ନୂଆଦିଲ୍ଲୀ: ଆମେରିକା ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇଛି, ଯାହା ଗୁରୁବାର ଠାରୁ କାର୍ଯ୍ୟକାରୀ ହୋଇଯାଇଛି । ତା ସହ ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ, ଯାହା ଆସନ୍ତା ଅଗଷ୍ଟ ୨୭ରୁ ଲାଗୁ ହେବାକୁ ଯାଉଛି । ଏହା ପରେ ଭାରତ ଉପରେ ଆମେରିକା ଆମାଦାନୀ ପାଇଁ ୫୦% ଶୁଳ୍କ ନେବ । ଏହି ଶୁଳ୍କ ପରେ, ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେଇଛି । ଯାହାକୁ ନେଇ କିନ୍ତୁ ସ୍ପଷ୍ଟ ଭାବରେ କହିଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାରତ ତାର କୃଷକଙ୍କ ସ୍ବାର୍ଥ ସହ ସାଲିସ୍ କରିବ ନାହିଁ, କି ଆମେରିକା ଆଗରେ ବି ମୁଣ୍ଡ ନୁଆଁଇବ ନାହିଁ । ଏଥିପାଇଁ ଭାରୀ ମୂଲ୍ୟ ଦେବାକୁ ପଡିଲେ ବି ଦେବେ । ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ହେଲେ କ’ଣ ଆପଣ ଜାଣନ୍ତି, ଇତିହାସରେ ଏମିତି ଅନେକ ସ୍ଥିତି ରହିଛି ଯେଉଁଠି ଆମେରିକା, ଆଜିକା ପରିସ୍ଥିତି ପରି ଭାରତକୁ ଆମେରିକାର ଚାପର ସମ୍ମୁଖୀନ ହେବାକୁ ପଡିଥିଲା । କିନ୍ତୁ ସେତେବେଳର ନେତା ଏହା ଉପଯୁକ୍ତ ଜବାବ ଦେଇଥିଲେ । ଲାଲ ବାହାଦୁର ଶାସ୍ତ୍ରୀ, ଇନ୍ଦିରା ଗାନ୍ଧୀ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଆମେରିକା ଭାରତ ଉପରେ କୂଟନୈତିକ ଏବଂ ରଣନୈତିକ ଚାପ ପ୍ରୟୋଗ କରାଯାଇଥିଲା। କିନ୍ତୁ ଭାରତ ସେହି ଧମକ ଆଗରେ ମୁଣ୍ଡ ନୁଆଁଇ ନଥିଲା।
୧୯୬୫ ମସିହାରେ ଭାରତ-ପାକ୍ ଯୁଦ୍ଧ ସମୟରେ ଭାରତରେ ଏକ ବଡ଼ ଖାଦ୍ୟ ସଙ୍କଟ ଦେଖା ଦେଇଥିଲା। ସେହି ସମୟରେ ଆମେରିକୀୟ ରାଷ୍ଟ୍ରପତି ଲିଣ୍ଡନ୍ ଜନସନ୍ ଧମକ ଦେଇଥିଲେ ଯେ ଯଦି ଯୁଦ୍ଧ ବନ୍ଦ ନହୁଏ, ତେବେ ଗହମ ବନ୍ଦ କରାଯିବ। କିନ୍ତୁ ଲାଲ ବାହାଦୁର ଶାସ୍ତ୍ରୀ ‘ଜୟ ଜବାନ, ଜୟ କିଷାନ’ ସ୍ଲୋଗାନ ଦେଇ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱ ଦେଇଥିଲେ। ସେ ଦେଶବାସୀଙ୍କୁ ଗୋଟିଏ ଖାଦ୍ୟ ଛାଡିବାକୁ ଆହ୍ୱାନ କରିଥିଲେ, ଯାହା ଆମେରିକାର ଚାପ ହ୍ରାସ କରିଥିଲା। ଶାସ୍ତ୍ରୀଜୀଙ୍କ ଏହି ରଣନୀତି କେବଳ ଜନସାଧାରଣଙ୍କୁ ଏକତ୍ରିତ କରିନଥିଲା, ବରଂ ଆମେରିକାକୁ ବାର୍ତ୍ତା ଦେଇଥିଲା ଯେ ଭାରତ ନିଜ ସର୍ତ୍ତରେ କଥା ହେବ। ଲାଲ ବାହାଦୁର ଶାସ୍ତ୍ରୀ କହିଥିଲେ ଯେ ଯଦି ଆମେରିକା ଗହମ ବନ୍ଦ କରିବାକୁ ଚାହୁଁଛି, ତେବେ ଏହା କରୁ, ଆମେ ଗହମ ଖାଇବା ହିଁ ମନ୍ଦ କରିଦେବୁ, ଆମର ଏଥିରେ କୌଣସି ଫରକ ପଡିବନାହିଁ ।
ସେହିପରି ୧୯୭୧ ମସିହାରେ ଭାରତ-ପାକ୍ ଯୁଦ୍ଧ ସମୟରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଆମେରିକା ଉପରେ କୂଟନୈତିକ ଚାପ ପ୍ରୟୋଗ କରିଥିଲେ। ଯେତେବେଳେ ଆମେରିକା ବଙ୍ଗୋପସାଗରକୁ ସପ୍ତମ ନୌବାହିନୀ ପଠାଇ ଭାରତକୁ ଧମକ ଦେବାକୁ ଚେଷ୍ଟା କରିଥିଲା, ଇନ୍ଦିରା ସୋଭିଏତ୍ ୟୁନିଅନ୍ ସହିତ ଏକ ବନ୍ଧୁତା ଚୁକ୍ତି ସ୍ୱାକ୍ଷର କରି ଏହାର ଜବାବ ଦେଇଥିଲେ। ସେହି ସମୟରେ ଇନ୍ଦିରା ଗାନ୍ଧୀ ଆମେରିକାକୁ କଡ଼ା ଜବାବ ଦେଇଥିଲେ। ତାଙ୍କର ଦୃଢ଼ତା ଆମେରିକାକୁ ପଛକୁ ହଟିବାକୁ ବାଧ୍ୟ କରିଥିଲା ଏବଂ ବାଂଲାଦେଶର ସ୍ୱାଧୀନତାରେ ଭାରତ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା। ଏହା ବ୍ୟତୀତ, ୧୯୭୪ ମସିହାରେ ପୋଖରାନ-୧ ପରମାଣୁ ପରୀକ୍ଷଣ ଭାରତକୁ ଏକ ପରମାଣୁ ଶକ୍ତି ଭାବରେ ପ୍ରତିଷ୍ଠା କରିଥିଲା, ଯାହା ଆମେରିକାକୁ ଭାରତ ସହିତ ତାର ରଣନୈତିକ ସମ୍ପର୍କର ପୁନର୍ବିଚାର କରିବାକୁ ବାଧ୍ୟ କରିଥିଲା।
୧୯୯୮ ମସିହାରେ ପୋଖରାନ-୨ ପରମାଣୁ ପରୀକ୍ଷଣ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଭାରତର ସବୁଠାରୁ ବଡ଼ କୂଟନୈତିକ ପଣ ଥିଲା। କିନ୍ତୁ ଏହା ଆମେରିକାକୁ କ୍ରୋଧିତ କରିଥିଲା। ଆମେରିକାର ପ୍ରତିବନ୍ଧକରେ ଅସ୍ତ୍ରଶସ୍ତ୍ର ବିକ୍ରୟ ବନ୍ଦ କରିବା, ଆର୍ଥିକ ସହାୟତା ବନ୍ଦ କରିବା ଏବଂ ଭାରତକୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବାରେ ବାଧା ସୃଷ୍ଟି କରିବା ଅନ୍ତର୍ଭୁକ୍ତ ଥିଲା। କିନ୍ତୁ ଭାରତ ଦୃଢ଼ତା ଦେଖାଇଲା। ଭାରତ କହିଥିଲା ଯେ ଏହି ପରୀକ୍ଷଣ ଜାତୀୟ ସୁରକ୍ଷା ପାଇଁ ଆବଶ୍ୟକ। ବିଶେଷକରି ପରମାଣୁ-ସମୃଦ୍ଧ ପଡ଼ୋଶୀମାନଙ୍କୁ ଦୃଷ୍ଟିରେ ରଖି। ଭାରତ ଆମେରିକା ସହିତ କଥା ହେଲା ଏବଂ ଶେଷରେ ଆମେରିକା ଅନୁଭବ କଲା ଯେ ଭାରତ ଉପରେ ଚାପ ପକାଇବାର ନୀତି ବିଫଳ ହୋଇଛି ।
Comments are closed.