ପୁରୀ: ପୁରୀ ରେଳ ଷ୍ଟେସନର ନବୀକରଣ କରାଯାଉଛି । ତେଣୁ ୬୫ ଦିନ ଯାଏଁ ପୁରୀକୁ ଯିବନି ଟ୍ରେନ୍ । ଆସନ୍ତା ୧୧ ତାରିଖରୁ ମେ ମାସ ୧୬ ତାରିଖ ଯାଏଁ ରେଳ ସେବା ପ୍ରଭାବିତ ହେବ । ଏହି ୬୫ ଦିନ ପର୍ଯ୍ୟନ୍ତ କୌଣସି ଟ୍ରେନ୍ ପୁରୀ ଆସିବ ନାହିଁ ।
ଟ୍ରେନ୍ ଗୁଡ଼ିକ ସାକ୍ଷୀଗୋପାଳ, ମାଳତିପାଟପୁର ଓ ବୀରହରେକୃଷ୍ଣପୁର ପର୍ଯ୍ୟନ୍ତ ଆସିବ ଏବଂ ଛାଡ଼ିବ । ସେ ପର୍ଯ୍ୟନ୍ତ ଯିବାଆସିବା ପାଇଁ ବସ୍ ବ୍ୟବସ୍ଥା ହେବ । ଟ୍ରେନ୍ ଛାଡ଼ିବା ଓ ପହଞ୍ଚିବା ସମୟ ସହ ଷ୍ଟେସନ ବାବଦରେ ଯାତ୍ରୀମାନେ ରେଳବାଇ ଅନୁସନ୍ଧାନରୁ ସୂଚନା ସଂଗ୍ରହ କରିବାକୁ ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି । ସାକ୍ଷୀଗୋପାଳ ପର୍ଯ୍ୟନ୍ତ ୭ଟି ଟ୍ରେନ୍ ଆସିବ ଏବଂ ସେଠାରୁ ଛାଡ଼ିବ । ଟ୍ରେନ ଗୁଡିକ ହେଲା:- ଲୋକମାନ୍ୟ ତିଲକ ଏକ୍ସପ୍ରେସ୍, ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସ୍, କାମାକ୍ଷା-ପୁରୀ ଏକ୍ସପ୍ରେସ୍, ତିରୁପତି-ପୁରୀ ଏକ୍ସପ୍ରେସ୍, ଦୂରନ୍ତ ଏକ୍ସପ୍ରେସ୍, ଭାଲସାଡ୍-ପୁରୀ ଓ ସମ୍ବଲପୁର ଇଣ୍ଟରସିଟି ।
ସୂଚନାଥାଉକି, ଟ୍ରାକ୍ରେ ଆଉ ଗୋଡ଼ି ରହିବ ନାହିଁ । ଷ୍ଟେସନ ପରିସରରେ ଥିବା ରେଳଧାରଣାକୁ କଂକ୍ରିଟ୍ଯୁକ୍ତ କରାଯିବାକୁ ଯୋଜନା କରାଯାଇଛି । ଏହା ସହିତ ୭ ନମ୍ବର ଓ ୮ ନମ୍ବର ପ୍ଲାଟ୍ଫର୍ମର ଉନ୍ନତୀକରଣ ହେବ ।