ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନକୁ ଉଚିତ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ପୂର୍ବରୁ ଭାରତର ପାଣି ବାହାରକୁ ଚାଲିଯାଉଥିଲା କିନ୍ତୁ ଏବେ ଭାରତର ପାଣି ଭାରତ କାମରେ ଆସିବ ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରଖିଛି। ମଙ୍ଗଳବାର ସନ୍ଧ୍ୟାରେ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଆଜିକାଲି ଗଣମାଧ୍ୟମରେ ଜଳ ନେଇ ବହୁତ ଚର୍ଚ୍ଚା ହେଉଛି । ପୂର୍ବରୁ, ଭାରତର ଅଧିକାର ଥିବା ଜଳ ମଧ୍ୟ ଦେଶ ବାହାରକୁ ପ୍ରବାହିତ ହେଉଥିଲା। ଏବେ, ଭାରତର ଜଳ ଭାରତର ଲାଭ ପାଇଁ ପ୍ରବାହିତ ହେବ, ଭାରତର ଲାଭ ପାଇଁ ସଂରକ୍ଷିତ ହେବ, ଏବଂ ଭାରତର ପ୍ରଗତି ପାଇଁ ବ୍ୟବହାର ହେବ।”
ଏହି ବିବୃତ୍ତି ସହିତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଭାରତର ମତ ସ୍ପଷ୍ଟ କରିଦେଇଛନ୍ତି । ସିନ୍ଧୁ ଜଳ ଚୁକ୍ତିନାମାକୁ ବନ୍ଦ କରିବାର ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯିବ ନାହିଁ, “ଭାରତର ଜଳ ଭାରତର ସ୍ୱାର୍ଥ ପାଇଁ ବ୍ୟବହାର କରାଯିବ”।
ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ସରକାର ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରାଯିବାର କିଛି ଦିନ ପରେ ଆସିଛି । ବିଶ୍ୱ ବ୍ୟାଙ୍କ ମଧ୍ୟସ୍ଥତାରେ ୧୯୬୦ ମସିହାରେ ପାକିସ୍ତାନ ସହ ଏହାକୁ ହସ୍ତାକ୍ଷର କରାଯାଇଥିଲା । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଏହାକୁ ବାତିଲ କରାଯାଇଥିଲା । ଏହି ଆକ୍ରମଣରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କୁ ଆତଙ୍କୀମାନେ ଧର୍ମ ପଚାରି ହତ୍ୟା କରିଥିଲେ ।
ଏପଟେ ଆଜି ଅର୍ଥାତ୍ ୭ମେ ରେ ସାରା ଦେଶରେ ଏକ ମକ୍ ଡ୍ରିଲ୍ କରାଯିବ, ଯେଉଁଥିରେ ନାଗରିକମାନଙ୍କୁ ଆକ୍ରମଣ ହେଲେ ସେମାନେ କ’ଣ ସୁରକ୍ଷା ପଦକ୍ଷେପ ନେବା ଉଚିତ ସେ ବିଷୟରେ ସୂଚନା ପ୍ରଦାନ କରାଯିବ। ଯୁଦ୍ଧ ସାଇରନ ସହିତ କିଛି ସମୟ ପାଇଁ ବ୍ଲାକଆଉଟ୍ ହେବ।
Comments are closed.