକୁ ନେଇ ପ୍ରଶ୍ନ ଉଠିଥିଲା । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠୁ ପାକିସ୍ତାନ ବିରୋଧରେ ଅନେକ କୁଟନୈତିକ ନିଷ୍ପତି ନେଇଥିଲା ଭାରତ । ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ କରିବା ହେଉ କି ପାକିସ୍ତାନ ସହ ବାଣିଜ୍ୟ ବନ୍ଦ କରିବା, ଭାରତ ଶତ୍ରୁ ଦେଶକୁ ଦେଇଥିଲା ସ୍ପଷ୍ଟ ବାର୍ତ୍ତା । ପାଣି ଓ ରକ୍ତ ଏକାଠି ବହିପାରିବ ନାହିଁ । ଅପରେସନ୍ ସିନ୍ଦୂର ପରେ ପାକିସ୍ତାନରୁ ମିଛ ସୂଚନାର ସୁଅ ଛୁଟିଥିଲା, ତେବେ ଭାରତ ରଣନୈତିକ ଭାବେ ଏହାର ମୁକାବିଲା କରିଥିଲା । ଫଳରେ ମିଛ ନାରେଟିଭ୍ ଗଢି ଭିକ୍ଟିମ୍ କାର୍ଡ ଖେଳିବାକୁ ପ୍ଲାନ୍ କରିଥିବା ପାକିସ୍ତାନ ଫେଲ୍ ମାରିଥିଲା।

Comments are closed.