ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ଭାରତର ଆକ୍ରମଣର ଭୟ ଘାରିଛି। ପଡ଼ୋଶୀ ଦେଶରେ ଏତେ ଭୟ ଯେ ସେମାନେ ବାରମ୍ବାର କହୁଛନ୍ତି, ଭାରତ ଯେ କୌଣସି ସମୟରେ ଆକ୍ରମଣ କରିପାରେ। ଏବେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି, ଭାରତ ଏଲଓସିରେ ଯେ କୌଣସି ସମୟରେ ଆକ୍ରମଣ କରିପାରେ।
ନ୍ୟୁଜ ଏଜେନ୍ସି ପିଟିଆଇ ରିପୋର୍ଟ ଅନୁସାରେ, ଇସଲାମାବାଦରେ ସାମ୍ବାଦିକଙ୍କ ସହ କଥା ହେବାବେଳେ ଆସିଫ କହିଛନ୍ତି, “ଖବର ଅଛି, ଭାରତ ଏଲଓସିରେ ଯେ କୌଣସି ସ୍ଥାନରେ ଆକ୍ରମଣ କରିପାରେ। ପାକିସ୍ତାନ ଏହାର ଦୃଢ଼ ଜବାବ ଦେବ।” ସେ ଆହୁରି କହିଛନ୍ତି, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ପହଲଗାମ ହମଲାର ଅନ୍ତର୍ଜାତୀୟ ତଦନ୍ତ ଦାବି କରିଛନ୍ତି।
ଆସିଫ କହିଛନ୍ତି, “ଏଭଳି ତଦନ୍ତରୁ ଜଣାପଡ଼ିବ ଯେ ଭାରତ ନିଜେ କିମ୍ବା କୌଣସି ଆଭ୍ୟନ୍ତରୀଣ ଗୋଷ୍ଠୀ ଏଥିରେ ଜଡ଼ିତ ଥିଲା। ଏହା ନୂଆଦିଲ୍ଲୀର ମିଛ ଅଭିଯୋଗର ସତ୍ୟତା ପ୍ରକାଶ କରିବ।” ଏହା ପ୍ରଥମ ନୁହେଁ ଯେ ପାକିସ୍ତାନର ମନ୍ତ୍ରୀ ଏଭଳି କହିଛନ୍ତି। ଗତ ସପ୍ତାହରେ ସୂଚନା ମନ୍ତ୍ରୀ ଅତ୍ତା ତାରାର କହିଥିଲେ, ଭାରତର ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ୨୪-୩୬ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସମୟ ଗଡ଼ିଗଲା, କୌଣସି ଆକ୍ରମଣ ହେଲା ନାହିଁ।
ସୋମବାର (୫ ମେ ୨୦୨୫) ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ସୈୟଦ ଅସିମ ମୁନିର ଦେଶର ସମ୍ମାନ ଓ ନାଗରିକଙ୍କ ସୁରକ୍ଷା ପାଇଁ ପୂରା ଶକ୍ତିରେ ଜବାବ ଦେବାକୁ କହିଛନ୍ତି। ୨୨ ଏପ୍ରିଲରେ ପହଲଗାମ ହମଲାରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା, ଯେଉଁଥିରେ ୨୫ ଜଣ ଥିଲେ ପର୍ଯ୍ୟଟକ। ଏହା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଜାରି ରହିଛି। ଭାରତରେ ପାକିସ୍ତାନକୁ କଡ଼ା ଜବାବ ଦେବା ପାଇଁ ଦାବି ଉଠୁଛି। ଏସବୁ ମଧ୍ୟରେ ଭାରତର ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ଚିଠି ଲେଖି ୭ ମେ ୨୦୨୫ରେ ମକ୍ ଡ୍ରିଲ କରିବାକୁ ନିର୍ଦ୍ଦେଶ ଦେଇଛି।
Comments are closed.