Latest Odisha News

BREAKING NEWS

Missing Indonesian passenger ship:୨୪୦ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ;ସର୍ଚ୍ଚ ଅପରେସନ ଜାରି

ନୂଆଦିଲ୍ଲୀ:ରବିବାର ଦିନ ଜାଭା ସାଗରରେ ୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଯାଇଛି । ରିପୋର୍ଟ ଅନୁଯାୟୀ, ଏହି ଜାହାଜରେ ୨୪୦ ଜଣ ଲୋକ ଥିଲେ ଏବଂ ସେମାନେ ସମସ୍ତେ ଦକ୍ଷିଣ କାଲିମାଣ୍ଟନ୍ ଯାତ୍ରା କରୁଥିଲେ। ଜାଭା ସାଗରରେ ଥିବା ସମୟରେ ହଠାତ୍ ଜାହାଜଟି ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ବର୍ତ୍ତମାନ ଜାହାଜଟିର ସନ୍ଧାନ ପାଇଁ ଏକ ଉଦ୍ଧାର କାର୍ଯ୍ୟ ଚାଲିଛି।
ଅଧିକାରୀମାନେ କହିଛନ୍ତି ଯେ ଇଣ୍ଡୋନେସିଆର ଉଦ୍ଧାରକାରୀ ଦଳ ରବିବାର ଏକ ସନ୍ଧାନ ଅଭିଯାନ ଆରମ୍ଭ କରିଛନ୍ତି। ପୂର୍ବ ଜାଭାରୁ ଦକ୍ଷିଣ କାଲିମଣ୍ଟାନକୁ ବୋର୍ନିଓ ଦ୍ୱୀପରେ ଯାତ୍ରା କରୁଥିବା ସମୟରେ ଜାଭା ସାଗରରେ ୨୪୦ ଜଣ ଯାତ୍ରୀବାହୀ ଜାହାଜ ଯୋଗାଯୋଗ ହରାଇବା ପରେ ଏହି ଅଭିଯାନ ଆରମ୍ଭ ହୋଇଥିଲା।

ଦକ୍ଷିଣ କାଲିମାଣ୍ଟନ୍ ପ୍ରଦେଶର ରାଜଧାନୀ ବଞ୍ଜାରମାସିନ୍‌ସ୍ଥିତ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟାଳୟ ସୂଚନା ପାଇଛି ଯେ ‘ୱାର୍କୋ ଟ୍ରାନ୍ସପୋର୍ଟ ୮’ (Warko Transport 8) ନାମକ ଜାହାଜର କମ୍ୟୁନିକେସନ ସିଷ୍ଟମ ଅଚଳ ହୋଇଯାଇଛି। ଏହି ଜାହାଜଟି ପୂର୍ବ ଜାଭା ପ୍ରଦେଶର ସୁରାବାୟାରୁ ବଞ୍ଜାରମାସିନ୍ ଅଭିମୁଖେ ଯାତ୍ରା କରୁଥିଲା।

ପ୍ରାଥମିକ ସୂଚନା ଅନୁଯାୟୀ, ଜାହାଜଟିର ଲାଷ୍ଟ ଲୋକେସନ ଜାଭା ସାଗରରେ, ବଞ୍ଜାରମାସିନ୍ ଉପକୂଳରୁ ପ୍ରାୟ ୧୪୮ କିଲୋମିଟର ଦୂରରେ ଚିହ୍ନଟ କରାଯାଇଥିଲା। ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତଙ୍କ ଖବର ମିଳିନାହିଁ ଏବଂ ଯଥାଶୀଘ୍ର ଜାହାଜ ନିକଟରେ ପହଞ୍ଚିବା ହିଁ ବର୍ତ୍ତମାନର ପ୍ରାଥମିକତା।

ଜାହାଜ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ସୂଚନା ଦେଇ ବଞ୍ଜରମାସିନ୍ ଉଦ୍ଧାରକାରୀ ସଂସ୍ଥାର ପରିଚାଳନା ମୁଖ୍ୟ ଆରିୟାନ୍ତୋ ଆର୍ଡି କହିଛନ୍ତି ଯେ ଉଦ୍ଧାରକାରୀ ଦଳ ଓ ଜାହାଜଗୁଡ଼ିକୁ ତୁରନ୍ତ ସେହି ଅଞ୍ଚଳକୁ ପଠାଯାଇଛି।

ସନ୍ଧାନ ଅଭିଯାନର ସମନ୍ୱୟ ରକ୍ଷା କରୁଥିବା ସୁଦୟାନା କହିଛନ୍ତି ଯେ, ଏଜେନ୍ସି ସାମୁଦ୍ରିକ କର୍ତ୍ତୃପକ୍ଷ ଓ ଅନ୍ୟାନ୍ୟ ସମ୍ପୃକ୍ତ ସଂସ୍ଥା ସହିତ ମିଳିତ ଭାବେ ସନ୍ଧାନ କାର୍ଯ୍ୟର ସମନ୍ୱୟ ରକ୍ଷା କରୁଛି ଏବଂ ସେହି ଅଞ୍ଚଳର ପାଣିପାଗ ସ୍ଥିତି ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖିଛି।

Comments are closed.