ଦୁବାଇ: ଆଉ କିଛି ଘଂଟା ପରେ ଦୁବାଇରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ଉଭୟ ଟିମ ଶକ୍ତିଶାଳୀ ଥିବାରୁ କିଏ ଚାମ୍ପିୟନ ହେବ ତାହା ପୂର୍ବାନୁମାନ କରିବା କଷ୍ଟକର । ତେବେ ଭାରତର ପୂର୍ବତନ କୋଚ ରବି ଶାସ୍ତ୍ରୀ କହିଛନ୍ତି ଭାରତ ପାଇଁ ବିରାଟ କୋହଲି ଓ ନ୍ୟୁଜିଲାଣ୍ଡର କେନ ୱିଲିୟମସନ ନିଜ ନିଜ ଦଳ ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେବେ । ସେମାନେ ଅଭିଜ୍ଞ, ଦକ୍ଷତର ସମ୍ପନ୍ନ । ଭାରତକୁ ଯଦି ପ୍ରକୃତରେ କିଏ ହରାଇବା ଦକ୍ଷତା ରଖିଛି ତାହା ହେଉଛି ନ୍ୟୁଜିଲାଣ୍ଡ । ୨୫ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫି ପରାଜୟ ପ୍ରତିଶୋଧ ନେବାର ସୁଯୋଗ ଉପନୀତ ହୋଇଥିଲେ ମଧ୍ୟ ଏହା ଏତେଟା ସହଜ ହେବନି ।
ରଚୀନ ରବୀନ୍ଦ୍ର ଓ ୱିଲିୟମସନ ନ୍ୟୁଜିଲାଣ୍ଡ ପାଇଁ କ୍ରମାଗତ ଭଲ ପ୍ରଦର୍ଶନ କରି ଆସୁଛନ୍ତି । ସେମାନଙ୍କ ଯଦି ଟିମ ଇଣ୍ଡିଆ ରୋକି ନ ପାରିବ ତେବେ ମ୍ୟାଚ ହାତଛଡା ହେବ ବୋଲି ଶାସ୍ତ୍ରୀ କହିଛନ୍ତି । ଏହି ଅବସରରେ ମିଚେଲ ସାଂଟେନରଙ୍କ ସ୍ପିନ ବୋଲିଂକୁ ମଧ୍ୟ ସେ ଭୂୟସୀ ପ୍ରଶଂସା କରିଛନ୍ତି । ଭାରତ ପକ୍ଷରୁ ଅକ୍ଷର ପଟେଲ କିମ୍ବା ରବୀନ୍ଦ୍ର ଜାଡେଜା ଏବଂ ନ୍ୟୁଜିଲାଣ୍ଡ ତରଫରୁ ଗ୍ଲେନ ଫିଲିପ୍ସ ଏକ୍ସଫ୍ୟାକ୍ଟର ହେବେ ବୋଲି ଶାସ୍ତ୍ରୀ କହିଛନ୍ତି । ଅନ୍ୟ ଅର୍ଥରେ ଅକ୍ଷର ବନାମ ଫିଲିପ୍ସ, କୋହଲି ବନାମ ୱିଲିୟମସନ ଏବଂ ବରୁଣ ଚକ୍ରବର୍ତୀ ବନାମ ସାଂଟେନରଙ୍କ ପ୍ରଦର୍ଶନ ଉପରେ ଦଳର ଭାଗ୍ୟ ନିର୍ଭର କରିବ ।
Comments are closed.