Latest Odisha News

BREAKING NEWS

ବିଦେଶୀ ନୁହେଁ ଏବେ ଶତ୍ରୁଙ୍କୁ ମାତ୍ ଦେବ ସ୍ବଦେଶୀ ଅସ୍ତ୍ର

ନୂଆଦିଲ୍ଲୀ: ବିଶ୍ବର ଅନ୍ୟତମ ବଡ଼ ସେନା ଭାରତୀୟ ସେନା। ହେଲେ ଲମ୍ବା ସମୟ ଧରି ଦେଶ ହତିଆର ଓ ପ୍ରତିରକ୍ଷା ଉପକରଣ ପାଇଁ ବିଦେଶ ଉପରେ ନିର୍ଭରଶୀଳ ରହିଆସିଛି। ଏବେ ଆତ୍ମନିର୍ଭର ଭାରତ ଓ ମେକ୍ ଇନ ଇଣ୍ଡିଆ ମାଧ୍ୟମରେ ପ୍ରତିରକ୍ଷା କ୍ଷେତ୍ରରେ ସ୍ବଦେଶୀକରଣ ଆଡକୁ ଆଗକୁ ବଢୁଛି ଭାରତ। ଅର୍ଥାତ ହତିଆର, ମିସାଇଲ୍, ବିମାନ ଓ ବିଭିନ୍ନ ପ୍ରତିରକ୍ଷା ଉପକରଣ ଏବେ ଭାରତ ନିଜେ ପ୍ରସ୍ତୁତ କରିବ। ତେବେ ପ୍ରଶ୍ନ ଉଠୁଛି, କେତେ ସ୍ବଦେଶୀ ହୋଇଛି ଭାରତ?

କେତେ ଆଗେଇଛି ସ୍ବଦେଶୀକରଣ?

ପୂର୍ବରୁ ୬୦ରୁ ୭୦ପ୍ରତିଶତ ବିଦେଶୀ ହତିଆର ଉପରେ ନିର୍ଭରଶୀଳ ରହୁଥିଲା ଭାରତ। ଷ୍ଟକହୋମ ଇଣ୍ଟର ନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ରିପୋର୍ଟ ଅନୁସାରେ ୨୦୧୪ରୁ ୨୦୧୮ମଧ୍ୟରେ ଭାରତ ବିଶ୍ବର ଦ୍ବିତୀୟ ସର୍ବାଧିକ ହତିଆର ଆମଦାନୀ କରିଥିବା ଦେଶ। ଭାରତ ମୋଟ୍ ବିଶ୍ବ ଆମଦାନୀର ୯.୫% ଅଂଶ ନେଉଥିଲା। ତେବେ ଗତ କିଛି ବର୍ଷ ମଧ୍ୟରେ ସ୍ଥିତି ବଦଳିଛି। ୨୦୧୮-୧୯ରେ ଆମଦାନୀ ୪୧.୮% ଥିବା ବେଳେ ୨୦୨୦-୨୧ରେ ଏହା ୩୬%କୁ କମିଥିଲା। ପ୍ରତିରକ୍ଷା ମନ୍ତ୍ରାଳୟ ପଜିଟିଭ ଇଣ୍ଡିନାଇଜେସନ୍ ଲିଷ୍ଟ ବା ପିଆଇଏଲ୍ ଜରିଆରେ ୪ହଜାର ୬୬୬ରୁ ଅଧିକ ପ୍ରତିରକ୍ଷା ସାମଗ୍ରୀ ସ୍ବଦେଶୀ ଭାବେ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାମଧ୍ୟରୁ ୨ହଜାର ୭୩୬ଟି ସାମଗ୍ରୀ ପୂର୍ବରୁ ହିଁ ସ୍ବଦେଶୀ ହୋଇସାରିଛି।

ବିଦେଶରୁ ମଗାଯାଉନି ଏସବୁ ହତିଆର

ହତିଆର ହେଉ କି ମିସାଇଲ୍ ଭାରତ ଏବେ ନିଜ ଦେଶରେ ପ୍ରସ୍ତୁତ କରିବାରେ ସଫଳ ହୋଇଛି। ଡିଆରଡିଓ, ଡିପିଏସୟୁ ଓ ଘରୋଇ କମ୍ପାନୀ ସହାୟତାରେ ପ୍ରତିରକ୍ଷା ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ଆକାଶ ମିସାଇଲ୍ ସିଷ୍ଟମରେ ୬୦%ରୁ ଅଧିକ ସ୍ବଦେଶୀ ସାମଗ୍ରୀର ବ୍ୟବହାର କରାଯାଉଛି। ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲ୍ ଭାରତ ଓ ଋଷ ମିଳିତ ଭାବେ ପ୍ରସ୍ତୁତ କରୁଥିଲେ। ହେଲେ ଏବେ ଏହାର ଅଧିକାଂଶ ଉତ୍ପାଦନ ଭାରତରେ ହେଉଛି। ଏପରିକି ଏହାକୁ ମିଆଁମାର, ଭିଏତନାମ ଓ ଫିଲିପାଇନ୍ସ ରପ୍ତାନୀ ବି କରାଯାଉଛି। ସଂପୂର୍ଣ୍ଣ ଭାବେ ଭାରତୀୟ ଡିଜାଇନରେ ପ୍ରସ୍ତୁତ ହୋଇଛି ନାଗ ଆଣ୍ଟି ଟ୍ୟାଙ୍କ ମିସାଇଲ୍। ସେହିପରି ପିନାକା ମଲ୍ଟି ବୈରଲ ରକେଟ୍ ଲଞ୍ଚର ଆର୍ମେନିଆ ରପ୍ତାନୀ କରାଯାଇଛି। ସେହିପରି ଅଗ୍ନି ସିରିଜ ଓ ରୁଦ୍ର-ଏମ୍ ମିସାଇଲ୍ ମଧ୍ୟ ଭାରତରେ ପ୍ରସ୍ତୁତ କରାଯାଉଛି।

ବିମାନ, ହେଲିକପ୍ଟର ବି ସ୍ବଦେଶୀ

ଭାରତୀୟ ବାୟୁସେନାର ସ୍ବଦେଶୀ ଫାଇଟର ଜେଟ୍ ନିର୍ମାଣ କରୁଛି ହାଲ୍। ଏଥିରେ ୬୦% ସ୍ବଦେଶୀ ସାମଗ୍ରୀ ବ୍ୟବହାର ହେଉଛି। ଡିଆରଡିଓ ଏବେ କାବେରୀ ଇଞ୍ଜିନ ପ୍ରସ୍ତୁତ କରୁଛି। ଏଏଲଏଚ୍ ଧ୍ରୁବ, ଏଲସିଏଚ୍ ପ୍ରଚଣ୍ଡ ଓ ଧ୍ରୁବ ପରି ହେଲିକପ୍ଟର ଦେଶରେ ନିର୍ମାଣ କରାଯାଉଛି। ସେହିପରି ଭାରତର ପ୍ରଥମ ସ୍ବଦେଶୀ ଏୟାରକ୍ରାଫ୍ଟ କ୍ୟାରିୟର ଆଇଏନଏସ ବିକ୍ରାନ୍ତରେ ୮୦% ସ୍ବଦେଶୀ ସାମଗ୍ରୀର ବ୍ୟବହାର କରାଯାଇଛି। ସେହିପରି ବରୁଣାସ୍ତ୍ର ଟାରପିଡୋ ତିଆରି କରିଛି ଡିଆରଡିଓ। ମାରିଚ ଓ ଉସୁସ ସଂପୂର୍ଣ୍ଣ ଭାବେ ସ୍ବଦେଶୀ ହୋଇଥିବା ବେଳେ ନୌସେନାର ପ୍ରଥମ ସ୍ବଦେଶୀ ଡାଇଭିଂ ସପୋର୍ଟ ଭେସଲ ନିସ୍ତାରରେ ୮୦% ସ୍ବଦେଶୀ ସାମଗ୍ରୀର ବ୍ୟବହାର ହୋଇଛି।

ଦେଶରେ ପ୍ରତିରକ୍ଷା ଭିତ୍ତିଭୂମିର ବିକାଶରେ ସ୍ବଦେଶୀ ସାମଗ୍ରୀର ବ୍ୟବହାର ବଢିଛି। ହେଲେ ଏବେବି ଉନ୍ନତ ଟେକ୍ନୋଲୋଜି, ଘରୋଇ କ୍ଷେତ୍ରର କମ୍ ଭାଗିଦାରୀ, ଆମଦାନୀ ଉପରେ ନିର୍ଭରଶୀଳତା ପରି ଅନେକ ଚ୍ୟାଲେଞ୍ଜ ରହିଛି। ତେବେ ୨୦୨୫ରେ ୫୦ହଜାର କୋଟିର ରପ୍ତାନୀ ଲକ୍ଷ୍ୟ ରଖାଯାଇଛି। ତେଜସ ପାଇଁ ସ୍ବଦେଶୀ ଇଞ୍ଜିନ ପ୍ରସ୍ତୁତ କରାଯାଉଛି। ଉତ୍ତରପ୍ରଦେଶ ଓ ତାମିଲନାଡୁରେ ପ୍ରତିରକ୍ଷା ଗୁଇନ୍ଦା କରିଡର ତିଆରି କରାଯାଇଛି। ଏହା ଉତ୍ପାଦନ ବଢାଇବ। ଭାରତ ଏଆଇ ଦ୍ବାରା ପରିଚାଳିତ ଡ୍ରୋନ୍ ଓ ହାଇପରସୋନିକ ଟେକ୍ନୋଲୋଜି ଉପରେ କାମ କରୁଛି।

Comments are closed.