Latest Odisha News

BREAKING NEWS

ସ୍ବଚ୍ଛ ସର୍ବକ୍ଷେଣ ୨୦୨୨: ଲଗାତର ୬ଷ୍ଠ ଥର ପାଇଁ ଶୀର୍ଷରେ ଇନ୍ଦୋର, ଭୁବନେଶ୍ବରର ସ୍ଥାନ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ସ୍ୱଚ୍ଛତା ସର୍ବେକ୍ଷଣ ୨୦୨୨ରେ ପୁଣିଥରେ ମଧ୍ୟପ୍ରଦେଶର ଇନ୍ଦୋର ପ୍ରଥମ ସ୍ଥାନ ହାସଲ କରିଛି। ଲଗାତର ୬ଷ୍ଠ ଥର ପାଇଁ ଶୀର୍ଷ ସ୍ଥାନରେ ରହିବାରେ ରେକର୍ଡ କରିଛି । ଏଥି ସହିତ ଗୁଜୁରାଟର ସୁରଟକୁ ଦ୍ୱିତୀୟ ପରିଷ୍କାର ସହର ଭାବରେ ଚୟନ କରାଯାଇଛି। ସ୍ୱଚ୍ଛତା ସର୍ଭେରେ ଦିଲ୍ଲୀ ନବମ ସ୍ଥାନ ହାସଲ କରିଛି। ଏଥି ସହିତ ଦିଲ୍ଲୀ ନିକଟରେ ଥିବା ନୋଏଡା ଏହି ତାଲିକାରେ ଏକାଦଶ ସ୍ଥାନ ହାସଲ କରିଛି।

ତେବେ ସ୍ବଚ୍ଛ ସହର ତାଲିକାରେ ଭୁବନେଶ୍ବର ଚଳିତ ଥର ୮୦ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛି। ଗତବର୍ଷ ଏହାର ରାଙ୍କ ୧୪୪ ନମ୍ବର ଥିଲା। ମେୟର ସୁଲୋଚନା ଦାସ ଏହି ଆଓ୍ୱାର୍ଡ ଗ୍ରହଣ କରିଛନ୍ତି। ସେହିପରି ଓଡ଼ିଶାର ୧୧ଟି ସହର ସ୍ବଚ୍ଛତା ସର୍ବେକ୍ଷଣ ତାଲିକାରେ ଚଳିତ ଥର ସାମିଲ ହୋଇଛି।

କେନ୍ଦ୍ର ସରକାରଙ୍କ ନଗର ଉନ୍ନୟନ ସଂସ୍ଥା ଦ୍ବାରା ହୋଇଥିବା ଏହି ସର୍ଭେ ରିପୋର୍ଟକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରକାଶ କରିଥିଲେ। ଏହା ବ୍ୟତୀତ ମଧ୍ୟପ୍ରଦେଶକୁ ୧୦୦ ରୁ ଅଧିକ ସହର ଥିବା ସହର ବର୍ଗରେ ସ୍ୱଚ୍ଛ ରାଜ୍ୟ ଆଖ୍ୟା ଦିଆଯାଇଛି। ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଇନ୍ଦୋରର ଅଧିକାରୀ ତଥା ଜନ ପ୍ରତିନିଧୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ଏହି ସର୍ଭେ ୨୦୧୬ ଠାରୁ କରାଯାଉଛି।

୨୦୧୬ରେ କର୍ଣ୍ଣାଟକର ମୟଶୂର ପ୍ରଥମ ସ୍ୱଚ୍ଛତା ସର୍ବେକ୍ଷଣରେ ଶୀର୍ଷରେ ରହିଥିଲା। ଏହାପରେ ୨୦୧୭ ରୁ ଇନ୍ଦୋର ଏହି ତାଲିକାର ଶୀର୍ଷରେ ରହିଆସିଛି। ଚଳିତ ବର୍ଷ ମଧ୍ୟପ୍ରଦେଶର ଅନ୍ୟ ଏକ ସହର ଭୋପାଳ ଶ୍ରେଷ୍ଠ ଦଶ ତାଲିକାରେ ଷଷ୍ଠ ସ୍ଥାନ ଅଧିକାର କରିଛି। ପରିଷ୍କାର ପରିଚ୍ଛନ୍ନତା ଦୃଷ୍ଟିରୁ ଆନ୍ଧ୍ରପ୍ରଦେଶର ତିନୋଟି ସହର ମଧ୍ୟ ଶ୍ରେଷ୍ଠ ଦଶ ତାଲିକାରେ, ବିଶାଖାପାଟନମ୍ ଏବଂ ବିଜୟୱାଡା ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ଥିବାବେଳେ ତିରୁପତି ସପ୍ତମ ସ୍ଥାନରେ ରହିଛି।

ଏକ ସରକାରୀ ବିବୃତ୍ତି ଅନୁଯାୟୀ, “ସ୍ୱଚ୍ଛ ଭାରତ ମିଶନ ଅଧୀନରେ ଥିବା ଭାରତୀୟ ସହରଗୁଡ଼ିକର ପରିମଳ ସ୍ଥିତିକୁ ବିଶ୍ଳେଷଣ ଏବଂ ତୁଳନା କରିବା ପାଇଁ ଏକ ମୂଲ୍ୟାଙ୍କନ ଉପକରଣ ଭାବେ ଏହି ସର୍ଭେ ପ୍ରଥମେ କେବଳ ୭୩ଟି ସହରର ମୂଲ୍ୟାଙ୍କନ ସହିତ ଆରମ୍ଭ ହୋଇଥିଲା। ୨୦୨୨ ମସିହାରେ ୪୩୫୪ ଟି ସହରର ମୂଲ୍ୟାଙ୍କନ କରି ଏହି ରିପୋର୍ଟ ପ୍ରକାଶ କରିଛି।

Leave A Reply

Your email address will not be published.